ବାହାନଗାରେ କରମଣ୍ଡଳର କରୁଣ ପରିଣତିକୁ ବର୍ଷେ

ଭୁବନେଶ୍ୱର – ଆଜି ଜୁନ୍ ୨ । ବର୍ଷକ ତଳେ ଆଜିର ଦିନରେ ଓଡ଼ିଶାରେ ଘଟିଥିଲା ବଡ଼ ଧରଣର ଓ ଭୟଙ୍କର ଟ୍ରେନ ଦୁର୍ଘଟଣା । ସେଦିନ ଥିଲା ଶୁକ୍ରବାର। ସଂଧ୍ୟା ପ୍ରାୟ ୭ଟାରେ ଖବର ଆସିଲା ଯେ, ବାଲେଶ୍ଵର ଜିଲାର ଏକ ଛୋଟ ଷ୍ଟେସନ ବାହାନଗାରେ ଏକ ଟ୍ରେନ ଦୁର୍ଘଟଣା ଘଟିଛି । ଲୋକପ୍ରିୟ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇଛି ବୋଲି ପ୍ରାରମ୍ଭିକ ସୂଚନା ମିଳିଥିଲା । ରାତି ବଢିବା ସହ ଜଣା ପଡିଥିଲା ଯେ, ଏକ ଛୋଟମୋଟ ଦୁର୍ଘଟଣା ନୁହେଁ , ବରଂ ଏକ ବଡଧରଣର ଓ ଭୟାବହ ଟ୍ରେନ ଦୁର୍ଘଟଣା ଘଟିଛି ।

ବାହାନଗାରେ ଘଟିଥିଲା ଶତାବ୍ଦୀର ବଡ଼ ରେଳ ଦୁର୍ଘଟଣା । ସାମ୍ନାସାମ୍ନି ଧକ୍କା ହୋଇଥିଲା ଦୁଇଟି ଏକ୍ସପ୍ରେସ ଆଉ ଏକ ମାଲବାହୀ ଟ୍ରେନ୍ । ଏହି ଭୟଙ୍କର ଟ୍ରେନ ଟ୍ରାଜେଡିରେ ଚାଲିଯାଇଥିଲା ୨୯୬ ଯାତ୍ରୀଙ୍କ ଜୀବନ । ଓଡିଶା ମାଟିରେ ଘଟିଥିବା ସବୁଠୁ ବଡ଼ ଟ୍ରେନ ଦୁର୍ଘଟଣାରେ ୯୦୦ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ । ସାରା ଦେଶକୁ ଦୋହଲାଇ ଦେଇଥିଲା ବାହାନଗା ଟ୍ରେନ ଦୁର୍ଘଟଣା । ଆଜିକୁ ଠିକ୍ ବର୍ଷେ ପୂରିଛି । ଆଜି ବି ଅନେକଙ୍କ ସ୍ମୃତିରୁ ଲିଭି ନାହିଁ ସେହି ଭୟଙ୍କର ଓ ଛାତି ଥରା ଦୁର୍ଘଟଣା ।

