ଟି-୨୦ ବିଶ୍ୱକପ: ଭାରତ-ପାକିସ୍ତାନ ମ୍ୟାଚ୍ ବେଳେ ଆତଙ୍କବାଦୀ ଆକ୍ରମଣ ଧମକ, ବଢ଼ିଲା ସୁରକ୍ଷା

ନୂଆଦିଲ୍ଲୀ: ଯେବେ ବି କ୍ରିକେଟ୍ ପଡ଼ିଆରେ ଭାରତ-ପାକିସ୍ତାନ ମୁହାଁମୁହିଁ ହୁଅନ୍ତି, ପ୍ରଶଂସକମାନେ ଏକ ରୋମାଞ୍ଚକର ମ୍ୟାଚ୍ ଆଶା କରନ୍ତି । ଏହି ମୁହୂର୍ତ୍ତକୁ ପ୍ରଶଂସକମାନେ ବ୍ୟଗ୍ରତାର ସହ ଅପେକ୍ଷା କରିଥାନ୍ତି । ଆଗାମୀ ଟି-୨୦ ବିଶ୍ୱକପ ୨୦୨୪ରେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପୁଣି ମୁହାଁମୁହିଁ ହେବେ। ଏହି ‌ହାଇ ଭୋଲଟେଜ ମୁକାବିଲା ଜୁନ୍ ୯ରେ ନ୍ୟୁୟର୍କରେ ଅନୁଷ୍ଠିତ ହେବ। ତେବେ ଏହି ବଡ଼ ମ୍ୟାଚ୍ ବେଳେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା ରହିଛି । ଆଫଗାନିସ୍ତାନ ଏବଂ ପାକିସ୍ତାନରେ ସକ୍ରିୟ ଥିବା ଆତଙ୍କବାଦୀ ସଂଗଠନ ଆଇଏସ୍-ଖୋରାସନ୍ (ଆଇଏସ୍-କେ) ଭାରତ-ପାକିସ୍ତାନ ମ୍ୟାଚ୍ ଉପରେ ଆକ୍ରମଣ କରିବାକୁ ଧମକ ଦେଇଛି।

ଏହି ଆତଙ୍କବାଦୀ ସଂଗଠନ ଏକ ଭିଡିଓ ଜାରି କରି ଆକ୍ରମଣକାରୀଙ୍କୁ ଏହି କାର୍ଯ୍ୟ କରିବାକୁ ଆହ୍ୱାନ କରିଛି। ଏହି ଧମକପୂର୍ଣ୍ଣ ଭିଡ଼ିଓ ପରେ ଆଇସିସି କହିଛି ଯେ ଭାରତ-ପାକିସ୍ତାନ ମ୍ୟାଚ୍ ପାଇଁ ସୁରକ୍ଷା ବୃଦ୍ଧି କରାଯାଇଛି।

ଜୁନ୍ ୯ରେ ନ୍ୟୁୟର୍କର ନାସାଉ କାଉଣ୍ଟି ଆନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଭାରତ-ପାକିସ୍ତାନ ମ୍ୟାଚ୍ ପାଇଁ ଆମେରିକା ସୁରକ୍ଷା ବୃଦ୍ଧି କରିଛି। ଡେଲି ମେଲରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଆଇଏସଆଇଏସ ସଂଗଠନ ଭାରତ-ପାକିସ୍ତାନ ମ୍ୟାଚରେ ଆତଙ୍କବାଦୀ ଆକ୍ରମଣ କରିବ ବୋଲି ଧମକ ଦେଇଛି। ଏହି ପରିପ୍ରେକ୍ଷୀରେ, ବିଶ୍ବକପ୍ ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଜନି ଗ୍ରେଭସ୍ କହିଛନ୍ତି, ଆତଙ୍କବାଦୀ ଧମକ ନେଇ ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ କରାଯାଇଛି। ତେଣୁ ଏହି ମ୍ୟାଚ୍ ପାଇଁ ଖେଳାଳି ଏବଂ ପ୍ରଶଂସକଙ୍କ ପାଇଁ କୌଣସି ବିପଦ ନାହିଁ। ଆମ ଟିମ୍ ଲଗାତାର ସୁରକ୍ଷା ସ୍ଥିତି ମନିଟରିଂ କରୁଛନ୍ତି |

Comments are closed.