ଅଷ୍ଟ୍ରେଲିଆକୁ ହରାଇ ସେମିରେ ଭାରତ

ସେଣ୍ଟ ଲୁସିଆ: ଅଧିନାୟକ ରୋହିତ ଶର୍ମାଙ୍କ ବିସ୍ଫୋରକ ଇନିଂସ୍ ଓ ବୋଲରଙ୍କ ଶୃଙ୍ଖଳିତ ପ୍ରଦର୍ଶନ ସହାୟତାରେ ଭାରତ ସୋମବାର ନିଜ ଶେଷ ସୁପର-୮ ମ୍ୟାଚରେ ଅଷ୍ଟ୍ରେଲିଆକୁ ୨୪ ରନରେ ପରାସ୍ତ କରିଛି। ଏଥିସହ ଭାରତ ଅପରାଜେୟ ରହି ‌ସେମିଫାଇନାଲରେ ପ୍ରବେଶ କରିଛି। ଗତ ସଂସ୍କରଣ (୨୦୨୨) ଭଳି ସେମିଫାଇନାଲରେ ଭାରତ ଡିଫେଣ୍ଡିଂ ଚାମ୍ପିୟନ ଇଂଲଣ୍ଡକୁ ଭେଟିବ ।

ଟସ୍ ହାରି ବ୍ୟାଟିଂ ଆମନ୍ତ୍ରଣ ପାଇବା ପରେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୫ ଓ୍ବିକେଟ୍ ହରାଇ ୨୦୫ ରନ କରିଥିଲା। ଜବାବରେ ଅଷ୍ଟ୍ରେଲିଆ ୨୦ ଓଭରରେ ୭ ଓ୍ବିକେଟ୍ ହରାଇ ୧୮୧ ରନ କରି ପାରିଥିଲା। ପରାଜିତ ହୋଇଥିଲେ ହେଁ ଅଷ୍ଟ୍ରେଲିଆର ଅଭିଯାନ ଶେଷ ହୋଇନାହିଁ। ଏହି ଦଳ ୩ ମ୍ୟାଚରୁ ୨ ପଏଣ୍ଟରେ ରହିଛି। ମଙ୍ଗଳବାର ଆଫଗାନିସ୍ତାନ-ବାଂଲାଦେଶ ମ୍ୟାଚର ଫଳାଫଳ ଅଷ୍ଟ୍ରେଲିଆର ଭାଗ୍ୟ ନିର୍ଦ୍ଧାରଣ କରିବ। ଆଫଗାନିସ୍ତାନ ବିଜୟୀ ହେଲେ ସିଧାସଳଖ ସେମିଫାଇନାଲ ଯିବ। ବାଂଲାଦେଶ ବିଜୟୀ ହେଲେ ୩ଦଳର ପଏଣ୍ଟ ୨ ରହିବ। ଏ କ୍ଷେତ୍ରରେ ନେଟ୍ ରନ୍ ରେଟ୍ ନିର୍ଣ୍ଣାୟକ ଭୂମିକା ନେବ।