କିଏ ଜାଣିଥିଲା ଯେ, ଶୁକ୍ରବାର ଅନେକଙ୍କ ପାଇଁ ଶେଷ ଶୁକ୍ରବାର ପାଲଟିଯିବ! ବାଲେଶ୍ୱରର ବାହାନଗାଠାରେ ଘଟିଲା ଦେଶର ସବୁଠୁ ବଡ଼ ଟ୍ରେନ୍ ଦୁର୍ଘଟଣା। କିଏ ଟ୍ରେନ୍ ଚକ ତଳେ ରହିଗଲା, କିଏ ବଗିରେ ଚାପି ହୋଇଯାଇଥିଲା ତ ଆଉ କିଏ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ବଗି ଭିତରେ ହିଁ ଶବ ପାଲଟିଗଲା । ବାହାନଗାରେ ମୁହାଁମୁହିଁ ଧକ୍କା ହୋଇଥିଲା କରମଣ୍ଡଳ ଏକ୍ସପ୍ରେସ ସହ ବେଙ୍ଗାଲୁରୁ-ହାୱାଡା ସୁପରଫାଷ୍ଟ ଏକ୍ସପ୍ରେସ୍ । ବଢ଼ି ଚାଲିଲା ମୃତ୍ୟୁ ସଂଖ୍ୟା । ହୃଦୟ ବିଦାରକ ଦୃଶ୍ୟ ରାତିର ନୀରବ ତାକୁ ଭଙ୍ଗ କରିଥିଲା । ଅନ୍ଧାର ଭିତରେ ଆରମ୍ଭ ହୋଇଥିଲା ବଡ଼ ଧରଣର ଉଦ୍ଧାର ଅଭିଯାନ। କିଏ ଜୀବନ ପାଇଁ ବିକଳ ହୋଇଯାଉଥାଏ ତ କିଏ ପରିବାର ପାଇଁ ନେହୁରା ହେଉଥିଲା ।
ଦୁର୍ଘଟଣା ଖବର ଖେଳିଯିବା ପରେ ଏକାଠି ଆଗେଇ ଆସିଥିଲେ ବାହାନଗା ବାସୀ । ମାନବିକତାର ଅପୂର୍ବ ଉଦାହରଣ ଦେଖାଇ ଆହତଙ୍କୁ ଉଦ୍ଧାର କରିଥିଲେ ଏବଂ ଯିଏ ଯେଉଁଥିରେ ପାରିଲା ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିବା ସହ ସହାୟତାର ହାତ ବଢ଼ାଇଥିଲେ । ଏପରିକି ରାତିସାରା ହସ୍ପିଟାଲ ବାହାରେ ଆହତଙ୍କୁ ରକ୍ତଦାନ କରିବାକୁ ଲମ୍ବା ଲାଇନ୍ ମଧ୍ୟ ଲଗାଇଥିଲେ ସ୍ଥାନୀୟ ଲୋକେ ।

ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ବଢିଚାଲିଥିଲା । ବ୍ୟାପକ ଓ ଯୁଦ୍ଧ କାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ପାଇଁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୩ଟି ଏନଡିଆରଏଫ୍ ଟିମ୍, ୪ଟି ଓଡ୍ରାଫ୍, ୧୫ରୁ ଅଧିକ ଅଗ୍ନିଶମବାହିନୀ. ୧୦୦ ଡାକ୍ତରୀ ଦଳ, ୨୦୦ ଆମ୍ବୁଲାନ୍ସ ଏବଂ ୨୦୦ ଜଣ ପୋଲିସ କର୍ମଚାରୀ ଏହି ବିଶାଳ ଉଦ୍ଧାର ଅପରେସନରେ ନିୟୋଜିତ ଥିଲେ ।

ରାଜ୍ୟ ସରକାର, କେନ୍ଦ୍ର ସରକାର ଏବଂ ସ୍ଥାନୀୟ ଲୋକଙ୍କ ସହାୟତା ଫଳରେ ଅନେକଙ୍କ ଜୀବନ ବଞ୍ଚିଯାଇଛି । ସିଗନାଲ ତ୍ରୁଟି ଯୋଗୁଁ ଦୁର୍ଘଟଣା ଘଟିଛି ବୋଲି କୁହାଗଲା । ପାଖାପାଖି ୩୦୦ ଜଣ ଯାତ୍ରୀଙ୍କ ଜୀବନ ଗଲା ଓ ଅନେକ ଆହତ ସାରା ଜୀବନ ପାଇଁ ଅକାମୀ ହୋଇଗଲେ । ସିବିଆଇ ତଦନ୍ତରେ ରେଳବାଇର ୩ ଜଣ କର୍ମଚାରୀଙ୍କୁ ଗିରଫ କରାଗଲା ।

Comments are closed.