ଭାରତକୁ ଏସ୍-୪୦୦ ଏୟାର ଡିଫେନ୍ସ ମିସାଇଲ୍ ଯୋଗାଣ ଆରମ୍ଭ କଲା ରୁଷ୍

ମସ୍କୋ: ରୁଷ୍ ଭାରତକୁ ଏୟାର ଡିଫେନ୍ସ ମିସାଇଲ଼ ଏସ୍-୪୦୦ ଯୋଗାଇବା ଆରମ୍ଭ କରିଛି। ରବିବାର ରୁଷର ସାମରିକ ସହଯୋଗ ଏଜେନ୍ସିର ମୁଖ୍ୟ ଦିମିତ୍ରୀ ଶୁଗାୟେଭଙ୍କ ଏହି ସୂଚନା ଦେଇଛନ୍ତି। ଚୀନ୍ ତରଫରୁ ବିପଦ ଦୃଷ୍ଟିରୁ ଏହି ଏୟାର ଡିଫେନ୍ସ ମିସାଇଲ୍ ସିଷ୍ଟମ ଭାରତୀୟ ପ୍ରତିରକ୍ଷା ପାଇଁ ବେଶ୍ ଗୁରୁତ୍ୱ ବହନ କରୁଛି ।

ରୁଷରୁ ଏୟାର ଡିଫେନ୍ସ ମିସାଇଲ଼ ଏସ୍-୪୦୦ ଯୋଗାଣ ଆରମ୍ଭ ହେବା ସହ ଭାରତ ଏବେ ଆମେରିକା କଟକଣାର ସମ୍ମୁଖୀନ ହୋଇପାରେ । ରୁଷର ସାମରିକ ଉପକରଣ କିଣିବାକୁ ଅନ୍ୟ ରାଷ୍ଟ୍ରମାନଙ୍କୁ ରୋକିବା ପାଇଁ ୨୦୧୭ରେ ଆମେରିକା ଏକ ଆଇନ ଆଣିଥିଲା।

ରବିବାର ଦିନ ଏକ ଏରୋସ୍ପେସ୍ ଶୋ’ରେ ଦିମିତ୍ରୀ ଶୁଗାୟେଭ୍ ଉପସ୍ଥିତ ଥିଲେ। ଶୁଗାୟେଭ୍ କହିଛନ୍ତି ଯେ ପ୍ରଥମ ଦଫା ଏସ୍-୪୦୦ ଏୟାର ମିସାଇଲ୍ ପରିବହନ ଯୋଗାଣ ବର୍ତ୍ତମାନ ଆରମ୍ଭ ହୋଇଛି।

ସେ କହିଛନ୍ତି ଯେ ଏସ୍-୪୦୦ ସିଷ୍ଟମର ପ୍ରଥମ ୟୁନିଟ୍ ଚଳିତ ବର୍ଷ ଶେଷ ସୁଦ୍ଧା ଭାରତରେ ପହଞ୍ଚିବ। ଭୂପୃଷ୍ଠରୁ ଆକାଶକୁ ନିକ୍ଷେପ ହୋଇପାରୁଥିବା ପାଞ୍ଚ କ୍ଷେପଣାସ୍ତ୍ରର ଏହି ସିଷ୍ଟମ କିଣିବା ପାଇଁ ୨୦୧୮ ରେ ରୁଷ୍ ସହ ଭାରତ ୫.୫ ବିଲିୟନ ଡଲାରର ଚୁକ୍ତି କରିଥିଲା ।

ଏହି ଚୁକ୍ତି ସମ୍ପର୍କରେ ଭାରତ କହିଛି ଯେ ଚୀନ୍‌ର ବିପଦକୁ ମୁକାବିଲା କରିବା ପାଇଁ ଏହି ମିସାଇଲ୍ ଜରୁରୀ। ତେବେ ଏଥିପାଇଁ ସିଏଏଟିଏସ୍ଏ ନାମକ ଏକ ନିୟମ ଅନୁଯାୟୀ ଭାରତକୁ ଆମେରିକାର ଅନେକ ଆର୍ଥିକ କଟକଣାର ସାମ୍ନା କରିବାକୁ ପଡିପାରେ।

Comments are closed.