ଦ୍ୱିତୀୟ ଟି-୨୦: ରୋହିତ, ରାହୁଲଙ୍କ ଅର୍ଦ୍ଧଶତକ, ଭାରତ ସିରିଜ୍ ବିଜୟୀ

ରାଞ୍ଚି: ବୋଲରଙ୍କ ଶୃଙ୍ଖଳିତ ପ୍ରଦର୍ଶନ ପରେ ଅଧିନାୟକ ରୋହିତ ଶର୍ମା ଓ ଉପଅଧିନାୟକ କେଏଲ୍ ରାହୁଲଙ୍କ ଅର୍ଦ୍ଧଶତକ ଅର୍ଦ୍ଧଶତକ ସହାୟତାରେ ଭାରତ ଶୁକ୍ରବାର ଏଠାରେ ଅନୁଷ୍ଠିତ ଦ୍ୱିତୀୟ ଟି୨୦ରେ ନ୍ୟୁଜିଲାଣ୍ଡକୁ ୭ ୱିକେଟରେ ହରାଇଛି । ଏହି ବିଜୟ ସହ ଭାରତ ଅପରାଜେୟ ୨-୦ରେ ଅଗ୍ରଣୀ ହାସଲ ପୂର୍ବକ ତିନି ମ୍ୟାଚ୍ ବିଶିଷ୍ଟ ସିରିଜକୁ ଆଗୁଆ କବ୍ଜା କରିନେଇଛି ।

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍ ହରାଇ ୧୫୩ ରନ୍ କରିଥିଲା । ଏହାର ଜବାବରେ ଭାରତ ମାତ୍ର ୩ ୱିକେଟ୍ ହରାଇ ୧୭.୨ ଓଭରରେ ବିଜୟଲକ୍ଷ୍ୟ ହାସଲ କରିନେଇଥିଲା । ଭାରତ ପକ୍ଷରୁ ଅଧିନାୟକ ରୋହିତ ଓ ଉପଅଧିନାୟକ ରାହୁଲ ପ୍ରଥମ ୱିକେଟରେ ୧୧୭ ରନ୍ ଯୋଗକରି ଭାରତର ବିଜୟ ସହଜ କରିଦେଇଥିଲେ । ରାହୁଲ ୪୯ ବଲରେ ୬ଟି ଚୌକା ଓ ଗୋଟିଏ ଚୌକା ସହ ୬୫ ରନ୍ କରିଥିବାବେଳେ ରୋହିତ ୩୬ ବଲରେ ଗୋଟିଏ ଚୌକା ଓ ୫ଟି ବିଶାଳ ଛକା ସହ ୫୫ ରନ୍ କରିଥିଲେ । ସୂର୍ଯ୍ୟକୁମାର ଯାଦବ ୧ ରନ୍ କରି ଆଉଟ୍ ହୋଇଥିବା ବେଳେ ରିଷଭ ପନ୍ତ ୬ଟି ବଲରୁ ୧୨ ଓ ଭେଙ୍କଟେଶ ଆୟର ୧୧ ବଲରୁ ୧୨ ରନ୍ କରି ଅପରାଜିତ ରହିଥିଲେ ।

ଜେଏସସିଏ ଅନ୍ତର୍ଜାତୀୟ ଷ୍ଟାଡିୟମ କମ୍ପ୍ଲେକ୍ସରେ ଖେଳାଯାଉଥିବା ଏହି ମ୍ୟାଚରେ ଭାରତ କ୍ୟାପଟେନ୍ ରୋହିତ୍ ଶର୍ମା ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଆମନ୍ତ୍ରଣ ପାଇ ବ୍ୟାଟିଂ କରୁଥିବା ନ୍ୟୁଜିଲ୍ୟାଣ୍ଡ ଦ୍ରୁତ ଆରମ୍ଭ କରିଥିଲା। ଦୁଇ ଓପ୍ନର ମାର୍ଟିନ୍ ଗପ୍ଟିଲ୍ ଓ ଡାରିଏଲ୍ ମିଚେଲ୍ ପ୍ରଥମ ୱିକେଟ ପାଇଁ ୪୮ ରନ୍ ଯୋଡ଼ିଥିଲେ। ଗପ୍ଟିଲ୍ ୧୫ ବଲରେ ୩ ଚୌକା ଓ ୨ ଛକା ସହ ୩୧ ରନ୍ କରି ଦୀପକ ଚହରଙ୍କ ଶିକାର ହୋଇଥିଲେ।

