ଟି-୨୦ ବିଶ୍ୱକପ: ସ୍କଟଲାଣ୍ଡକୁ ୮ ୱିକେଟରେ ହରାଇ ସେମି ଆଶା ଉଜ୍ଜୀବିତ କଲା ଭାରତ

ଦୁବାଇ: ଟି-୨୦ ବିଶ୍ୱକପରେ ଭାରତ ଶୁକ୍ରବାର ଏକ ଗୁରୁ୍‌ତ୍ୱପୂର୍ଣ୍ଣ ମ୍ୟାଚରେ ସ୍କଟଲାଣ୍ଡକୁ ୮ ୱିକେଟରେ ହରାଇ ସେମିଫାଇନାଲ ଆଶା ଉଜ୍ଜୀବିତ ରଖିଛି । ଭାରତ ପ୍ରଥମେ ଘାତକ ବୋଲିଂ ପ୍ରଦର୍ଶନ ସହ ସ୍କଟଲାଣ୍ଡକୁ ମାତ୍ର ୮୫ ରନରେ ଅଲଆଉଟ୍ କରିଥିଲା । ହେଲେ ନ୍ୟୁଜିଲାଣ୍ଡ ଓ ଆଫଗାନିସ୍ତାନର ନେଟ୍ ରନ୍ ରେଟକୁ ଟପିବା ପାଇଁ ଭାରତକୁ ଏହି ଲକ୍ଷ୍ୟ ୭.୧ ଓଭରରେ ହାସଲ କରିବା ଜରୁରୀ ଥିଲା । କେଏଲ ରାହୁଲଙ୍କ ବିସ୍ଫୋରକ ଅର୍ଦ୍ଧଶତକ ସହାୟତାରେ ଭାରତ ମାତ୍ର ୬.୩ ଓଭରରେ ବିଜୟଲକ୍ଷ୍ୟ ହାସଲ କରିଥିଲା । ରାହୁଲ ଓ ରୋହିତଙ୍କ ଓପନିଂ ଯୋଡି ଆରମ୍ଭରୁ ସ୍କଟଲାଣ୍ଡ ବୋଲରଙ୍କୁ ନିର୍ଧୁମ ପ୍ରହାର କରିମାତ୍ର ୪.୬ ଓଭରରେ ୭୦ ରନ୍ ଯୋଗ କରିଥିଲେ । ରୋହିତ ମାତ୍ର ୧୬ ବଲରେ ୫ଟି ଚୌକା ଓ ଗୋଟିଏ ଛକା ବଳରେ ୩୦ରନ୍ କରି ଆଉଟ୍ ହୋଇଯାଇଥିଲେ । ହେଲେ ରାହୁଲ କେବଳ ୧୮ ବଲରେ ଅର୍ଦ୍ଧଶତକୀୟ ପାଳି ଖେଳି ଭାରତ ଯେପରି ଧାର୍ଯ୍ୟ ଓଭର ମଧ୍ୟରେ ଲକ୍ଷ୍ୟ ହାସଲ କରିବା ତାହା ନିଶ୍ଚିତ କରିଥିଲେ । ରାହୁଲ ମାତ୍ର ୧୯ ବଲରେ ୬ଟି ଚୌକା ଓ ୩ଟି ଛକା ସହାୟତାରେ ଧୂଆଁଧାର ୫୦ରନ୍ କରିଥିଲେ । ଚଳିତ ବିଶ୍ୱକପରେ ଏହା ଦ୍ରୁତତମ ଅର୍ଦ୍ଧଶତକ ଥିଲା । ବିଜୟ ପାଇଁ ଆଉ ମାତ୍ର ୪ ରନ୍ ଆବଶ୍ୟକ ହେଉଥିବା ବେଳେ ରାହୁଲ ଆଉଟ୍ ହୋଇଥିଲେ । ସୂର୍ଯ୍ୟକୁମାର ଯାଦବ ଏକ ଛକା ମାରି ଔପଚାରିକତା ପୂରଣ କରିଥିଲେ । ସୂର୍ଯ୍ୟକୁମାର ୬ ଓ ବାର୍ଥଡେ ବୟ କୋହଲି ୨ ରନ୍ କରି ଅପରାଜିତ ଥିଲେ । ଜାଡେଜା ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ ।

