୬ ମାସ ପରେ ଜେଲରୁ ବାହାରିଲେ ଆପ୍ ନେତା ସଞ୍ଜୟ ସିଂହ

ନୂଆଦିଲ୍ଲୀ: ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହେବାର ୬ ମାସ ପରେ ଆମ୍ ଆଦମୀ ପାର୍ଟି (ଆପ୍‌) ନେତା ସଞ୍ଜୟ ସିଂହ ବୁଧବାର ସନ୍ଧ୍ୟାରେ ଜେଲରୁ ମୁକୁଳିଛନ୍ତି । ସୁପ୍ରିମକୋର୍ଟ ସଞ୍ଜୟଙ୍କୁ ଗତକାଲି ଜାମିନ ଦେଇଥିଲେ । ଅବକାରୀ ନୀତି ମାମଲାରେ ତାଙ୍କ ବିରୋଧରେ ଇଡି ଯେଉଁ ଲାଞ୍ଚ ନେଇଥିବା ଅଭିଯୋଗ କରିଛି, ତାହାର କୌଣସି ପ୍ରମାଣ କେନ୍ଦ୍ରୀୟ ସଂସ୍ଥା ଏଯାବତ୍ ଦେଇପାରି ନାହିଁ । ଏଭଳି ସ୍ଥଳେ ତାଙ୍କୁ ୬ ମାସ ଯାଏ ଜେଲରେ ରଖିବାର କ’ଣ ଆବଶ୍ୟକତା ରହିଛି ବୋଲି ସୁପ୍ରିମକୋର୍ଟ ପ୍ରଶ୍ନ କରିଥିଲେ ।

ତିହାର ଜେଲରୁ ମୁକୁଳିବା ସେଠାରେ ଉପସ୍ଥିତ ଶତାଧିକ ଆପ୍ କର୍ମୀ ଓ ନେତା ସଞ୍ଜୟ ସିଂହଙ୍କୁ ସ୍ୱାଗତ କରିଥିଲେ । ଏକ ଗାଡ଼ି ଉପରୁ ଆପ୍ କର୍ମକର୍ତ୍ତାଙ୍କୁ ସମ୍ବୋଧନ କରି ସଞ୍ଜୟ କହିଥିଲେ, ଅରବିନ୍ଦ କେଜ୍ରିୱାଲ, ମନୀଷ ସିସୋଦିଆ ଓ ସତ୍ୟେନ୍ଦ୍ର ଜୈନଙ୍କୁ ଜେଳରେ ରଖାଯାଇଛି । ମୋର ବିଶ୍ୱାସ ଜେଲର ତାଲା ଭାଙ୍ଗିବ.. ।

ତିହାର ଜେଳରୁ ମୁକୁଳିବା ପରେ ସଞ୍ଜୟ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ବାସଭବନକୁ ଯାଇ ତାଙ୍କ ପତ୍ନୀ ସୁନୀତାଙ୍କୁ ଭେଟିବେ ବୋଲି ଜଣାପଡ଼ିଛି । ଏହାପରେ ସେ ଆପ୍ କାର୍ଯ୍ୟାଳୟ ଯିବେ ଯେଉଁଠି ଦଳୀୟ କର୍ମକର୍ତ୍ତାଙ୍କୁ ସେ ସମ୍ବୋଧନ କରିବା ସମ୍ଭାବନା ରହିଛି ।

ମଦ ଦୁର୍ନୀତି ମାମଲାରେ ଇଡି ଗତବର୍ଷ ଅକ୍ଟୋବର ୪ ତାରିଖରେ ସଞ୍ଜୟ ସିଂହଙ୍କୁ ଗିରଫ କରିଥିଲା । ଏହି ମାମଲାରେ ଦିଲ୍ଳୀ ମୁଖ୍ୟମନ୍ତ୍ରୀ ତଥା ଆପ୍‌ର ଜାତୀୟ ଆବାହକ ଅରବିନ୍ଦ୍ର କେଜ୍ରିୱାଲଙ୍କ ଗିରଫ ପରେ ଦଳକୁ ଶକ୍ତ ଝଟକା ଲାଗିଥିଲା । ହେଲେ ସଞ୍ଜୟ ସିଂହ ଜେଲରୁ ମୁକୁଳିବା ପରେ ଆପ୍ ଶିବିରରେ ଖୁସିର ଲହରୀ ଖେଳିଯାଇଛି । କେଜ୍ରିୱାଲଙ୍କ ସହ ଅନ୍ୟ ଆପ୍ ନେତା ମଧ୍ୟ ଶୀଘ୍ର ଜେଲରୁ ବାହାରିବେ ବୋଲି ଦଳ ଆଶାବ୍ୟକ୍ତ କରିଛି ।

Comments are closed.