ମନୀଷ ଅନୁରାଗ ହତ୍ୟା ମାମଲାରେ ତିନି ଅଭିଯୁକ୍ତ ଗିରଫ

ଭୁବନେଶ୍ୱର – ରାଜଧାନୀର ବହୁଚର୍ଚ୍ଚିତ ମନୀଷ ଅନୁରାଗ ମୃତ୍ୟୁ ମାମଲାରେ ୩ ଜଣଙ୍କୁ ଗିରଫ କରାଯାଇଛି । ହତ୍ୟା, ଷଡଯନ୍ତ୍ର ଓ ପ୍ରମାଣ ନଷ୍ଟ ଅଭିଯୋଗରେ ତିନି ଜଣଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ସେମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇପାରେ । ଅଟକ ଥିବା ଅନ୍ୟ ଜଣେ ସନ୍ଦିଗ୍ଧକୁ ପ୍ରମାଣ ଅଭାବରୁ ଛାଡି ଦିଆଯାଇଛି । ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗଙ୍କ ମୃତଦେହ ପାତ୍ରପଡାର ଏକ ପୋଖରୀରୁ ମିଳିଥିଲା । ତାଙ୍କ ପୁଅକୁ ହତ୍ୟା କରାଯାଇଛି ବୋଲି ଅଭିଯୋଗ ଆଣିଥିଲେ ବାପା ନବୀନ ଦାସ । ତାଙ୍କ ସାଙ୍ଗସାଥୀମାନେ ତାଙ୍କୁ ଘରୁ ଡାକି ନେଇ ହତ୍ୟା କରିଛନ୍ତି ବୋଲି ସେ ଅଭିଯୋଗ କରିଥିଲେ । ପୋଲିସ ମନୀଷ ଶେଷଥର ପାଇଁ ଦେଖାଯାଇଥିବା ହୋଟେଲ୍ ସାଉଥ ସିଟିର ସିସିଟିଭି ଫୁଟେଜ୍ ଓ କିଛି କର୍ମଚାରୀଙ୍କୁ ଅଟକ ରଖି ପଚରାଉଚରା କରିଥିଲା । ପ୍ରାଥମିକ ପୋଷ୍ଟମର୍ଟମ ରିପୋର୍ଟରୁ ମନୀଷଙ୍କ ମୃତ୍ୟୁ ଶ୍ୱାସରୁଦ୍ଧ ଯୋଗୁଁ ହୋଇଥିଲା ବୋଲି ଜଣାପଡିଥିଲା । ପୋଲିସ ତଦନ୍ତ ଚାଲିଥିବା ବେଳେ ତିନିଜଣ ସନ୍ଦିଗ୍ଧ କନ୍ଧମାଳ ଜିଲ୍ଲା ସ୍ପେଶାଲ୍ ପୋଲିସ ସ୍କ୍ୱାଡ୍ ଆଗରେ ଆତ୍ମସମର୍ପଣ କରିଥିଲେ । ସମସ୍ତ ଚାରି ଅଭିଯୁକ୍ତଙ୍କୁ ପଚରାଉଚରା କରିଥିଲା ପୋଲିସ ।

Comments are closed.