ବାଲ୍ୟ ବିବାହକୁ ପ୍ରୋତ୍ସାହନ ଅଭିଯୋଗ ମଧ୍ୟରେ ବିବାଦୀୟ ‘ବିବାହ ପଞ୍ଜିକରଣ ବିଲ୍’ ପ୍ରତ୍ୟାହାର କଲେ ରାଜସ୍ଥାନ ସରକାର

ନୂଆଦିଲ୍ଲୀ: ରାଜସ୍ଥାନର ଅଶୋକ ଗେହଲୋଟ୍ ସରକାର ବିବାଦୀୟ ବିବାହ ପଞ୍ଜିକରଣ (ସଂଶୋଧନ) ବିଲ୍ ୨୦୨୧ ପ୍ରତ୍ୟାହାର କରି ନେଇଛନ୍ତି। ଏହି ବିଲ୍ କୁ ବିଭିନ୍ନ ସାମାଜିକ ସଂଗଠନ ଏବଂ ବିରୋଧୀ ଦଳ ପ୍ରବଳ ବିରୋଧ କରିଥିଲେ । ଏହି ବିଲ୍ ଦ୍ବାରା ରାଜସ୍ଥାନରେ ଶିଶୁ ବିବାହକୁ ପ୍ରୋତ୍ସାହିତ କରାଯାଉଛି ବୋଲି ସେମାନେ ଅଭିଯୋଗ କରିଥିଲେ । ଗତ ମାସରେ ରାଜସ୍ଥାନ ବିଧାନସଭାରେ ଏହି ବିଲ୍ ପାରିତ ହେବା ପରେ ବିବାଦ ସୃଷ୍ଟି ହୋଇଥିଲା ।

ବିରୋଧୀ ଦଳ ବିଜେପି ଏହାକୁ ବାଲ୍ୟ ବିବାହକୁ ସ୍ୱୀକୃତି ଦେବାକୁ ଏକ ପ୍ରୟାସ ବୋଲି ଅଭିଯୋଗ କରିଥିଲା। ଏହି ସମାଲୋଚନା ମଧ୍ୟରେ ରାଜସ୍ଥାନ ସରକାର ରାଜ୍ୟପାଳଙ୍କ ଠାରୁ ବିବାହ ବିଲ୍ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛନ୍ତି।

ରାଜ୍ୟପାଳଙ୍କ ଅନୁମୋଦନ ପରେ ଏହା ଏକ ଆଇନରେ ପରିଣତ ହୋଇଥାଆନ୍ତା। ରାଜସ୍ଥାନରେ ସମସ୍ତ ପ୍ରକାର ବିବାହ ପଞ୍ଜିକରଣ କରିବା ବାଧ୍ୟତାମୂଳକ ହେବ ବୋଲି ବିଲରେ କୁହାଯାଇଥିଲା । ବାଲ୍ୟ ବିବାହ କ୍ଷେତ୍ରରେ, ପୁଅ- ଝିଅର ଅଭିଭାବକଙ୍କୁ ଏହି ବିବାହ ପଞ୍ଜିକରଣ କରିବାକୁ ବାଧ୍ୟତାମୂଳକ କରାଯାଇଥିଲା | ଶିଶୁ ଏବଂ ମହିଳା ଅଧିକାର ସହ ଜଡିତ ଅନେକ ସଂସ୍ଥା ଏହି ବିଲକୁ ସମାଲୋଚନା କରିଥିଲେ।

ସେମାନେ କହିଥିଲେ ଯେ ଏହା ଶିଶୁ ବିବାହକୁ ପ୍ରୋତ୍ସାହିତ କରିବ। ରାଜସ୍ଥାନ ହାଇକୋର୍ଟରେ ଏକ ଏନଜିଓ ମଧ୍ୟ ଏହି ବିଲକୁ ଚ୍ୟାଲେଞ୍ଜ କରିଥିଲା। ରାଜସ୍ଥାନର ବିବାହ ସଂଶୋଧନ ବିଲ୍ ୨୦୨୧ ସମସ୍ତ ପ୍ରକାର ବିବାହ ପଞ୍ଜିକରଣ କରିବାକୁ ବାଧ୍ୟତାମୂଳକ କରିଥିଲା । ସାମାଜିକ ଅଧିକାର କର୍ମୀମାନେ ମଧ୍ୟ ବିଲ୍‌ର ବୈଧତା ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଥିଲେ।

Comments are closed.