ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ବରଗଡ଼ ଜିଲ୍ଲା ନିର୍ବାଚନ ସମୀକ୍ଷା

ବରଗଡ଼: ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ବରଗଡ଼ ଗସ୍ତକରି ପଦ୍ମପୁର, ବିଜେପୁର, ବରଗଡ଼, ଅତାବିରା, ଭଟଲି ବିଧାନସଭା ଏବଂ ବରଗଡ଼ ସଂସଦୀୟ କ୍ଷେତ୍ରର ନିର୍ବାଚନ ପ୍ରସ୍ତୁତି ସମୀକ୍ଷା କରିଛନ୍ତି । ସ୍ଥାନୀୟ ପଂଚାୟତ କଲେଜ ସ୍ଥିତ ଭୋଟ ଗଣନା କେନ୍ଦ୍ର ପରିଦର୍ଶନ କରିବା ପରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଆଦିତ୍ୟ ଗୋୟଲ, ଆରକ୍ଷୀ ଅଧିକ୍ଷକ ପି.ସହାୟି ମିଶ୍ର, ସମସ୍ତ ରିଟର୍ଣ୍ଣି ଅଧିକାରୀ, ସହକାରୀ ରିଟର୍ଣ୍ଣି ଅଧିକାରୀ ତଥା ତହସିଲଦାର, ବିଡ଼ିଓ ଓ ଜିଲ୍ଲା ସ୍ତରୀୟ ନୋଡାଲ ଅଧିକାରୀଙ୍କୁ ନିର୍ବାଚନ ପ୍ରସ୍ତୁତି ନେଇ ସମୀକ୍ଷା କରିଥିଲେ I

ବୈଠକର ପ୍ରଥମ ସଂପାନରେ ମୁଖ୍ୟ ନିର୍ବାଚନ ଅଧିକାରୀ ପାଞ୍ଚୋଟି ବିଧାନସଭା ଏବଂ ଗୋଟିଏ ଲୋକ ସଭା କ୍ଷେତ୍ର ଦାୟିତ୍ୱରେ ଥିବା ସମସ୍ତ ଅଧିକାରୀଙ୍କୁ ଗ୍ରୀଷ୍ମ ପ୍ରବାହ ଏବଂ କାଳ ବୈଶାଖୀ ସମୟରେ ମତଦାନର ପ୍ରସ୍ତୁତିର ସମୀକ୍ଷା କରିବା ସହିତ ଜିରୋ କାଜୁଆଲିଟି ପାଇଁ ସମସ୍ତ ମତଦାନ କେନ୍ଦ୍ରରେ ପାନୀୟ ଜଳ, ଛାଇ ବ୍ୟବସ୍ଥା , ଦିବ୍ୟାଙ୍ଗ ଏବଂ ବୃଦ୍ଧ ଭୋଟରଙ୍କ ପାଇଁ ହୁଇଲ ଚେୟାର ଓ ଭୋଟର ସହାୟତା କେନ୍ଦ୍ର କରିବାକୁ ନିର୍ଦେଶ ଦେଇଥିଲେ I ପ୍ରତି ଭୋଟ ମୂଲ୍ୟବାନ ତେଣୁ ମତଦାନରେ ନିୟୋଜିତ ପୋଲିସ ଏବଂ ଅନ୍ୟାନ୍ୟ ସରକାରୀ କର୍ମଚାରୀଙ୍କ ନିମନ୍ତେ ପୋଷ୍ଟାଲ ଭୋଟର ବ୍ୟବସ୍ତା କରିବା ପାଇଁ ନିର୍ଦେଶ ଦେଇଥିଲେ I ଆଦର୍ଶ ବୁଥ ବିଷୟରେ ଆଲୋଚନା କରି ମୁଖ୍ୟ ନିର୍ବାଚନ ଅଧିକାରୀ ସଖି ବୁଥରେ ମହିଳା ପୋଲିଂ ଟିମର ସୁରକ୍ଷା ଏବଂ ସେମାନଙ୍କ ନିମନ୍ତେ ଆନୁସଙ୍ଗିକ ବ୍ୟବସ୍ଥାକୁ ଗୁରୁତ୍ୱ ଦେବା ସହ ରାଜନୈତିକ ଦଳ ସହିତ ଆଲୋଚନା କରି ମହିଳା ପୋଲିଂ ଏଜେଣ୍ଟ ନିୟୋଜନ କରିବା ପାଇଁ କହିଥିଲେ । ନିର୍ବାଚନ କାର୍ଯ୍ୟରେ କୌଣସି ଅନିୟମିତତା କିମ୍ବା ଦୁର୍ନୀତି ପ୍ରତି ନିର୍ବାଚନ ଆୟୋଗର ଆଭିମୁଖ୍ୟ ଉଲ୍ଲେଖ କରିବା ସହିତ ଆଦର୍ଶ ଅଚରଣବିଧି ଅନୁପାଳନ କରି ମୁକ୍ତ ଏବଂ ନିରପେକ୍ଷ ମତଦାନ ନିମନ୍ତେ କାର୍ଯ୍ୟକରିବାକୁ ନିର୍ଦେଶ ଦେଇଥିଲେ I

ବୈଠକର ଦ୍ଵିତୀୟ ସଂପାନରେ ଉତ୍ତରାଞ୍ଚଳ ଆଇଜି ହିମାଂଶୁ କୁମାର ଲାଲ ମତଦାନ ସମୟରେ ସମସ୍ତ ବିଭାଗର ସମନ୍ୱୟ ରଖି ଏକ ଇଣ୍ଟିଗ୍ରେଟେଡ୍ କଣ୍ଟ୍ରୋଲ୍ ରୁମ୍ ର ଵ୍ୟଵସ୍ଥା କରିବା ସହ ଉଭୟ ମତଦାତା ଏବଂ ପୋଲିଂ ପାର୍ଟିର ସୁରକ୍ଷା ପାଇଁ ପେଟ୍ରୋଲିଂ, କମ୍ବିଙ୍ଗ ଅପରେସନ ଏବଂ ଫ୍ଲାଗମାର୍ଚ୍ଚ ତ୍ୱରାନ୍ୱିତ କରିବାକୁ କହିଥିଲେ I ମାଦକ ଦ୍ରବ୍ୟ ଏବଂ ପଇସା ବଣ୍ଟନକୁ ରୋକିବା ପାଇଁ ରାଜ୍ୟ ଏବଂ ଜିଲ୍ଲା ସୀମାରେ କଡାକଡି ଯାଞ୍ଚ କରିବାକୁ କହିଥିଲେ I

ବୈଠକରେ ଉତ୍ତରାଞ୍ଚଳ ଆରଡ଼ିସି ଶ୍ରୀକାନ୍ତ ପୃଷ୍ଠି ସମସ୍ତ ଅଧିକାରୀ ଆଦର୍ଶ ଆଚରଣବିଧିକୁ ଅନୁପାଳନ କରି ନିୟମାନୁସାରେ କାର୍ଯ୍ୟ କରିବାକୁ ନିର୍ଦେଶ ଦେଇଥିଲେ।

Comments are closed.