ଭାରତକୁ ବିଜୟରୁ ବଞ୍ଚିତ କଲେ ଡେବୁଟାଣ୍ଟ ରବିନ୍ଦ୍ର, କାନପୁର ଟେଷ୍ଟ ଡ୍ର

କାନପୁର: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ଡ୍ର’ରେ ଶେଷ ହୋଇଛି। କାନପୁରର ଗ୍ରୀନ୍ ପାର୍କ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଟିମ୍ ଇଣ୍ଡିଆ ନ୍ୟୁଜିଲାଣ୍ଡକୁ ୨୮୪ ରନ୍ ଟାର୍ଗେଟ୍ ଦେଇଥିଲା। କିନ୍ତୁ କିୱି ଦଳ ୧୬୫ ରନରେ ୯ ୱିକେଟ୍ ହରାଇ ଏହି ମ୍ୟାଚ୍ ଡ୍ର କରିବାରେ ସଫଳ ହୋଇଥିଲା |

ନ୍ୟୁଜିଲାଣ୍ଡ ଦଳ ପାଇଁ ଏହି ଡ୍ର କୌଣସି ବିଜୟଠାରୁ କମ୍ ନୁହେଁ, କାରଣ ଖେଳର ପଞ୍ଚମ ଦିନରେ ଚା ’ ବିରତି ପରେ ନ୍ୟୁଜିଲାଣ୍ଡ ଯେପରି ନିୟମିତ ଓ୍ବିକେଟ୍ ଖସି ଚାଲିଥିଲା, ସେମାନଙ୍କ ପରାଜୟ ନିଶ୍ଚିତ ବୋଲି ମନେ କରାଯାଉଥିଲା | କିନ୍ତୁ ରାଚିନ୍ ରବିନ୍ଦ୍ର କ୍ରିଜ୍ ଅକ୍ତିଆର କରି ଭାରତର ବିଜୟରେ ବଡ଼ ପ୍ରତିବନ୍ଧକ ସାଜିଥିଲେ । ନିଜ ପଦାର୍ପଣ ଟେଷ୍ଟ ଖେଳୁଥିବା ରବିନ୍ଦ୍ର ୯୧ ବଲରୁ ଅପରାଜିତ ୧୮ ରନ୍ କରିଥିଲେ। ଦଶମ ଉଇକେଟ ପାଇଁ ଏଜାଜ ପଟେଲଙ୍କ ସହ ରବିନ୍ଦ୍ର ୫୨ଟି ବଲ୍ ଧରି କ୍ରିଜରେ ରହି ନିଜ ଦଳକୁ ପରାଜୟରୁ ରକ୍ଷା କରିଥିଲେ ।

ଭାରତ ପାଇଁ ଅଫ୍ ସ୍ପିନର ଆର ଅଶ୍ୱିନ୍ ୩ଟି ଏବଂ ରବିନ୍ଦ୍ର ଜାଡେଜା ୪ଟି ୱିକେଟ୍ ନେଇଥିଲେ। ପ୍ରଥମ ଇନିଂସରେ ୩୪୫ ରନ୍ କରିଥିବା ଭାରତ ଦ୍ୱିତୀୟ ଇନିଂସରେ ୨୩୪/୭ ରନ୍ କରିବା ପରେ ପାଳି ଘୋଷଣା କରିଥିଲା। ପ୍ରଥମ ଇନିଂସରେ ନ୍ୟୁଜିଲାଣ୍ଡ ୨୯୫ ରନ୍ ସଂଗ୍ରହ କରିଥିଲା। ପ୍ରଥମ ଇନିଂସ ଆଧାରରେ ଟିମ୍ ଇଣ୍ଡିଆ ୪୯ ରନ୍ ଅଗ୍ରଣୀ ହାସଲ କରିଥିଲା। ସିରିଜର ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ ଡିସେମ୍ବର ୩ରୁ ମୁମ୍ବାଇରେ ଖେଳାଯିବ |

Comments are closed.