ଟସ୍ ହାରି ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଭାରତର ଆରମ୍ଭ ଭଲ ହୋଇ ନ ଥିଲା । ଦ୍ୱିତୀୟ ଓଭରର ୪ର୍ଥ ବଲ୍‌ରେ ବିରାଟ କୋହଲିଙ୍କୁ ଗୋଲ୍ଡେନ ଡକ୍ (୦)ରେ ଆଉଟ କରି ଅଷ୍ଟ୍ରେଲିଆ ଶିବିରରେ ଉତ୍ସାହ ଭରି ଦେଇଥିଲେ ଜୋଶ୍ ହାଜେଲଉଡ୍। ମାତ୍ର ରୋହିତ ଶର୍ମା ଧୂଆଁଧାର ବ୍ୟାଟିଂ କରି ଇନିଂସ୍‌କୁ ଆଗେଇ ନେଇଥିଲେ। ମାତ୍ର ୧୯ ବଲ୍‌ରେ ସେ ଅର୍ଦ୍ଧଶତକ ପୂରଣ କରିଥିଲେ। ଯାହାକି ଚଳିତ ଟି୨୦ ବିଶ୍ଵକପରେ ଦ୍ରୁତତମ ଅର୍ଦ୍ଧଶତକ ଥିଲା । ପାଓାରପ୍ଲେ ୬ ଓଭରରେ ଭାରତ ୬୦ ରନ ସଂଗ୍ରହ କରି ବଡ଼ ସ୍କୋର ପାଇଁ ପଥ ପ୍ରସ୍ତୁତ କରିଥିଲା । ରୋହିତ ଓ ପନ୍ତ ଦ୍ଵିତୀୟ ଓ୍ବିକେଟରେ ୩୮ ବଲ୍‌ରୁ ୮୭ ରନର ଭାଗୀଦାରି ଗଢ଼ିଥିଲେ। ସେଥ‌ିରେ ପନ୍ତଙ୍କ ଅବଦାନଥିଲା ମାତ୍ର ୧୫ ରନ ରୋହିତ ଧୂଆଁଧାର ବ୍ୟାଟିଂ ଜାରି ରଖି ଶତକର ନିକଟତର ହୋଇଥିଲେ। ତେବେ ସେ ୪୧ ବଲ୍‌ରୁ ୭ ଚୌକା ଓ ୮ ଛକା ସହାୟତାରେ ୯୨ ରନ କରିଥିବାବେଳେ ମିଚେଲ ଷ୍ଟାର୍କଙ୍କ ୟର୍କରକୁ ଖେଳିବାକୁ ଯାଇ ବୋଲ୍ଡ ହୋଇ ଯାଇଥିଲେ। ସେ ସୂର୍ଯ୍ୟକୁମାର ଯାଦବଙ୍କ ସହ ତୃତୀୟ ଓ୍ବିକେଟରେ ୨୦ ବଲ୍‌ରୁ ୩୪ ରନର ଭାଗୀଦାରି ଗଢ଼ିଥିଲେ। ସୂର୍ଯ୍ୟକୁମାର ୧୬  ବଲ୍‌ରୁ ୩୧ (୩ ଚୌକା, ୨ ଛକା), ଶିବମ୍ ଦୁବେ ୨୨ ବଲ୍‌ରୁ ୨୮ (୨ ଚୌକା, ୧ ଛକା) ରନକରି ଆଉଟ ହୋଇଥିବାବେଳେ ହାର୍ଦ୍ଦିକ ୧୭ ବଲ୍‌ରୁ ୨୭ (୧ ଚୌକା, ୨ ଛକା) ରନରେ ଅପରାଜିତ ରହିଥିଲେ।

୨୦୬ ରନର ବିଜୟ ଲକ୍ଷ୍ୟ ଜବାବରେ ଅଷ୍ଟ୍ରେଲିଆ ଶୀଘ୍ର ଡେଭିଡ ଓ୍ବାର୍ଣ୍ଣରଙ୍କ ଓ୍ବିକେଟ୍ ହରାଇଥିଲା। ଓ୍ବାର୍ଣ୍ଣର ମାତ୍ର ୬ ରନ୍ କରି ଆଉଟ ହୋଇଥିଲେ ହେଁ ଟ୍ରାଭିସ ହେଡ୍ ଓ ମିଚେଲ ମାର୍ଶ ଦ୍ୱିତୀୟ ଓ୍ବିକେଟରେ ୮୧ ରନ ଯୋଗକରି ଦଳକୁ ଲକ୍ଷ୍ୟ ପଥରେ ଅଗ୍ରସର କରାଇଥିଲେ। ୨୮ ବଲ୍‌ ୩୭ ରନ କରିଥିବା ମାର୍ଶଙ୍କୁ ଆଉଟ କରି ପାର୍ଟନରଶିପ୍ ଭାଙ୍ଗିଥିଲେ କୁଲଦୀପ ଯାଦବ। ହେଡ୍ କ୍ରିଜ୍‌ରେ ଥିବା ପର୍ଯ୍ୟନ୍ତ ଅଷ୍ଟ୍ରେଲିଆ ଆଶା ଉଜ୍ଜୀବିତ ରହିଥିଲା। ମାତ୍ର ୧୭ତମ ଓଭରର ୩ୟ ବଲ୍‌ରେ ନିର୍ଭରଯୋଗ୍ୟ ଯଶପ୍ରୀତ୍ ବୁମ୍‌ରାଙ୍କ ବଲ୍‌ରେ ହେଡ୍‌ଙ୍କ ବିଦାୟ ସହ ଭାରତ ଗେମ୍‌କୁ ପ୍ରତ୍ୟାବର୍ତ୍ତନ କରିଥିଲା। ହେଡ୍ ୪୩ ବଲ୍‌ରୁ ସର୍ବାଧ‌ିକ ୭୬ (୯ ଚୌକା, ୪ ଛକା) ରନ କରିଥିଲେ। ଭାରତ ପକ୍ଷରୁ ଅର୍ଶଦୀପ ସିଂ ୩ଟି, କୁଲଦୀପ ଯାଦବ ୨ଟି ଏବଂ ଯଶପ୍ରୀତ୍ ବୁମ୍‌ରା ଓ ଅକ୍ଷର ପଟେଲ ଗୋଟିଏ ଲେଖାଏ ଓ୍ବିକେଟ୍ ନେଇଥିଲେ।

Comments are closed.