ଲୋକେ କ’ଣ ଖାଇବେ ତମେ କିପରି ନିର୍ଣ୍ଣୟ କରିବ? ଆମିଷ ବିକ୍ରି ଉପରେ କଟକଣା ନେଇ ଅହମ୍ମଦାବାଦ ନଗର ନିଗମକୁ ଗୁଜରାଟ ହାଇକୋର୍ଟଙ୍କ ଭର୍ତ୍ସନା

ଅହମ୍ମଦାବାଦ: ରାସ୍ତା କଡ଼ରେ ଆମିଷ ବିକ୍ରୟ ଉପରେ ନିଷେଧାଦେଶ ନେଇ ଗୁଜରାଟ ହାଇକୋର୍ଟ ଅହମ୍ମଦାବାଦ ନଗର ନିଗମକୁ ଭର୍ତ୍ସନା କରିଛନ୍ତି। ଲୋକମାନେ ବାହାରେ କ’ଣ ଖାଇବେ ନ ଖାଇବେ ତାହା ତମେ କିପରି ନିର୍ଣ୍ଣୟ କରିପାରିବ? ଲୋକମାନେ ଯାହା ଖାଇବାକୁ ଚାହୁଁଛନ୍ତି ତାହା ଖାଇବାକୁ ସେମାନଙ୍କୁ ତମେ କିପରି ଅଟକାଇ ପାରିବ ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି । ଏହାସହ ଦୋକାନୀଙ୍କ ଜବତ ଠେଲା ଗାଡ଼ି ଫେରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଅହମ୍ମଦାବାଦ ନଗର ନିଗମର ଏହି ପଦକ୍ଷେପ ବିରୋଧରେ ୨୫ ଆମିଷ ବିକ୍ରେତାଙ୍କ ପିଟିସନ ଉପରେ ଶୁଣାଣି‌ କରି ଜଷ୍ଟିସ ବିରେନ ବୈଷ୍ଣବଙ୍କ ଏକ ଖଣ୍ଡପୀଠ କଡ଼ା ଟିପ୍ପଣୀ କରିଛନ୍ତି। ତୁମର କଣ ଅସୁବିଧା ହେଉଛି ? ତୁମକୁ ଯଦି ଆମିଷ ଭଲ ଲାଗୁନାହିଁ, ତାହା ତୁମର ବ୍ୟକ୍ତିଗତ । ଲୋକମାନେ କ’ଣ ଖାଇବା ଉଚିତ୍ ତାହା ତମେ କିପରି ନିର୍ଣ୍ଣୟ କରିପାରିବ ? କ୍ଷମତାରେ ଥିବାରୁ ତୁମେ ଏହା କରୁଛ କି? କାଲି ତୁମେ ସ୍ଥିର କରିବ ଯେ ମୁଁ ମୋ ଘର ବାହାରେ କଣ ଖାଇବା ଉଚିତ୍? ତମେ କାଲି କହିବ ଯେ ମୁଁ ଆଖୁ ରସ ପିଇବା ଉଚିତ୍ ନୁହେଁ, କାରଣ ଏହା ଦ୍ବାରା ସୁଗର ବଢ଼ିବ କିମ୍ବା କଫି ପିଇବା ଦ୍ବାରା ମୋ ସ୍ୱାସ୍ଥ୍ୟ ଖରାପ ହୋଇପାରେ |

ଗୁଜୁରାଟ ସରକାର ଆମିଷ ଖାଦ୍ୟ ବିକ୍ରୟ ଉପରେ କଟକଣା ଲଗାଇଥିଲେ। ଏହି ନିଷ୍ପତ୍ତି ଅନୁଯାୟୀ ଅହମ୍ମଦାବାଦ ନଗର ନିଗମରେ ରାସ୍ତା କଡ଼ରେ ଆମିଷ ବିକ୍ରି କରୁଥିବା ଠେଲା ଗାଡ଼ି ଓ କେବିନ୍ ଗୁଡ଼ିକୁ ଜବତ କରାଯାଇଥିଲା । ଅହମ୍ମଦାବାଦ ନଗର ନିଗମର ଏହି ପଦକ୍ଷେପ ବିରୋଧରେ ଆମିଷ ବିକ୍ରି କରୁଥିବା ୨୫ ଦୋକାନୀ କୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ।

ଉପଯୁକ୍ତ ପ୍ରକ୍ରିୟା ପାଳନ ନକରି ସେମାନଙ୍କ ଠେଲା, ରନ୍ଧନ ସାମଗ୍ରୀ ଏବଂ ଅନ୍ୟାନ୍ୟ କଞ୍ଚାମାଲ ଜବତ କରିଦିଆଯାଇଛି। ଯଦି ଜଣେ ବ୍ୟକ୍ତି ଅନ୍ୟର ଅଧିକାର ଓ ଦେଶର ନିୟମ ଉଲ୍ଲଂଘନ କରୁନାହାଁନ୍ତି, ତେବେ ସେ କିଛି ବି ବିକ୍ରି କରିପାରିବେ। ଭାରତୀୟ ସମ୍ବିଧାନର ଧାରା ୨୧ ଅନୁଯାୟୀ ସେମାନଙ୍କୁ ଏହି ଅଧିକାର ମିଳିଛି ବୋଲି ଆମିଷ ବିକ୍ରେତାମାନେ ନିଜ ପିଟିସନରେ ଦର୍ଶାଇଥିଲେ ।

ଅହମ୍ମଦାବାଦ ମ୍ୟୁନିସିପାଲିଟି କର୍ପୋରେସନକୁ କୌଣସି ଫେରିବାଲା କିମ୍ବା ବିକ୍ରେତାଙ୍କୁ ରାସ୍ତାରୁ ନ ହଟାଇବାକୁ ଏବଂ ଷ୍ଟ୍ରିଟ ଭେଣ୍ଡର ଆକ୍ଟ ୨୦୧୪ର ନିୟମାବଳୀର ପାଳନ କରିବା ବିନା ରାସ୍ତାକଡ଼ର ବିକ୍ରେତାଙ୍କ କୌଣସି ଗାଡି କିମ୍ବା ଠେଲା ଓ ଅନ୍ୟ ଜିନିଷଗୁଡିକୁ ଜବତ ନ‌କରିବାକୁ ନିର୍ଦ୍ଦେଶ ଦେବାକୁ ପିଟିସନରେ ନିବେଦନ କରାଯାଇଥିଲା ।

Comments are closed.