ଏହି ବିପୁଳ ବିଜୟ ସହ ଭାରତ ସେମିଫାଇନାଲ ଆଶା ଉଜ୍ଜୀବିତ ରଖିଛି । ଭାରତ ଏହି ଦମଦାର ବିଜୟ ସହ ତୃତୀୟକୁ ଉଠିଥିବା ବେଳେ ନେଟ୍ ରନ୍ ରେଟରେ ଆଫଗାନିସ୍ତାନ ଓ ନ୍ୟୁଜିଲାଣ୍ଡକୁ ପଛରେ ପକାଇଛି । ଭାରତର ରନ୍ ରେଟ୍ ଏବେ ୧.୬୧୯ ହୋଇଯାଇଛି । ଅନ୍ୟପକ୍ଷେ ଦ୍ୱିତୀୟ ସ୍ଥାନରେ ଥିବା ନ୍ୟୁଜିଲାଣ୍ଡର ରନ୍ ରେଟ୍ ୧.୨୭୭ ଥିବା ବେଳେ ଚତୁର୍ଥ ସ୍ଥାନରେ ଥିବା ଆଫଗାନିସ୍ତାନର ରନ୍ ରେଟ୍ ୧.୪୮୧ ରହିଛି । ଭାରତ ନିଜ ଶେଷ ଗ୍ରୁପ୍ ମ୍ୟାଚ ନାମିବ୍ୟା ବିପକ୍ଷରେ ଖେଳିବ । ଭାରତକୁ ଏହି ମ୍ୟାଚ୍ ମଧ୍ୟ ବୃହତ ବ୍ୟବଧାନରେ ଜିତିବାକୁ ହେବ । ହେଲେ ନଭେମ୍ବର ୮ରେ ଆଫଗାନିସ୍ତାନ-ନ୍ୟୁଜିଲାଣ୍ଡ ମ୍ୟାଚ ଭାରତର ଭାଗ୍ୟ ନିର୍ଦ୍ଧାରଣ କରିବ । ଏହି ମ୍ୟାଚରେ ନ୍ୟୁଜିଲାଣ୍ଡକୁ ଯଦି ଆଫଗାନିସ୍ତାନ ହରାଏ ଓ ନାମିବ୍ୟା ବିପକ୍ଷରେ ଭାରତ ବଡ ବ୍ୟବଧାନରେ ବିଜୟୀ ହୁଏ ତେବେ କୋହଲିଙ୍କ ଦଳ ସେମିଫାଇନାଲ ଯାଇପାରିବ ।
ପୂର୍ବରୁ ଟିମ୍ ଇଣ୍ଡିଆ କ୍ୟାପଟେନ୍ ତଥା ବର୍ଥ ଡେ’ ବୟ ବିରାଟ କୋହଲି ଟୁର୍ଣ୍ଣାମେଣ୍ଟରେ ପ୍ରଥମ ଥର ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ସ୍କଟଲ୍ୟାଣ୍ଡର କୌଣସି ବ୍ୟାଟ୍ସମ୍ୟାନ୍ ଭାରତୀୟ ବୋଲରଙ୍କୁ ଉଚିତ୍ ସାମ୍ନା କରିପାରିନଥିଲେ। ଓପ୍ନର ଜର୍ଜ ମୁନସେ (୨୪)ଓ ମିଡଲ୍ ଅର୍ଡରରେ ମାଇକେଲ୍ ଲିସ୍କ (୨୧)ଙ୍କୁ ଛାଡ଼ି ଦେଲେ ବାକି ବ୍ୟାଟ୍ସମ୍ୟାନ୍ ନିରାଶ କରିଥିଲେ।

ଭାରତକୁ ଆଜି ପ୍ରଥମ ସଫଳତା ଦେଇଥିଲେ ଯଶପ୍ରୀତ ବୁମ୍ରା। ବୁମ୍ରା ଇନିଂସର ତୃତୀୟ ଓଭରରେ ସ୍କଟଲ୍ୟାଣ୍ଡ କ୍ୟାପଟେନ୍ କୋଏଜର(୧)ଙ୍କୁ କ୍ଲିନ୍ ବୋଲ୍ଡ କରିଥିଲେ। ଏହା ପରେ ମୁନସେଙ୍କୁ ମହମ୍ମଦ ଶାମି ପ୍ୟାଭିଲିୟନ୍ ପଠାଇଥିଲେ। ବାମହାତୀ ସ୍ପିନର ରବୀନ୍ଦ୍ର ଜାଡେଜା ନିଜର ପ୍ରଥମ ଓଭରରେ ଯଥାକ୍ରମେ ରିଚି ବେରିଙ୍ଗଟନ୍ (୦) ମାଥ୍ୟୁ କ୍ରସ୍ (୨)ଙ୍କୁ ଆଉଟ୍ କରି ସ୍କଟଲ୍ୟାଣ୍ଡର ଚତୁର୍ଥ ୱିକେଟ୍‌ ପତନ କରାଇଥିଲେ।

କାଲମ୍ ମ୍ୟାକଲିଅଡ୍ ଓ ମାଇକେଲ୍ ଲିସ୍କ ପାର୍ଟନରଶିପ୍ ଗଢ଼ିବାକୁ ପ୍ରୟାସ କରିଥିଲେ। କିନ୍ତୁ ଏହି ଯୋଡ଼ିକୁ ବି ଭାଙ୍ଗିଥିଲେ ଜାଡେଜା। ଲିସ୍କ ୨୧ ରନ୍ କରି ଜାଡେଜାଙ୍କ ଦ୍ୱାରା ବୋଲ୍ଡ ହୋଇଥିଲେ। ପୂର୍ବ ମ୍ୟାଚରେ କମାଲ୍ କରିଥିବା ରବିଚନ୍ଦ୍ରନ୍ ଅଶ୍ୱିନ ଏକମାତ୍ର ସଫଳତା ଭାବେ କ୍ରିସ୍ ଗ୍ରେଭ୍ସ (୧)ଙ୍କୁ ପ୍ୟାଭିଲିୟନ୍ ପଠାଇଥିଲେ। ମ୍ୟାକଲିଅଡ୍ (୧୬)ଙ୍କୁ ଶାମି ଆଉଟ୍ କରିଥିଲେ। ଏହା ପରେ ସ୍କଟଲ୍ୟାଣ୍ଡ ୪ ରନ୍ ଭିତରେ ୪ ୱିକେଟ୍ ହରାଇ ୮୫ ରନରେ ଅଲଆଉଟ୍ ହୋଇଯାଇଥିଲା। ମାର୍କ ୱାଟ୍ଟ ୧୪ ରନ୍ ବୁମ୍ରାଙ୍କ ଶିକାର ହୋଇଥିଲେ। ଭାରତ ପକ୍ଷରୁ ବୁମ୍ରା ୨ଟି ଓ ଅଶ୍ୱିନ୍ ଗୋଟିଏ ୱିକେଟ୍‌ ନେଇଥିଲେ।

Comments are closed.