ଏଣିକି ସୂର୍ଯ୍ୟାସ୍ତ ପରେ ମଧ୍ୟ ହେବ ପୋଷ୍ଟମର୍ଟମ, କେନ୍ଦ୍ର ସରକାର ଜାରି କଲେ ନୂଆ ଗାଇଡ ଲାଇନ୍

ନୂଆଦିଲ୍ଲୀ: ପୋଷ୍ଟମର୍ଟମ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଗାଇଡ ଲାଇନରେ ପରିବର୍ତ୍ତନ କରିଛି । ଏଣିକି ସୂର୍ଯ୍ୟାସ୍ତ ପରେ ମଧ୍ୟ ପୋଷ୍ଟମର୍ଟମ କରାଯାଇପାରିବ। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ସୋମବାର ଏନେଇ ଟ୍ବିଟ୍ କରି ସୂଚନା ଦେଇଛନ୍ତି । ଯେଉଁ ହସ୍ପିଟାଲ ଗୁଡ଼ିକରେ ରାତିରେ ପୋଷ୍ଟମର୍ଟମ କରିବାର ସୁବିଧା ରହିଛି, ସେଠାରେ ସୂର୍ଯ୍ୟାସ୍ତ ପରେ ମଧ୍ୟ ପୋଷ୍ଟମର୍ଟମ କରାଯାଇପାରିବ। ବ୍ରିଟିଶ ଅମଳର ବ୍ୟବସ୍ଥା ଶେଷ ହୋଇଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି। ହତ୍ୟା, ଆତ୍ମହତ୍ୟା, ବଳାତ୍କାର, କ୍ଷତବିକ୍ଷତ ଶରୀର ଭଳି ମାମଲାକୁ ଛାଡ଼ି ଆଉସବୁ ପୋଷ୍ଟମର୍ଟମ ସୂର୍ଯ୍ୟାସ୍ତ ପରେ ମଧ୍ୟ କରାଯାଇପାରିବ ।

ନିକଟରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅଧୀନରେ ଥିବା ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶାଳୟର ଏକ ଟେକ୍ନିକାଲ କମିଟି ସୂର୍ଯ୍ୟାସ୍ତ ପରେ ପୋଷ୍ଟମର୍ଟମ ସମ୍ବନ୍ଧରେ ତର୍ଜମା କରିଥିଲା। ବୈଠକରେ ଆଲୋଚନା କରାଯାଇଥିଲା ଯେ କେତେକ ହସ୍ପିଟାଲରେ ରାତି ସମୟରେ ବି ପୋଷ୍ଟମର୍ଟମ କରାଯାଉଛି। ବିଜ୍ଞାନ ଓ ଟେକ୍ନୋଲୋଜିର ଦ୍ରୁତ ଅଗ୍ରଗତି, ବିଶେଷକରି ହସ୍ପିଟାଲ ଗୁଡ଼ିକରେ ପୋଷ୍ଟମର୍ଟମ ପାଇଁ ଆବଶ୍ୟକ ଆଲୋକ ଏବଂ ଆବଶ୍ୟକୀୟ ଭିତ୍ତିଭୂମି ଉପଲବ୍ଧତାକୁ ଦୃଷ୍ଟିରେ ରଖି ରାତିରେ ମଧ୍ୟ ପୋଷ୍ଟମର୍ଟମ ପାଇଁ ଅନୁମତି ଦେବାକୁ ନିଷ୍ପତ୍ତି ହୋଇଥିଲା।

ନୂଆ ପ୍ରୋଟୋକଲରେ କୁହାଯାଇଛି ଯେ ଅଙ୍ଗ ଦାନ ପାଇଁ ପୋଷ୍ଟମର୍ଟମ ଗୁଡିକ ପ୍ରାଥମିକତା ଭିତ୍ତିରେ କରାଯିବା ଜରୁରୀ। ଏବଂ ଯେଉଁ ଡାକ୍ତରଖାନା ଗୁଡ଼ିକର ନିୟମିତ ବ୍ୟବଧାନରେ ଏହିପରି ପୋଷ୍ଟମର୍ଟମ କରିବା ପାଇଁ ଭିତ୍ତିଭୂମି ଅଛି ସେଠାରେ ସୂର୍ଯ୍ୟାସ୍ତ ପରେ ମଧ୍ୟ ଶବ ବ୍ୟବଚ୍ଛେଦ କରାଯିବ। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ କୌଣସି ସନ୍ଦେହ ଦୂର କରିବା ପାଇଁ ବା ଆଇନଗତ ଉଦ୍ଦେଶ୍ୟ ସକାଶେ ରାତିରେ ପୋଷ୍ଟମର୍ଟମ୍ ସମୟର ଭିଡିଓ ରେକର୍ଡିଂ ମଧ୍ୟ କରାଯିବ।

କେଉଁ ମୃତଦେହ ରାତିରେ ପୋଷ୍ଟମର୍ଟମ ହେବ ନାହିଁ ସେନେଇ ମଧ୍ୟ କେନ୍ଦ୍ର ସରକାର ସୂଚନା ଦେଇଛନ୍ତି। ନିଷ୍ପତ୍ତି ଅନୁଯାୟୀ, ଯଦି କୌଣସି ଆଇନ ଶୃଙ୍ଖଳା ପରିସ୍ଥିତି ନଥାଏ, ତେବେ ହତ୍ୟା, ଆତ୍ମହତ୍ୟା, ବଳାତ୍କାର, କ୍ଷତବିକ୍ଷତ ଶରୀର ଭଳି ବର୍ଗରେ ପୋଷ୍ଟମର୍ଟମ ରାତିରେ କରାଯିବ ନାହିଁ। ଏହି ନୂଆ ନିଷ୍ପତ୍ତି ବିଷୟରେ ସରକାର ସମସ୍ତ ସଂପୃକ୍ତ ମନ୍ତ୍ରଣାଳୟ ଏବଂ ବିଭାଗ, ରାଜ୍ୟ ସରକାରଙ୍କୁ ଅବଗତ କରିଛନ୍ତି।

Comments are closed.