ବାନ୍ଧ ଓ ଚିତ୍ରକଳାର ଯୁଗଳବନ୍ଦୀ: ୪ ହଜାର ବର୍ଗଫୁଟରେ ଅଙ୍କନ ହେଲା ବାନ୍ଧ କଳା, ୪୨ ଚିତ୍ରଶିଳ୍ପୀଙ୍କୁ ସମ୍ବର୍ଦ୍ଧନା

ସମ୍ବଲପୁର : ଓଡିଶା ଲଳିତ କଳା ଏକାଡେମୀ ଏବଂ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ବାନ୍ଧ କଳା ଏବଂ ଚିତ୍ରକଳାର ଅପୂର୍ବ ଯୁଗଳବନ୍ଦୀ ଦେଖିବାକୁ ମିଳିଛି ସମ୍ବଲପୁର ଧନକଉଡା ବ୍ଲକର କର୍ଡୋଲା ଗାଁରେ । ଦୀର୍ଘ ୪ ଦିନ ଧରି ଚାଲିଥିବା ଏହି ବାନ୍ଧ ଓ ଚିତ୍ରକଳା ଶିବିର ଉଦଯାପିତ ହୋଇଯାଇଛି । ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ତଥା ଓଡ଼ିଶା ଲଳିତ କଳା ଏକାଡେମୀ ସଭାପତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ତତ୍ତ୍ଵାବଧାନରେ ୪୨ଜଣ ଚିତ୍ରଶିଳ୍ପୀ ବାନ୍ଧକଳା ଉପରେ ବୁଣାକାରଙ୍କ ଘର କାନ୍ଥରେ ଚିତ୍ର ଅଙ୍କନ କରିଛନ୍ତି । ଗତକାଲି ଶେଷ ଦିନରେ ଉକ୍ତ ୪୨ ଜଣଙ୍କୁ ନେଇ ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଅପରାହ୍ନ ୪ଟାରେ କାର୍ଯ୍ୟକ୍ରମରେ ଭର୍ଚୁଆଲ୍ ମୋଡ଼ରେ ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ଓଡ଼ିଶା ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗର ରଞ୍ଜନ କୁମାର ଦାଶ ଅଭିଭାଷଣ ପ୍ରଦାନ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଯୋଗ ଦେଇଥିଲେ । ପ୍ରାରମ୍ଭରେ ଏକାଡେମୀର ସମ୍ପାଦକ ପଞ୍ଚାନନ ସାମଲ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପାଳ ଶୁଭମ୍ ସକ୍ସେନା , ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଦିଲୀପ କୁମାର ବଳ , ବିଡ଼ିଓ ବସନ୍ତ କୁମାର ହାତୀ , ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରବୀନ୍ଦ୍ର ରଣା , କମ୍ପ୍ୟୁଟର ପ୍ରୋଗ୍ରାମର ମାନସ ରଞ୍ଜନ ମିଶ୍ର ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ ହୃଷୀକେଶ ବଢ଼େଇ ପ୍ରମୁଖଙ୍କ ସହ କର୍ଡୋଲା ବୁଣାକାର ସଂଘ ସଭାପତି ବଳରାମ ମେହେର ପ୍ରମୁଖ ମଞ୍ଚାସୀନ ଥିଲେ । ୪ ହଜାର ବର୍ଗ ଫୁଟରେ କଟାଯାଇଥିବା ଚିତ୍ରକୁ ଅଧିକାରୀମାନେ ବୁଲି ଦେଖୁଥିଲେ । ଅତିଥିମାନେ ୪୨ଜଣ ଚିତ୍ରଶିଳ୍ପୀଙ୍କୁ ଉପଢୌକନ ଓ ମାନପତ୍ର ଦେଇ ପୁରସ୍କୃତ କରିଥିଲେ । ଲଳିତ କଳା ଏକାଡେମୀ ସଦସ୍ୟ ଶ୍ୟାମସୁନ୍ଦର ମେହେର ଧନ୍ୟବାଦ ଅର୍ପଣ କରିଥିଲେ । ସେହିପରି କଙ୍ଗୋଲା ଗ୍ରାମବାସୀ ଓ ସମସ୍ତ ବୁଣାକାର ପରିବାର ପକ୍ଷରୁ ମଧ୍ୟ ଚିତ୍ରଶିଳ୍ପୀଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ସମସ୍ତ ପ୍ରକାର ସହଯୋଗ କରାଯାଇଥିଲା ।

Comments are closed.