ଭାରତ-ନ୍ୟୁଜିଲାଣ୍ଡ ଦ୍ଵିତୀୟ ଟି-୨୦ ଉପରେ ସଙ୍କଟର ବାଦଲ, ସ୍ଥଗିତ ରଖିବାକୁ ହାଇକୋର୍ଟରେ ପିଟିସନ୍

ରାଞ୍ଚି: ନ୍ୟୁଜିଲାଣ୍ଡ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜରେ ଭାରତ ୧-୦ରେ ଆଗୁଆ ରହିଛି। ତେବେ ଶୁକ୍ରବାର ରାଞ୍ଚିରେ ଖେଳାଯିବାକୁ ଥିବା ଦ୍ୱିତୀୟ ଟି-୨୦ ମ୍ୟାଚ୍ ଉପରେ ସଙ୍କଟର ବାଦଲ ଘୂରି ବୁଲୁଛି। ରାଞ୍ଚିରେ ଦ୍ୱିତୀୟ ମ୍ୟାଚ୍ ସ୍ଥଗିତ ରଖିବାକୁ ଅଥବା ଷ୍ଟାଡିୟମର ଅଧା କ୍ଷମତା ସହିତ ମ୍ୟାଚକୁ ଅନୁମତି ଦେବାକୁ ଦାବି କରି ଝାଡଖଣ୍ଡ ହାଇକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଛି। ଶୁକ୍ରବାର ଦିନ ଝାଡଖଣ୍ଡ ରାଜ୍ୟ କ୍ରିକେଟ୍ ଆସୋସିଏସନର ଜେଏସସିଏ ଷ୍ଟାଡିୟମରେ ନ୍ୟୁଜିଲାଣ୍ଡ ଏବଂ ଭାରତ ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚରେ ଦର୍ଶକଙ୍କ ପାଇଁ ୧୦୦ ପ୍ରତିଶତ ସିଟ୍ ଖୋଲିବା ବିରୋଧରେ ଝାଡଖଣ୍ଡ ହାଇକୋର୍ଟର ଓକିଲ ଧୀରଜ କୁମାର ଏକ ଜନସ୍ୱାର୍ଥ ମାମଲା ଦାୟର କରିଛନ୍ତି।

ଶତପ୍ରତିଶତ ଦର୍ଶକ କ୍ଷମତା ସହ କ୍ରିକେଟ୍ ମ୍ୟାଚ୍ ଆୟୋଜନକୁ ଓକିଲ ବିରୋଧ କରିଛନ୍ତି। ସେ କହିଛନ୍ତି ଯେ ଯେତେବେଳେ କରୋନା ସଂକ୍ରମଣକୁ ନେଇ ରାଜ୍ୟର ସବୁ ମନ୍ଦିର, କୋର୍ଟ ଏବଂ ଅନ୍ୟାନ୍ୟ କାର୍ଯ୍ୟାଳୟ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲୁଛି, କେଉଁ ନିୟମ ଅନୁଯାୟୀ ୧୦୦ ପ୍ରତିଶତ କ୍ଷମତା ସହ କ୍ରିକେଟ୍ ଷ୍ଟାଡିୟମ୍ ବ୍ୟବହାର କରିବାକୁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି? ଏହି ଆବେଦନରେ ଆସନ୍ତାକାଲିର ମ୍ୟାଚ୍ ସ୍ଥଗିତ ରଖିବାକୁ କିମ୍ବା ଶତପ୍ରତିଶତ ଷ୍ଟାଡିୟମର ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରାଯାଇଛି।

ଏହି ଆବେଦନ ଉପରେ ଶୀଘ୍ର ଶୁଣାଣି ପାଇଁ ଓକିଲ ଜଣକ କୋର୍ଟଙ୍କୁ ଅନୁରୋଧ କରିଛନ୍ତି ଯାହା ଦ୍ବାରା ଶୀଘ୍ର ଶୁଣାଣି ହୋଇପାରିବ ଏବଂ ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଆଦେଶ ଉପରେ ରୋକ୍ ଲଗାଯାଇ ପାରିବ ।

ଏଠାରେ ଉଲ୍ଲେଖଯୋଗ୍ୟ, ଦୁଇ ଦିନ ପୂର୍ବେ ରାଜ୍ୟ ସରକାର ନ୍ୟୁଜିଲାଣ୍ଡ ଓ ଭାରତ ମଧ୍ୟରେ କ୍ରିକେଟ୍ ମ୍ୟାଚ୍ ପାଇଁ ଷ୍ଟାଡିୟମର ୫୦% ସିଟ୍ ବୁକ୍ କରିବାକୁ ଅନୁମତି ଦେଇଥିଲେ, କିନ୍ତୁ ପରେ ଏହି ନିଷ୍ପତ୍ତି ପ୍ରତ୍ୟାହାର କରାଯାଇଥିଲା । ଏବଂ ଆୟୋଜକମାନଙ୍କୁ ଷ୍ଟାଡିୟମର ସମସ୍ତ ସିଟ୍ ବୁକ୍ କରିବାକୁ ଅନୁମତି ଦିଆଯାଇଥିଲା।

Comments are closed.