ରାଜ୍ୟରେ ଦ୍ଵିତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ ଶେଷ, ୩୦୫ ପ୍ରାର୍ଥୀଙ୍କ ରାଜନୈତିକ ଭାଗ୍ୟ ଇଭିଏମରେ ସିଲ୍ 

ଭୁବନେଶ୍ୱର – ରାଜ୍ୟରେ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ ପ୍ରାୟତଃ ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଛି। ଏହି ପର୍ଯ୍ୟାୟରେ ମଧ୍ୟ ମତଦାନ ହାର ଅଧିକ ରହିବା ଆଶା କରାଯାଉଛି। ସଂଧ୍ୟା ୫ଟା ସୁଦ୍ଧା ରାଜ୍ୟରେ ମତଦାନ ହାର ୬୦ ଦଶମିକ ୫୫ ପ୍ରତିଶତ ଥିଲା । ଏହି ସଂଖ୍ୟା ଆହୁରି ବଢିବ ବୋଲି ଆଶା କରାଯାଉଛି। ସୂଚନାଯୋଗ୍ୟ ଯେ, ପ୍ରଥମ ପର୍ଯ୍ୟାୟରେ ରାଜ୍ୟରେ ବମ୍ପର ଭୋଟିଂ ହୋଇଥିଲା । ୭୪ ପ୍ରତିଶତରୁ ଅଧିକ ମତଦାନ ରେକର୍ଡ କରାଯାଇଥିଲା ।

ଆଜି ଦ୍ୱିତୀୟ ପର୍ଯ୍ୟାୟରେ ରାଜ୍ୟରେ ୫ ଲୋକସଭା ଆସନ ଓ ୩୫ ବିଧାନସଭା ଆସନରେ ଭୋଟ୍ ଗ୍ରହଣ ହୋଇଛି। ୪୦ ଲୋକସଭା ଓ ୨୬୫ ବିଧାନସଭା ପ୍ରାର୍ଥୀଙ୍କ ରାଜନୈତିକ ଭାଗ୍ୟ ଇଭିଏମରେ ସିଲ୍ ହୋଇଯାଇଛି। ଆଜି ଆସ୍କା, କନ୍ଧମାଳ, ବଲାଙ୍ଗୀର, ବରଗଡ଼ ଓ ସୁନ୍ଦରଗଡ଼ ଲୋକସଭା ଆସନରେ ମତଦାନ ହୋଇଛି। ଏସବୁ ଲୋକସଭା ଆସନ ଅଧୀନସ୍ଥ ୩୫ ବିଧାନସଭା ଆସନରେ ଭୋଟ୍ ଗ୍ରହଣ ହୋଇଛି।

ଦ୍ବିତୀୟ ପର୍ଯ୍ୟାୟରେ ପ୍ରମୁଖ ପ୍ରାର୍ଥୀମାନେ ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ( ହିଞ୍ଜିଳି ଓ କଣ୍ଟାବାଞ୍ଜି ) , ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ (ସୁନ୍ଦରଗଡ଼ ଲୋକସଭା ଆସନ) ଦିଲୀପ ତିର୍କୀ ( ସୁନ୍ଦରଗଡ଼ ଲୋକସଭା ଆସନ),

କନ୍ଧମାଳ ଲୋକସଭା ଆସନରୁ ଡକ୍ଟର ଅଚ୍ୟୁତ ସାମନ୍ତ, ସୋନପୁର ଆସନରୁ ନିରଞ୍ଜନ ପୂଜାରୀ, ରାଉରକେଲାରୁ ଦିଲୀପ ରାୟ ଓ ସାରଦା ନାୟକ, ବରଗଡ଼ ଲୋକସଭା ଆସନ‌ରୁ ପ୍ରଦୀପ ପୁରୋହିତ, ଟିଟିଲାଗଡ଼ ବିଧାନସଭା ଆସନରୁ ଟୁକୁନି ସାହୁ, ଭଞ୍ଜନଗର ଆସନରୁ ବିକ୍ରମ କେଶରୀ ଆରୁଖ, ବଲାଙ୍ଗୀର ବିଧାନସଭା ଆସନରୁ କଳିକେଶ ନାରାୟଣ ସିଂହଦେଓ, ସାନଖେମୁଣ୍ଡିରୁ ରମେଶ ଜେନା ।

ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ରାଜ୍ୟର ୪ ଲୋକସଭା ଓ ୨୮ ବିଧାନସଭା ଆସନରେ ମତଦାନ ହୋଇଥିଲା । ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ ଏହିମାସ ୨୫ ଓ ଚତୁର୍ଥ ପର୍ଯ୍ୟାୟ ମତଦାନ ଜୁନ ପହିଲାରେ ହେବ । ଜୁନ ୪ ତାରିଖରେ ହେବ ଭୋଟ୍ ଗଣତି ।

Comments are closed.