କନ୍ଧମାଳ ଜିଲ୍ଲାର ୨ଟି ସ୍ଥାନରେ ଭୋଟ ଗଣତି, ସୁରକ୍ଷା କଡ଼ାକଡ଼ି

ଫୁଲବାଣୀ: ଆସନ୍ତାକାଲି ଭୋଟ ଗଣତି ପାଇଁ କନ୍ଧମାଳ ଜିଲ୍ଲା ଓ ପୋଲିସ ପ୍ରଶାସନ ସମସ୍ତ ପ୍ରସ୍ତୁତି କରିଛି। କନ୍ଧମାଳ ଲୋକସଭା ଆସନ ଓ ଫୁଲବାଣୀ ବିଧାନସଭା ଆସନ ପାଇଁ ଫୁଲବାଣୀ ପଲିଟେକନିକ ଠାରେ ଗଣତି କରାଯିବ। ବାଲିଗୁଡା ବିଧାନସଭା ଆସନ ପାଇଁ ବାଲିଗୁଡା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ଓ ଜି.ଉଦୟଗିରି ପାଇଁ ବାଲିଗୁଡା ଆଦିବାସୀ ମହାବିଦ୍ୟାଳୟରେ ଗଣତି କରାଯିବ। ଫୁଲବାଣୀ ଠାରେ ସୁରୁଖୁରୁରେ ଗଣତି ପାଇଁ ୧୨୨ ଜଣ ଓ ୧୭୮ ଜଣ ଆନୁସଙ୍ଗିକ ବ୍ୟବସ୍ଥା ଅନୁଧ୍ୟାନ କରିବେ। ଫୁଲବାଣୀ ବିଧାନସଭା ଆସନ ପାଇଁ ୧୦ଟି ଓ ଲୋକସଭା ଆସନ ପାଇଁ ୧୦ଟି ଟେବୁଲରେ କାଉଣ୍ଟିଂ କରାଯିବ। ଫୁଲବାଣୀର ୨୩୦ଟି ବୁଥ ପାଇଁ ୨୩ ରାଉଣ୍ଡ ଗଣତି ହେବ। ସେହିଭଳି ପୋଷ୍ଟାଲ୍ ବ୍ୟାଲଟ ପାଇଁ ଆଉ ୧୦ଟି ଟେବୁଲ ରହିବ। ଫୁଲବାଣୀ ବିଧାନସଭା ଆସନରେ ଏଥରକ ୧,୪୫,୧୨୪ ଜଣ ମତଦାନ କରିଥିଲେ। ସକାଳ ୮ଟାରୁ ଆରମ୍ଭ ହେବ ଗଣତି। ଏହି ସମୟରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଆବଶ୍ୟକୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି।

ସେପଟେ ବାଲିଗୁଡାରେ ଭୋଟ ଗଣତି ପାଇଁ ଉପଖଣ୍ଡ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ସରିଛି। ଗଣତି ଏଜେଣ୍ଟଙ୍କ ସମ୍ପର୍କରେ ତଥ୍ୟ ଓ କାଗଜପତ୍ର ପ୍ରାର୍ଥୀମାନଙ୍କ ଠାରୁ ସଂଗ୍ରହ କରାଯାଇଛି। ଗଣତି ଦାୟିତ୍ୱରେ ରହିଥିବା ଅଧିକାରୀମାନଙ୍କୁ ଆଗରୁ ତାଲିମ ଦିଆଯାଇଛି। ଗଣତି କେନ୍ଦ୍ର ମଧ୍ୟକୁ ଯିବାକୁ ଥିବା ପାସ୍ ଧାରୀ ବ୍ୟକ୍ତିଙ୍କୁ କଡାକଡ଼ି ଯାଞ୍ଚ କରାଯିବ। ଭୋଟ ଗଣତି ସମୟରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି l କନ୍ଧମାଳ ଜିଲ୍ଲାରେ ଦ୍ୱିତୀୟ ପର୍ଯ୍ୟାୟ ଅର୍ଥାତ ୨୦ ତାରିଖରେ ମତଦାନ ହୋଇଥିଲା। ମତଦାନ ପରେ ଇଭିଏମ୍‌ ଗୁଡିକ ଷ୍ଟଙ୍ଗରୁମରେ ତ୍ରିସ୍ତରୀୟ ସୁରକ୍ଷା ବଳୟ ମଧ୍ୟରେ ରଖାଯାଇଛି । ଷ୍ଟ୍ରଙ୍ଗରୁମ୍ ମଧ୍ଯରେ ସିସି ଟିଭି କ୍ୟାମେରା ଖଞ୍ଜା ହୋଇଛି। ଆସନ୍ତା କାଲି ସବୁ ପ୍ରାର୍ଥୀଙ୍କ ଭାଗ୍ୟ ଫଳ ପ୍ରକାଶ ପାଇବ।

Comments are closed.