ସପ୍ତାହେ ଘୁଞ୍ଚିପାରେ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ଦକ୍ଷିଣ ଆଫ୍ରିକା ଗସ୍ତ ଏକ ସପ୍ତାହ ଘୁଞ୍ଚିପାରେ | ଦକ୍ଷିଣ ଆଫ୍ରିକାରେ କରୋନାର ଓମିକ୍ରନ୍ ଭାରିଆଣ୍ଟ ବିପଦକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇପାରେ | ବିସିସିଆଇର ଜଣେ ଅଧିକାରୀ ଗୁରୁବାର ଗଣମାଧ୍ୟମକୁ କହିଛନ୍ତି ଯେ ଉଭୟ ବୋର୍ଡ ନିରନ୍ତର ସମ୍ପର୍କରେ ଅଛନ୍ତି ଏବଂ ଖେଳାଳିଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନିଆଯିବ। ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଦକ୍ଷିଣ ଆଫ୍ରିକା ଗସ୍ତ ଡିସେମ୍ବର ୧୭ ରୁ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି।

ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, କୋଭିଡର ଓମିକ୍ରନ୍ ଭାରିଆଣ୍ଟ କାରଣରୁ ଆମେ ଏକ ସପ୍ତାହ ପର୍ଯ୍ୟନ୍ତ ସିରିଜକୁ ଘୁଞ୍ଚାଇବାକୁ ଆଲୋଚନା କରୁଛୁ | ଉଭୟ ବୋର୍ଡ ନିରନ୍ତର ସମ୍ପର୍କରେ ଅଛନ୍ତି ଏବଂ ସବୁ ବିକଳ୍ପ ଉପରେ ଆଲୋଚନା ହେଉଛି | ଆମ ଖେଳାଳିଙ୍କ ସୁରକ୍ଷା ଏବଂ ସ୍ୱାସ୍ଥ୍ୟ ଆମ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ | ଦକ୍ଷିଣ ଆଫ୍ରିକା ଗସ୍ତରେ ଭାରତ ତିନୋଟି ଟେଷ୍ଟ, ତିନୋଟି ଦିନିକିଆ ଏବଂ ୪ ଟି-୨୦ ମ୍ୟାଚ୍ ଖେଳିବା କାର୍ଯ୍ୟକ୍ରମ ରହିଛି | ଏହାପୂର୍ବରୁ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର କହିଥିଲେ ଯେ ଦକ୍ଷିଣ ଆଫ୍ରିକାକୁ କ୍ରିକେଟ୍ ଦଳ ପଠାଇବା ପୂର୍ବରୁ ବିସିସିଆଇ ସରକାରଙ୍କ ସହ ପରାମର୍ଶ କରିବା ଉଚିତ।

ସେ କହିଥିଲେ ଯେ କେବଳ ବିସିସିଆଇ ନୁହେଁ ବରଂ ପ୍ରତ୍ୟେକ ଭାରତୀୟ କ୍ରୀଡ଼ା ସଂଘ ଦକ୍ଷିଣ ଆଫ୍ରିକାକୁ ଦଳ ପଠାଇବା ପୂର୍ବରୁ ଭାରତ ସରକାରଙ୍କ ସହିତ ପରାମର୍ଶ କରିବା ଉଚିତ । ବିପଦ ଥିବା ଦେଶକୁ ଦଳ ପଠାଇବା ଠିକ୍ ନୁହେଁ। ଯଦି ବିସିସିଆଇ ଆମଠାରୁ ପରାମର୍ଶ ନିଏ, ଆମେ ଏହା ଉପରେ ବିଚାର କରିବୁ |

Comments are closed.