ମହାରାଷ୍ଟ୍ର: ହିଂସା ପରେ ଅମରାବତୀ ସହରରେ କର୍ଫ୍ୟୁ, ଇଣ୍ଟରନେଟ ବନ୍ଦ

ଅମରାବତୀ: ମହାରାଷ୍ଟ୍ରର ଅମରାବତୀ ସହରରେ ଶନିବାର ଭାରତୀୟ ଜନତା ପାର୍ଟି (ବିଜେପି) ଦ୍ୱାରା ଡ଼ାକରା ଦିଆଯାଇଥିବା ବନ୍ଦ ବେଳେ ହିଂସା ଘଟିଛି । ବିଭିନ୍ନ ସ୍ଥାନରେ ବିକ୍ଷୋଭକାରୀ କିଛି ଦୋକାନ ଉପରକୁ ଟେକା ମାଡ଼ କରିଥିଲେ। ଏହି ଘଟଣା ପରେ ସହରରେ ଚାରି ଦିନ ପାଇଁ କର୍ଫ୍ୟୁ ଲଗାଯାଇଛି । ଏହାସହ ଇଣ୍ଟରନେଟ୍ ସେବା ବନ୍ଦ କରିଦିଆଯାଇଛି |

ତ୍ରିପୁରାରେ ସାମ୍ପ୍ରଦାୟିକ ହିଂସାକୁ ବିରୋଧ କରି ଶୁକ୍ରବାର ଦିନ ଅମରାବତୀ ସହରରେ ମୁସଲିମ ସଂଗଠନ ଦ୍ୱାରା ଆୟୋଜିତ ରାଲିର ବିରୋଧରେ ବିଜେପି ପକ୍ଷରୁ ବନ୍ଦ ଡାକରା ଦିଆଯାଇଥିବା ପୋଲିସ କହିଛି। ଗୁଜବ ପ୍ରଚାରକୁ ରୋକିବା ପାଇଁ ସହରରେ ଇଣ୍ଟରନେଟ୍ ସେବା ତିନି ଦିନ ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ନଗର ପୋଲିସ କମିଶନର ଆରତୀ ସିଂ କହିଛନ୍ତି। ପୂର୍ବରୁ ଲାଗୁ ହୋଇଥିବା କର୍ଫ୍ୟୁ ଚାରି ଦିନ ପର୍ଯ୍ୟନ୍ତ ବଳବତ୍ତର ରହିବ।

ଶନିବାର ପୂର୍ବାହ୍ନରେ ରାଜ୍ୟ ରାଜଧାନୀଠାରୁ ପ୍ରାୟ ୬୭୦ କିଲୋମିଟର ଦୂରରେ ଅବସ୍ଥିତ ଏହି ପୂର୍ବ ମହାରାଷ୍ଟ୍ର ସହରର ରାଜକମଲ ଚୌକ ଅଞ୍ଚଳରେ ଶହ ଶହ ଲୋକ ସ୍ଲୋଗାନ ଦେଇ ରାଲି ବାହାର କରିଥିଲେ। ଏହି ଲୋକଙ୍କ ମଧ୍ୟରେ ଅନେକଙ୍କ ହାତରେ ଗୈରିକ ପତାକା ଥିଲା | ପୋଲିସର ଜଣେ ଅଧିକାରୀ କହିଛନ୍ତି ଯେ ଭିଡ଼ ମଧ୍ୟରୁ କିଛି ଲୋକ ରାଜକାମାଲ ଚୌକ ଅଞ୍ଚଳରେ ଏବଂ ଅନ୍ୟ କେତେକ ସ୍ଥାନରେ ପଥର ଫିଙ୍ଗିଥିଲେ ଏବଂ ଦୋକାନଗୁଡିକୁ ନଷ୍ଟ କରିଥିଲେ। ସେ କହିଛନ୍ତି ଯେ ବିକ୍ଷୋଭକାରୀଙ୍କୁ ହଟାଇବା ପାଇଁ ପୋଲିସ ଲଠି ଚାର୍ଜ କରିଥିଲା ।

ଶୁକ୍ରବାର ଏବଂ ଶନିବାର ଦିନ ଲଗାତାର ପଥର ଫିଙ୍ଗା ଘଟଣାକୁ ଦୃଷ୍ଟିରେ ରଖି କ୍ରାଇମବ୍ରାଞ୍ଚର ଧାରା ୧୪୪ (୧), (୨), (୩) ଅନୁଯାୟୀ କାର୍ଯ୍ୟକାରୀ ପୋଲିସ କମିଶନର ସନ୍ଦୀପ ପାଟିଲ ଅମରାବତୀ ସହରରେ କର୍ଫ୍ୟୁ ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Comments are closed.