ଆଜି ରାଜ୍ୟରେ ନୂଆ ସରକାର, ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ମୋହନ ଚରଣ ମାଝୀ 

ଭୁବନେଶ୍ୱର – ଆଜି ରାଜ୍ୟରେ ଶପଥ ନେବ ବିଜେପି ସରକାର। ନୂଆ ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝୀ ଆଜି ଶପଥ ଗ୍ରହଣ କରିବେ । ଆଜି ଅପରାହ୍ନ ୪ଟା ୫୫ ମିନିଟରେ ଭୁବନେଶ୍ୱରର ଜନତା ମଇଦାନରେ ହେବ ଶପଥ ଗ୍ରହଣ ସମାରୋହ । ରାଜ୍ୟପାଳ ରଘୁବର ଦାସ ନୂଆ ମୁଖ୍ୟମନ୍ତ୍ରୀଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ । ଉପ ମୁଖ୍ୟମନ୍ତ୍ରୀ ଭାବେ କନକ ବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡା ମଧ୍ୟ ଶପଥ ନେବେ । ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପସ୍ଥିତ ରହିବେ । ଶପଥ ଗ୍ରହଣ ସମାରୋହ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

ବିଧାନସଭା ନିର୍ବାଚନରେ ୭୮ଟି ଆସନ ଜିଣି ବିଜେପି ସଂଖ୍ୟାଗରିଷ୍ଠତା ହାସଲ କରିଥିଲା । ହେଲେ ମୁଖ୍ୟମନ୍ତ୍ରୀ ଚୟନ ବିଳମ୍ବିତ ହୋଇଥିଲା । ଗତକାଲି କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ ଓ ଭୂପେନ୍ଦ୍ର ସିଂହ ଭୁବନେଶ୍ୱର ଆସି ନବନିର୍ବାଚିତ ବିଜେପି ବିଧାୟକ ଦଳ ବୈଠକରେ ଯୋଗ ଦେଇଥିଲେ। ବୈଠକ ପରେ ରାଜନାଥ ସିଂହ ମୋହନ ମାଝୀ ସର୍ବସମ୍ମତିକ୍ରମେ ନେତା ନିର୍ବାଚିତ ହୋଇଥିବା ଘୋଷଣା କରିଥିଲେ । ଏଥିସହ ଉପ ମୁଖ୍ୟମନ୍ତ୍ରୀ ଭାବେ କନକବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ାଙ୍କ ନାମ ଘୋଷଣା କରିଥିଲେ ରାଜନାଥ। ପରେ ମୋହନ ମାଝୀ ରାଜଭବନ ଯାଇ ସରକାର ଗଠନ ପାଇଁ ରାଜ୍ୟପାଳଙ୍କଠାରେ ବିଧିବଦ୍ଧ ଦାବି ଉପସ୍ଥାପନ କରିଥିଲେ ।

Comments are closed.