କେଜ୍ରିୱାଲଙ୍କ ଗିରଫ ବିରୋଧରେ ଆଜି ଦିଲ୍ଲୀରେ ‘ଇଣ୍ଡିଆ’ ମେଣ୍ଟର ମେଗା ରାଲି

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫ ପ୍ରତିବାଦରେ ‘ଇଣ୍ଡିଆ’ ମେଣ୍ଟ ଆଜି ଜାତୀୟ ରାଜଧାନୀରେ ଏକ ମେଗା ରାଲି ଆୟୋଜନ କରିବ। ଆମ୍ ଆଦମୀ ପାର୍ଟି (ଆପ୍)ର ନେତା ଗୋପାଳ ରାୟ ରବିବାର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି,‌ ବିରୋଧୀ ଦଳର ମିଳିତ ମଞ୍ଚ ଦିଲ୍ଲୀର ରାମଲୀଳା ମଇଦାନରେ ‘ଦେଶ ତଥା ଗଣତନ୍ତ୍ରର ସ୍ୱାର୍ଥ ରକ୍ଷା’ ପାଇଁ ଏହି ମହାରାଲି କରିବ। ଏଥିରେ ଇଣ୍ଡିଆ ମେଣ୍ଟର ସବୁ ସହଯୋଗୀ ଦଳ ସାମିଲ ହେବେ ।

ଅବକାରୀ ନୀତି ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗୁରୁବାର ରାତିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ (୫୫)ଙ୍କୁ ଗିରଫ କରିବା ପରେ ‘ଇଣ୍ଡିଆ’ ମେଣ୍ଟ ତରଫରୁ ଏହି ଘୋଷଣା କରାଯାଇଛି। ଇଣ୍ଡିଆ ମେଣ୍ଟର ସହଯୋଗୀ ଦଳ ଆପ୍ ଓ କଂଗ୍ରେସ ଏହି ରାଲି ଘୋଷଣା କରିଛନ୍ତି।

ଆପର ଦିଲ୍ଲୀ ଶାଖା ସଂଯୋଜକ ଗୋପାଳ ରାୟ କହିଛନ୍ତି, “ଦେଶରେ ସମ୍ପ୍ରତି ଯାହା ଘଟୁଛି ତାହା ବିରୋଧରେ ମାର୍ଚ୍ଚ ୩୧ରେ ଆମେ ରାମଲୀଳା ମଇଦାନରେ ଏକ ମହାରାଲି କରିବୁ। ଏହି ରାଲିରେ ‘ଇଣ୍ଡିଆ’ ମେଣ୍ଟର ଶୀର୍ଷ ନେତୃତ୍ୱ ସାମିଲ ହେବେ। ‘ଗଣତନ୍ତ୍ର ଏବଂ ଦେଶ ବିପଦରେ। ‘ଇଣ୍ଡିଆ’ ମିଳିତ ମଞ୍ଚର ଅଂଶ ଥିବା ସମସ୍ତ ଦଳ ଦେଶ ତଥା ଗଣତନ୍ତ୍ରର ସ୍ୱାର୍ଥ ରକ୍ଷା ପାଇଁ ଏହି ମେଗା ରାଲିରେ ଭାଗନେବେ।

ଦିଲ୍ଲୀ ପ୍ରଦେଶ କଂଗ୍ରେସ ସଭାପତି ଅରବିନ୍ଦର ସିଂ ଲଭଲି ଅଭିଯୋଗ କରିଛନ୍ତି, ବିରୋଧୀ ଦଳମାନଙ୍କୁ ସମାନ ସୁଯୋଗ ଦିଆଯାଉ ନାହିଁ। ସେ ତାଙ୍କ ଦଳର ଆକାଉଣ୍ଟ ଫ୍ରିଜ୍ ଏବଂ ମୁଖ୍ୟମନ୍ତ୍ରୀଙ୍କ ଗିରଫଦାରୀ ନେଇ ଉଦାହରଣ ଦେଇଥିଲେ। ଏହି ମେଗା ରାଲି କେବଳ ରାଜନୈତିକ ରାଲି ନୁହେଁ ବରଂ ଦେଶର ଗଣତନ୍ତ୍ରକୁ ବ ବଞ୍ଚାଇବା ଓ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ବିରୋଧରେ ସ୍ୱର ଉଠାଇବାକୁ ମଧ୍ୟ ଆହ୍ୱାନ ଦେବ ବୋଲି ସେ କହିଛନ୍ତିି।”

Comments are closed.