ଶ୍ରୀମନ୍ଦିର ଅନନ୍ୟ ପରମ୍ପରାରେ ସ୍ୱୟଂ ଶ୍ରୀଜଗନ୍ନାଥ ମହାପ୍ରଭୁ ନିତ୍ୟ ମାନବୀୟ ଲୀଳା କରୁଛନ୍ତି। ନିଜର ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ମାର୍ଗଶୀର କୃଷ୍ଣ ଚତୁର୍ଦଶୀ , ଅମାବାସ୍ୟା ଓ ଶୁକ୍ଳ ପ୍ରତିପଦା ଏହି ୩ ଦିନ ଦୀପଦାନ କରିଥାନ୍ତି। ଏହି ପିତୃପୁରୁଷଙ୍କ ମଧ୍ୟରେ ଅଦିତି-କଚ୍ଛପ, ଦଶରଥ-କୋଶଲ୍ୟା-କୈକୟୀ-ସୁମିତ୍ରା , ନନ୍ଦ-ଯଶୋଦା , ବସୁଦେବ-ଦେବକୀ ଓ ରାଜା ଇନ୍ଦ୍ରଦ୍ୟୁମ୍ନ- ରାଣୀ ଗୁଣ୍ଡିଚା ଙ୍କ ଉଦେଶ୍ୟରେ ଦୀପଦାନ କରାଯାଇଥାଏ ମାର୍ଗଶୀର କୃଷ୍ଣ ଚତୁର୍ଦଶୀ ଦିନ ଅଦିତି ଓ କଶ୍ୟପଙ୍କ ଉଦ୍ଦେଶ୍ୟରେ, ଅମାବସ୍ୟା ଦିନ ରାଜା ଦଶରଥ, କୌଶଲ୍ୟାଙ୍କ ଉଦ୍ଦେଶ୍ୟରେ, ପ୍ରତିପଦା ଦିନ ବସୁଦେବ, ଦେବକୀ, ନନ୍ଦ, ଯଶୋଦା, ଇନ୍ଦ୍ରଦ୍ୟୁମ୍ନ ଓ ଗୁଣ୍ଡିଚା ଦେବୀଙ୍କ ଉଦ୍ଦେଶ୍ୟରେ ପ୍ରଦୀପ ଉତ୍ସର୍ଗ କରନ୍ତି ।।ଶ୍ରୀଜଗନ୍ନାଥ ମହାପ୍ରଭୁ ସ୍ୱୟଂ ଶ୍ରାଦ୍ଧବେଶରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ତର୍ପଣାଦି କରୁଥିବାରୁ ଏହା “ଦେବ ଦୀପାବଳି” ଓ “ଶ୍ରାଦ୍ଧବେଶ” ନାମରେ ପ୍ରସିଦ୍ଧ ।ପ୍ରଥମ ଦିନରୁ ଦୀପାବଳି ଉତ୍ସବ ଆରମ୍ଭ ହୋଇ ତୃତୀୟ ଓ ଶେଷ ଦିନରେ ଶେଷ ଦୀପାବଳି ଉତ୍ସବ ପାଳନ କରାଯାଏ । ୩ ଦିନ ଧରି ମହାପ୍ରଭୁ ତାଙ୍କ ପିତୃ ପିତାମହ ଆଦିଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ଉତ୍ସର୍ଗ କରନ୍ତି ।
କୃଷ୍ଣ ପକ୍ଷେ ଚତୁର୍ଦ୍ଦଶ୍ୟାଂ ତ୍ରିକାଳର୍ଚ୍ଚାବସାନତଃ ।
ବୃକ୍ଷ ତଣ୍ଡୁଳ କୁଯ୍ୟାତ୍ତନ୍ମଧ୍ୟେ ଘୃତୈଯୁର୍ତାନ ।
