ଆଜି ଗଞ୍ଜାମ ଜିଲ୍ଲାର ୧୫ ବ୍ଲକ୍, ସହରାଞ୍ଚଳରେ ପ୍ରାକୃତିକ ଦୁର୍ବିପାକ ପ୍ରଶମନ ମକଡ୍ରିଲ୍

ଛତ୍ରପୁର: ବିପର୍ଯ୍ୟୟ ଯେକୌଣସି ସମୟରେ ଘଟିପାରେ। ବାତ୍ୟା ହେଉ କି ବନ୍ୟା ଭଳି ପ୍ରାକୃତିକ ଦୁର୍ବିପାକ ଅଥବା ମନୁଷ୍ୟକୃତ ବିପର୍ଯ୍ୟୟ, ତାହାର ମୁକାବିଲା ସକାଶେ ଆଗୁଆ ପ୍ରସ୍ତୁତି ଓ ଅଭ୍ୟାସ ଥିଲେ ହିଁ ଅଧିକରୁ ଅଧିକ ଧନଜୀବନ ସୁରକ୍ଷିତ ରଖିହେବ। ଗଞ୍ଜାମ ଜିଲ୍ଲା କେବଳ ଯେ ଆମ ରାଜ୍ୟ ନୁହେଁ ବରଂ ସାରା ଦେଶରେ ଅନ୍ୟତମ ପ୍ରାକୃତିକ ଦୁର୍ବିପାକପ୍ରଵଣ ଜିଲ୍ଲା ଭାବେ ପରିଗଣିତ ହୁଏ। ବିସ୍ତୀର୍ଣ୍ଣ ବେଳାଭୂମି ଥିବା ହେତୁ ଏଠାରେ ସୁନାମି ଆଶଙ୍କା ମଧ୍ୟ ଲାଗି ରହିଥାଏ। ତେବେ ଜିଲ୍ଲାବାସୀଙ୍କୁ ଏଭଳି ବିପର୍ଯ୍ୟୟର ମୁକାବିଲା ସକାଶେ ଆଗୁଆ ପ୍ରସ୍ତୁତ କରି ରଖିବାକୁ ତଥା ବର୍ଷା ଋତୁରେ ସମ୍ଭାବ୍ୟ ବାତ୍ୟା ଓ ବନ୍ୟା ପରିସ୍ଥିତିର ପ୍ରତିକାର ସକାଶେ ସଜାଗ ରଖିବାକୁ ଯୋଜନା ହୋଇଛି। ମଙ୍ଗଳବାର ଜିଲ୍ଲାରୁ ଆରମ୍ଭ କରି ବ୍ଲକସ୍ତରୀୟ ଓ ପୈ।ରାଞ୍ଚଳସ୍ତରୀୟ ପ୍ରାକ୍ ପ୍ରସ୍ତୁତି ଆଲୋଚନା ବୈଠକରେ ଏ ବାବଦରେ ସମୀକ୍ଷା ହୋଇଥିଲା। ବିପର୍ଯ୍ୟୟର ମୁକାବିଲା ସକାଶେ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା ଉପରେ ଗୁରୁତ୍ୱାରୋପ କରାଯାଇଥିଲା।

ବୁଧବାର ଜିଲ୍ଲାର ସର୍ବାଧିକ ବିପର୍ଯ୍ୟୟ ଆଶଙ୍କା ଥିବା ୧୫ଟି ବ୍ଲକ୍ ଓ ସମସ୍ତ ସହରାଞ୍ଚଳରେ ଏ ସମ୍ପର୍କିତ ମକଡ୍ରିଲ୍ କରାଯିବ। ଦୁର୍ବିପାକ ପ୍ରଶମନ ପୂର୍ବ ପ୍ରସ୍ତୁତି ଦୃଷ୍ଟିରୁ ପ୍ରଶିକ୍ଷଣ (ଟେବୁଲ୍ ଟପ୍ ଏକ୍ସରସାଇଜ୍) ଯେତିକି ଆବଶ୍ୟକ ମକଡ୍ରିଲ୍ ମଧ୍ୟ ସେତିକି ମହତ୍ତ୍ୱପୂର୍ଣ୍ଣ। ଏହା ଜରିଆରେ ଆମ ନିକଟରେ ଏଭଳି ପ୍ରସ୍ତୁତି ସକାଶେ କେତେ ଓ କିଭଳି ଯନ୍ତ୍ରପାତି ରହିଛି, ତାହାର ସଠିକ୍ ତାଲିମ ଓ ବ୍ୟବହାର ଉପରେ ସମସ୍ତଙ୍କ ଧାରଣା ସୃଷ୍ଟି ହୋଇଥାଏ।‌ ଏଭଳି ଅଭ୍ୟାସ ଜରିଆରେ ପ୍ରଶାସନ ନିଜର ବିପର୍ଯ୍ୟୟ ପ୍ରଶମନ ପ୍ରାକ୍ ପ୍ରସ୍ତୁତି ବାବଦରେ ନିଶ୍ଚିତ ହେବା ସହ ଲୋକମାନଙ୍କ ଠାରୁ ଆରମ୍ଭ କରି ଗୃହପାଳିତ ପଶୁଙ୍କ ସୁରକ୍ଷା, ଉଚିତ ସମୟରେ‌ ନିରାପଦ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରଣର ଆଗୁଆ ଅଭ୍ୟାସ କରାଯାଇ ପାରିବ।

ଗଞ୍ଜାମ ଜିଲ୍ଲାରେ ୧୧୦ଟି ସେଲଟର୍ (ଆଶ୍ରୟସ୍ଥଳୀ)ରେ ଏହି ମକଡ୍ରିଲ୍ ହେବ। ଜିଲ୍ଲାରେ ୨୦ଟି ଇଡବ୍ଲ୍ୟୁଡିଏସ୍ ବ୍ୟବସ୍ଥା କରାଯାଇଛି ଯାହାକି ଏଭଳି ବିପର୍ଯ୍ୟୟ ସମୟରେ ଉଚ୍ଚତର ସ୍ଥାନରୁ ସାଇରନ୍ ବଜାଇ ଲୋକଙ୍କୁ ଆଗୁଆ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ସଜାଗ କରାଇଥାଏ ବୋଲି ସୂଚନା ଦିଆଯାଇଥିଲା।

Comments are closed.