ନିର୍ବାଚନୀ ବଣ୍ଡରୁ ବିଜେପି ପାଇଛି ୬୯୮୬.୫ କୋଟି, ଡିଏମକେକୁ ସର୍ବାଧିକ ଚାନ୍ଦା ଦେଇଛି ଫ୍ୟୁଚର ଗେମିଙ୍ଗ୍

ନୂଆଦିଲ୍ଲୀ: ନିର୍ବାଚନ କମିଶନ ରବିବାର ନିଜ ୱେବସାଇଟରେ ନିର୍ବାଚନୀ ବଣ୍ଡ୍ ସମ୍ପର୍କିତ ତାଜା ତଥ୍ୟ ସାର୍ବଜନୀନ କରିଛନ୍ତିି । ୨୦୧୮ରୁ କାର୍ଯ୍ୟକାରୀ ହେବା ପରଠାରୁ ନିର୍ବାଚନୀ ବଣ୍ଡ୍ ଯୋଜନା ମାଧ୍ୟମରେ ବିଜେପି ସର୍ବାଧିକ ୬୯୮୬.୫ କୋଟି ଟଙ୍କା ଚାନ୍ଦା ପାଇଛି । ତା’ପରେ ଏହି ତାଲିକାରେ ପଶ୍ଚିମବଙ୍ଗର ଶାସକ ଦଳ ତୃଣମୂଳ କଂଗ୍ରେସ (୧,୩୯୭ କୋଟି ଟଙ୍କା), କଂଗ୍ରେସ (୧,୩୩୩ କୋଟି) ଏବଂ ବିଆରଏସ (୧,୩୨୨ କୋଟି) ରହିଛନ୍ତି। ନିର୍ବାଚନୀ ବଣ୍ଡ୍ ଜରିଆରେ ଫ୍ୟୁଚର ଗେମିଙ୍ଗ୍ ଆଣ୍ଡ୍ ହୋଟେଲ ସର୍ଭିସେସ୍ ପ୍ରାଇଭେଟ୍ ଲିମିଟେଡ ନାମକ କମ୍ପାନୀ ତାମିଲନାଡୁର ଶାସକ ଦଳ ଡିଏମକେକୁ ୫୦୯ କୋଟି ଟଙ୍କା ଦାନ କରିଥିବା ନିର୍ବାଚନ କମିଶନଙ୍କ ତଥ୍ୟରୁ ଜଣାପଡ଼ିଛି।

ତଥ୍ୟ ଅନୁଯାୟୀ, ବିଜେଡି ୯୪୪.୫ କୋଟି ଚାନ୍ଦା ପାଇଛି। ବିଜେଡ଼ି ତଳକୁ ଡିଏମକେ ଷଷ୍ଠ ସ୍ଥାନରେ ରହିଛି । ଏହି ଦଳ ୬୫୬.୫ କୋଟି ପାଇଥିବା ବେଳେ ଆନ୍ଧ୍ର ପ୍ରଦେଶର ଶାସକ ଦଳ ଓ୍ବାଇଏସ୍ଆର୍ କଂଗ୍ରେସକୁ ନିର୍ବାଚନୀ ବଣ୍ଡ୍ ଜରିଆରେ ପ୍ରାୟ ୪୪୨.୮ କୋଟି ମିଳିଛି। ଜେଡି (ଏସ୍) ୮୯.୭୫ କୋଟି ଟଙ୍କା ମୂଲ୍ୟର ବଣ୍ଡ ଗ୍ରହଣ କରିଛି, ଯେଉଁଥିରୁ ଦଳ ମେଘା ଇଞ୍ଜିନିୟରିଂରୁ ୫୦ କୋଟି ଟଙ୍କା ଚାନ୍ଦା ପାଇଛି।