ଗପ୍ଟିଲଙ୍କ ଆଉଟ୍ ପରେ ଦଳର ରନ୍ ହାର ହ୍ରାସ ପାଇଥିଲା। ପ୍ରଥମ ମ୍ୟାଚରେ ଅର୍ଦ୍ଧଶତକ ମାରିଥିବା ମାର୍କ ଚାପମ୍ୟାନ୍ ମାତ୍ର ୨୧ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ। ସେଟ୍ ବ୍ୟାଟ୍ସମ୍ୟାନ୍ ମିଚେଲଙ୍କୁ ଆଉଟ୍ କରି ଡେବ୍ୟୁଟାଣ୍ଟ ହର୍ଷଲ ପଟେଲ ନିଜର ପ୍ରଥମ ଶିକାର ହାସଲ କରିଥିଲେ। ମିଚେଲୋ ୨୮ ବଲରେ ୩ ଚୌକା ସହ ୩୧ ରନ୍ କରିଥିଲେ। ମିଡଲ୍ ଅର୍ଡରରେ ଗ୍ଲେନ୍ ଫିଲିପ୍ସଙ୍କୁ ଛାଡ଼ି ଦେଲେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ସେଭଳି ଆଖିଦୃଶିଆ ସ୍କୋର କରିପାରି ନଥିଲେ।

ଫିଲିପ୍ସ ୩୪ (୨୧ ବଲ, ୧ ଚୌକା, ୩ ଛକା) ରନର ଇନିଂସ୍ ଖେଳି ହର୍ଷଲ ପଟେଲଙ୍କ ଶିକାର ହୋଇଥିଲେ। ୱିକେଟ କିପର ବ୍ୟାଟ୍ସମ୍ୟାନ୍ ଟିମ୍ ସିଫର୍ଟ ୧୩ ରନ୍ କରି ରବିଚନ୍ଦ୍ରନ୍ ଅଶ୍ୱିନଙ୍କ ଦ୍ୱାରା ଆଉଟ୍ ହୋଇଥିଲେ। ଅଲରାଉଣ୍ଡର ଜେମ୍ସ ନିରାଶ ୧୨ ବଲ୍ ଖେଳି ମାତ୍ର ୩ ରନ୍ କରିବାକୁ ସକ୍ଷମ ହୋଇଥିଲେ। ଲଗାତର ୱିକେଟ୍ ପତନ କାରଣରୁ ନ୍ୟୁଜିଲ୍ୟାଣ୍ଡ ଟିମ୍ ୧୫୩ ରନ୍ କରିବାକୁ ସକ୍ଷମ ହୋଇଥିଲା। ଟିମ୍ ଶେଷ ୨୯ ବଲରେ ୨୮ ରନ୍ କରିଥିଲା। ମିଚେଲ୍ ସାଣ୍ଟର ୮ ଓ ଆଡାମ ମିଲନେ ୫ ରନ୍ କରି ଅପରାଜିତ ଥିଲେ। ଭାରତ ପକ୍ଷରୁ ହର୍ଷଲ ପଟେଲ ୨ଟି ୱିକେଟ୍ ନେଇଥିଲେ। ଅଶ୍ୱିନ୍, ଅକ୍ଷର ପଟେଲ, ଭୁବନେଶ୍ୱର କୁମାର ଓ ଦୀପକ ଚହର୍ ଗୋଟିଏ ଲେଖାଏ ସଫଳତା ପାଇଥିଲେ।

Comments are closed.