ପ୍ରଥମ ଦିବସ – ମହାପ୍ରଭୁ ଅଦିତି ଓ କଶ୍ୟପଙ୍କୁ ଶ୍ରାଦ୍ଧ ଦେଇଥାନ୍ତି । ଅଦିତି ଦକ୍ଷ ପ୍ରଜାପତିଙ୍କ କନ୍ୟା । ମହର୍ଷି କଶ୍ୟପ ଏହାଙ୍କ ସ୍ଵାମୀ । ଇନ୍ଦ୍ରାଦି ଦେବତାମାନେ ଓ ବାମନ ଅବତାରରେ ବିଷ୍ଣୁ ଅଦିତି ଗର୍ଭରୁ ଜନ୍ମ ହୋଇଥିବାରୁ ଅଦିତି-କଶ୍ୟପ ଭଗବାନଙ୍କ ପିତାମାତା । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଏମାନଙ୍କୁ ଶ୍ରାଦ୍ଧ ଦିଅନ୍ତି ।ମାର୍ଗଶୀର କୃଷ୍ଣ ପକ୍ଷ ଚତୁର୍ଦଶୀ ରେ ସନ୍ଧ୍ୟା ଧୂପ ବଢ଼ିବା ପରେ ସୁଧୁସୁଆର ସିଂହାସନ ତଳେ ପାଣି ପକାଇ ସଫା କରିଥାନ୍ତି । ତତ୍ପରେ ପୋଛା ମାରିଥାନ୍ତି। ଏହାପରେ ଭଣ୍ଡାର ମେକାପ ଚାଉଳରେ ଗୋଟିଏ ଗଛ ସିଂହାସନ ତଳେ କରିଥାନ୍ତି। ପାଳିଆ ମେକାପ ବଇଠା ମାନଙ୍କରେ ଘିଅ ଦେଇ ଉକ୍ତ ଚାଉଳ ଗଛ ମାନଙ୍କରେ ବତୀ ଲଗାଇଥାନ୍ତି । ୩ ଗୋଟି ସୁନା ଆଳତି ଲଗାଇବା ପରେ ପୂଜାପଣ୍ଡା ସେବକ ଚାଉଳ ଗଛଗୁଡିକ ସଂସ୍କାର କରି ପାଣି ଛଡ଼ାଇବା ପରେ ପଣ୍ଡା , ପତି ମହାପାତ୍ର , ମୁଦିରସ୍ତ ପ୍ରମୁଖ ସେବକ ତ୍ରୟ ସିଂହାସନ ଉପରକୁ ଉଠି ତିନି ବାଡ଼ରେ ବନ୍ଦାପନା କରିଥାନ୍ତି। ତତ୍ପରେ ୩ ଗୋଟି ମହାଦୀପ ରେ ବନ୍ଦାପନା ହୋଇଥାଏ। ଏହି ସମୟରେ ତିନି ଜଣ ପାଳିଆ ପୂଜାପଣ୍ଡା ଉକ୍ତ ମହାଦୀପ କୁ ହାତରେ ଧରି ଜୟ ବିଜୟ ଦ୍ୱାର ଭିତର ପାଖେ ଆସ୍ଥାନ ପଢ଼ିଆରୀ କରିଥିବା ଚାଉଳ ଗଛକୁ ଜଣେ ପୂଜାପଣ୍ଡା ସଂସ୍କାର କରି ପାଣି ଛଡ଼ାନ୍ତି। ଏ ପରେ ମହାଦୀପ କଳସ ଧରି ପାଳିଆ ଚୁନରା ଙ୍କୁ ପ୍ରଦାନ କରିଥାନ୍ତି। ଚୁନରା ସେବକ ବଡ଼ ଓଡ଼ିଆ ମଠ ପ୍ରଦତ୍ତ ତେଲ , ଘିଅ ନେଇ ଅଁଳା ବେଢ଼ା ଉପରେ ଦୀପମାନ ଜାଳନ୍ତି ଓ ଚନ୍ଦ୍ରଉଡ଼ିଆ ଜାଳି ଗଜପତି ମହାରାଜଙ୍କ ନାମ ଉଚ୍ଚାରଣ ପୂର୍ବକ ତାଙ୍କ ମଙ୍ଗଳ କାମନା କରିଥାନ୍ତି।