‘ଲଟେରୀ କିଙ୍ଗ’ ସାଣ୍ଟିଆଗୋ ମାର୍ଟିନଙ୍କ କମ୍ପାନୀ ଫ୍ୟୁଚର ଗେମିଙ୍ଗ ସର୍ବାଧିକ ୧,୩୬୮ କୋଟି ଟଙ୍କା ଚାନ୍ଦା ଦେଇଛି । ସେଥିମଧ୍ୟରୁ କମ୍ପାନୀ ପ୍ରାୟ ୩୭ ପ୍ରତିଶତ ଚାନ୍ଦା ଡିଏମକେକୁ ଦେଇଛି । ଡିଏମକର ଅନ୍ୟ ପ୍ରମୁଖ ଚାନ୍ଦା ଦାତା ହେଉଛି ମେଘା ଇଞ୍ଜିନିୟରିଂ । ଏହି କମ୍ପାନୀ ଡିଏମକେକୁ ୧୦୫ କୋଟି ଟଙ୍କା ଦେଇଥିବା ବେଳେ ଇଣ୍ଡିଆ ସିମେଣ୍ଟ ୧୪ କୋଟି ଟଙ୍କା ଏବଂ ସନ୍ ଟିଭି ୧୦୦ କୋଟି ଟଙ୍କା ଚାନ୍ଦା ତାମିଲନାଡୁର ଶାସକ ଦଳକୁ ଦେଇଛନ୍ତି ।

ବିଜେପି ପରେ ନିର୍ବାଚନୀ ବଣ୍ଡ୍ ଜରିଆରେ ତୃଣମୂଳ କଂଗ୍ରେସ ଦ୍ବିତୀୟ ସର୍ବାଧିକ ୧,୩୯୭ କୋଟି ଟଙ୍କା ଚାନ୍ଦା ପାଇଛି |

ଦାତାମାନଙ୍କ ପରିଚୟ ପ୍ରକାଶ କରିଥିବା ଅଳ୍ପ କିଛି ଦଳ ଗୁଡ଼ିକ ମଧ୍ୟରୁ ଡିଏମକେ ଅନ୍ୟତମ । ଅନ୍ୟପକ୍ଷରେ ବିଜେପି, କଂଗ୍ରେସ, ତୃଣମୂଳ ଏବଂ ଆପ୍ ଭଳି ପ୍ରମୁଖ ଦଳ ନିର୍ବାଚନ କମିଶନଙ୍କୁ ସେମାନଙ୍କ ଚାନ୍ଦା ଦାତାଙ୍କ ସମ୍ପର୍କରେ ତଥ୍ୟ ପ୍ରକାଶ କରିନାହାଁନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ନିର୍ବାଚନ କମିଶନ ବର୍ତ୍ତମାନ ନିର୍ବାଚନୀ ବଣ୍ଡ୍ ସମ୍ବନ୍ଧୀୟ ସୂଚନା ସାର୍ବଜନୀନ କରିଛନ୍ତି।

ଟିଡିପି ୧୮୧.୩୫ କୋଟି, ଶିବସେନା ୬୦.୪ କୋଟି, ଆରଜେଡି ୫୬ କୋଟି, ସମାଜବାଦୀ ପାର୍ଟି ୧୪.୦୫ କୋଟି ଟଙ୍କାର ନିର୍ବାଚନୀ ବଣ୍ଡ ପାଇଛନ୍ତି । ନିର୍ବାଚନ କମିଶନ ପ୍ରଦତ୍ତ ତଥ୍ୟ ମୁତାବକ ଯେ ଅକାଳୀ ଦଳ ୭.୨୬ କୋଟି, ଏଆଇଏଡିଏମକେ ୬.୦୫ କୋଟି ଏବଂ ନ୍ୟାସନାଲ କନଫରେନ୍ସ ୫୦ ଲକ୍ଷ ଟଙ୍କା ଚାନ୍ଦା ନିର୍ବାଚନୀ ବଣ୍ଡ୍ ଜରିଆରେ ପାଇଛନ୍ତି ।

ସିପିଆଇ (ଏମ୍) ଘୋଷଣା କରିଥିଲା ଯେ ଦଳ ନିର୍ବାଚନୀ ବଣ୍ଡ୍ ଜରିଆରେ କୌଣସି ଚାନ୍ଦା ଗ୍ରହଣ କରିବ ନାହିଁ ।‌ ଏଆଇଏମ୍ଆଇଏମ୍ ଏବଂ ବିଏସପି ବଣ୍ଡ୍ ଜରିଆରେ କୌଣସି ଚାନ୍ଦା ପାଇନଥିବା କହିଛନ୍ତି ।

Comments are closed.