ଶ୍ରୀ ମନ୍ଦିରରେ ଷୋଡ଼ଶ ଦିବସବ୍ୟାପୀ ଶାରଦୀୟ ପୂଜା ଆରମ୍ବ ସହିତ ମୂଳାଷ୍ଟମୀ ନୀତି ସମ୍ପର୍ଣ୍ଣ

ଶ୍ରୀ ମନ୍ଦିରରେ  ପାରମ୍ପରିକ ରୀତିରେ ଆରମ୍ଭ ହୋଇଛି ଶାରଦୀୟ ଦୁର୍ଗାପୂଜା ଉତ୍ସବ। କୃଷ୍ଣ ଅଷ୍ଟମୀ ତିଥିର ଅନ୍ୟନାମ ‘ମୂଳାଷ୍ଟମୀ’। ଏହିଦିନ, ଭାଦ୍ରବ ଶୁକ୍ଳ ଅଷ୍ଟମୀଠାରୁ ଶୟନ କରିଥିବା ଦେବୀ ଦୁର୍ଗାଙ୍କର ଶରତ୍କାଳୀନ ଷୋଡ଼ଶ ଦିବସବ୍ୟାପୀ ପୂଜା ଆରମ୍ଭ ହୁଏ। ଏହି ଦୁର୍ଗା ବା ଦେବୀ ଶୟନ ନୀତି ଦେବଶୟନ ନୀତି ପରି ଦୀର୍ଘ ଚାରିମାସ ନୁହେ; କିନ୍ତୁ ଏଥିରେ ମଧ୍ୟ ପାଶ୍ୱର୍ପରିବର୍ତ୍ତନ ନୀତି ଅଛି। ପନ୍ଦର ଦିନର ଏହି ଶୟନ ନୀତିରେ, ଭାଦ୍ରବ ଶୁକ୍ଳ ଅଷ୍ଟମୀଠାରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ ଦେବୀ ଦକ୍ଷିଣ କଡ଼ ମାଡ଼ି ଶୟନ କରନ୍ତି। ଭାଦ୍ରବ ପୂର୍ଣ୍ଣମୀ ଦିନ ତାଙ୍କର ପାଶ୍ୱର୍ପରିବର୍ତ୍ତନ ହୁଏ। ସେହିଦିନଠାରୁ ଆଶ୍ୱିନ କୃଷ୍ଣ ଅଷ୍ଟମୀ ପର୍ଯ୍ୟନ୍ତ, ସେ ବାମ କଡ଼ ମାଡ଼ି ଶୟନ କରନ୍ତି।

ଅଷ୍ଟମୀ ଦିନ ନିଦରୁ ଉଠନ୍ତି। ସେଦିନ ତାଙ୍କର ସହସ୍ରକୁମ୍ଭାଭିଷେକ କରାଯାଇ ଷୋଡ଼ଶ ଦିନବ୍ୟାପୀ ଦୁର୍ଗାପୂଜାର ଆରମ୍ଭ ହୁଏ। ଷୋହଳ ଦିନ ବ୍ୟାପୀ ଏହି ପୂଜା ବ୍ୟତୀତ, ଦେବୀ ଦୁର୍ଗାଙ୍କର ନଅଦିନ, ପାଞ୍ଚଦିନ, ତିନିଦିନ ଓ ଦୁଇଦିନ ବ୍ୟାପୀ ପୂଜାର ବିଧି ମଧ୍ୟ ଅଛି। ଯେଉଁ ବ୍ୟକ୍ତି ଏହିସବୁ ପୂଜାବିଧିରୁ କୌଣସିଟି କରି ନ ପାରନ୍ତି, ତାଙ୍କ ପାଇଁ ଏକଦିନ ପୂଜାର ବିଧି ମଧ୍ୟ ରହିଛି। ସେହି ଏକଦିନ ପୂଜାବିଧି ଆଶ୍ୱିନ ଶୁକ୍ଳ ନବମୀ ଦିନ କରାଯାଇଥାଏ। ଏହି ସମସ୍ତ ପ୍ରକାରର ପୂଜାବିଧି ପରେ, ଆଶ୍ୱିନ ଶୁକ୍ଳପକ୍ଷ ଦଶମୀ ତିଥିର ଏକାଦଶ ମୁହୂର୍ତ୍ତ ବା ପ୍ରଦୋଷ ସମୟରେ, ଅପରାଜିତା ଦଶମୀ ପୂଜା କରାଯାଏ। ଏହା ‘ବିଜୟାଦଶମୀ’ ଭାବରେ ଖ୍ୟାତ। ଦେବୀ ଦୁର୍ଗାଙ୍କର ଷୋଡ଼ଶଦିନ ବ୍ୟାପୀ ପୂଜା ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଏହାର ମୂଳ ତିଥି ହେଉଛି ଆଶ୍ୱିନ କୃଷ୍ଣ ଅଷ୍ଟମୀ। ସେ ସଂପର୍କରେ ଶାସ୍ତ୍ରୋକ୍ତି ଅଛି- “ମୂଳେନାବାହୟେ ଦେବୀମ୍।” ଏହା ସୂଚାଏ, ଏହି ତିଥି ହେଉଛି ଷୋଡ଼ଶ ଦିନ ବ୍ୟାପୀ ଦେବୀ ପୂଜାର ମୂଳ। ସେଥିପାଇଁ ଏହାର ନାମ ମୂଳାଷ୍ଟମୀ। ଶ୍ରୀମନ୍ଦିରରେ ଦେବୀ ବିମଳା ଙ୍କ ପୀଠ ରେ ଯଥାବିଧି ସହସ୍ର କୁମ୍ଭ ବରଣ ସହିତ ଦୁର୍ଗା ମାଧବ ଉପସନା ମୂଳାଷ୍ଟମୀ ଠାରୁ ଆରମ୍ଭ ହୋଇଛି।

Comments are closed, but trackbacks and pingbacks are open.