ମହାପ୍ରଭୁଙ୍କ ଏହି ଦୀପ ଦାନ ସମୟରେ ଏକ ସ୍ୱତନ୍ତ୍ର ବେଶ ହୋଇଥାଏ । ଏହା ଶ୍ରାଦ୍ଧ ବେଶ ନାମରେ ପରିଚିତ । ପୁଷ୍ପାଳକ ସେବକ ମାନେ ଶ୍ରୀଜୀଉ ମାନଙ୍କୁ ନାଗପୁରୀ ଶାଢ଼ୀ ଚାଦରରେ ଶ୍ରାଦ୍ଧ ବେଶରେ ଭୂଷିତ କରିଥାନ୍ତି। ଏଥିରେ ଶ୍ରୀଜୀଉମାନେ ଧବଳ ବସ୍ତ୍ର ପରିହିତ ହୋଇଥାନ୍ତି। କିନ୍ତୁ ପ୍ରତ୍ୟକ ଠାକୁରଙ୍କ ଲୁଗାର ଧଡି ଗୁଡିକ ଭିନ୍ନ ରଙ୍ଗର ହୋଇଥାଏ।
ପୁଷ୍ପାଳକ ସେବକମାନେ ଠାକୁରମାନଙ୍କୁ ଏହି ଶ୍ରାଦ୍ଧବେଶରେ ନାଗପୁରୀ ଶାଢ଼ି ଚାଦରରେ ଭୂଷିତ କରାଇବା ସହ ଶ୍ରୀବିଗ୍ରହମାନଙ୍କୁ ସାଧାବେଶରେ ସଜ୍ଜିତ କରାଇଥାନ୍ତି ।
ଶ୍ରୀଜଗନ୍ନାଥ : – ସୂତାଶାଢ଼ି (ନାଗପୁରୀ ଶାଢ଼ି) ଲମ୍ବା ୧୬ ହାତ କିମ୍ବା ୧୮ ହାତ, ଧଡ଼ି ଓସାର ଏକ ଫୁଟ ଅଟେ । ଉକ୍ତ ବସ୍ତ୍ରରେ କୁମ୍ଭ ଥାଇ ଧଡ଼ିର ବର୍ଣ୍ଣ ହେଉଛି ହଳଦୀଆ………….
ଶ୍ରୀବଳଭଦ୍ର : – ଲମ୍ବା ୧୪ ହାତ , ଓସାର ୪ ହାତ ,ଧଡ଼ି ଓସାର ୧ ଫୁଟ ,ଉକ୍ତ ବସ୍ତ୍ରର ଧଡ଼ି ବର୍ଣ୍ଣ ହେଉଛି କଳା………
ଶ୍ରୀସୁଭଦ୍ରା : – ଲମ୍ବା ୧୨ ହାତ , ଓସାର ସାଢେ ୩ ଫୁଟ,ଧଡ଼ି ଓସାର ଏକ ଫୁଟ, ଉକ୍ତ ବସ୍ତ୍ର ଧଡ଼ି ବର୍ଣ୍ଣ ହେଉଛି ନାଲି…..
ଏହାବ୍ୟତୀତ ଶ୍ରୀବିଗ୍ରହମାନଙ୍କ କଳେବର ଗୋଟିଏ ଗୋଟିଏ ଚାଦରରେ ମଣ୍ଡନ ହୋଇଥାଏ । ଶିରଦେଶରେ ଶ୍ରୀକାପଡା ବସ୍ତ୍ର (ସୂତା ବସ୍ତ୍ର)ରେ ଆବୃତ କରାଯାଏ । ଚାଦରଟି ଶ୍ରୀଭୁଜରେ ପ୍ରସରି ଥାଏ । ଶ୍ରାଦ୍ଧବେଶରେ ବ୍ୟବହୃତ ହେଉଥିବା ବସ୍ତ୍ରକୁ କାଈଧଡ଼ିଆ (ନାଗପୁରୀ) ଲୁଗା କୁହାଯାଏ । ଏହି ବେଶରେ ଶ୍ରୀଜୀଉମାନେ ତଡକୀ , କୁଣ୍ଡଳ , ନଳି ଭୁଜ , ଚନ୍ଦ୍ର ସୂର୍ଯ୍ୟ , ଆଡ଼କାନି , କମରପଟି , ହରିଡ଼ା ମାଳି ଆଦି ସ୍ବର୍ଣ୍ଣ ଅଳଙ୍କାର ପରିଧାନ କରିଥାନ୍ତି। ଏହି ଦେବ ଦୀପବଳୀ ନୀତି ଉପଲକ୍ଷେ ଶ୍ରୀମନ୍ଦିର ଦୀପମାଳାରେ ସୁସଜିତ ହୋଇଥାଏ।
Comments are closed, but trackbacks and pingbacks are open.