ଦିଲ୍ଲୀ ପ୍ରଦୂଷଣ ମାମଲା: ଲକଡାଉନ୍ ପ୍ରସ୍ତାବ ଉପରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି

ଦିଲ୍ଲୀ: ଦିଲ୍ଲୀ ଏବଂ ଏନସିଆରରେ ପ୍ରଦୂଷଣ ମାମଲା ନେଇ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହେବ। ଆଜି ହେବାକୁ ଥିବା ଶୁଣାଣିରେ ସୁପ୍ରିମକୋର୍ଟ ପ୍ରଦୂଷଣର ମୁକାବିଲା ପାଇଁ ଦିଲ୍ଲୀ ସରକାରଙ୍କୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇପାରନ୍ତି। ଦିଲ୍ଲୀରେ ପ୍ରଦୂଷଣ ବୃଦ୍ଧି ପାଉଥିବାରୁ ଦୁଇ ଦିନ ତଳେ ସୁପ୍ରିମକୋର୍ଟ ଦିଲ୍ଲୀ ସରକାରଙ୍କୁ କଡ଼ା ନିନ୍ଦା କରିଥିଲେ । ଶୁଣାଣି ସମୟରେ ସୁପ୍ରିମକୋର୍ଟ କହିଥିଲେ ଯେ ଯଦି ଆବଶ୍ୟକ ହୁଏ ତେବେ ଜାତୀୟ ରାଜଧାନୀରେ ଦୁଇ ଦିନିଆ ଲକଡାଉନ୍ ଲଗାଯିବା ଉଚିତ ।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଦିଲ୍ଲୀ ସରକାର ଶନିବାର ଏକ ଜରୁରୀ ବୈଠକ ଡାକିଥିଲେ। ବୈଠକ ପରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଥିଲେ ଯେ ସୁପ୍ରିମକୋର୍ଟଙ୍କ ଲକଡାଉନ୍ ପ୍ରସ୍ତାବକୁ ଆମେ କାର୍ଯ୍ୟକାରୀ କରିବାକୁ ବିଚାର କରୁଛୁ । ଏ ସମ୍ପର୍କରେ ଆମେ ନିଜ ନିଷ୍ପତ୍ତି ସୁପ୍ରିମକୋର୍ଟକୁ ଜଣାଇବୁ ।

ପ୍ରଦୂଷଣ ଦୃଷ୍ଟିରୁ କେଜ୍ରିୱାଲ ସରକାର ଆଜିଠାରୁ ନଭେମ୍ବର ୧୭ ପର୍ଯ୍ୟନ୍ତ ସ୍କୁଲ ଏକ ସପ୍ତାହ ପାଇଁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଦିଲ୍ଲୀ ପରେ ହରିୟାଣା ସରକାର ମଧ୍ୟ ଏକ ବଡ ପଦକ୍ଷେପ ନେଇଛନ୍ତି। ନଭେମ୍ବର ୧୭ ପର୍ଯ୍ୟନ୍ତ ଗୁରୁଗ୍ରାମ, ଫରିଦାବାଦ, ସୋନିପତରେ ସବୁ ସ୍କୁଲ୍ ବନ୍ଦ କରିବାକୁ ଖଟ୍ଟର ସରକାର ନିଷ୍ପତ୍ତି ନେଇଛନ୍ତି।

Comments are closed.