ଚାରିଧାମ ରାଜପଥ ପ୍ରକଳ୍ପ ଅଧୀନରେ ରାସ୍ତା ପ୍ରଶସ୍ତିକରଣକୁ ସୁପ୍ରିମକୋର୍ଟଙ୍କ ସବୁଜ ସଙ୍କେତ

ନୂଆଦିଲ୍ଲୀ: ସାମରିକ ରଣନୀତି ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଉତ୍ତରାଖଣ୍ଡର ଚାରିଧାମ ରାଜପଥ ପ୍ରକଳ୍ପ ଅଧୀନରେ ସଡ଼କକୁ ଦୁଇ ଲେନ୍ ପ୍ରଶସ୍ତ କରିବାକୁ ସୁପ୍ରିମକୋର୍ଟ ମଙ୍ଗଳବାର ସବୁଜ ସଙ୍କେତ ଦେଇଛନ୍ତି। ଏହା ସହିତ ଅଦାଲତ କହିଛନ୍ତି ଯେ ନିକଟ ଅତୀତରେ ଜାତୀୟ ସୁରକ୍ଷା ପାଇଁ ଗମ୍ଭୀର ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି |

ଜଷ୍ଟିସ୍ ଡିଏ ଚନ୍ଦ୍ରଚୂଡ, ସୂର୍ଯ୍ୟ କାନ୍ତ ଏବଂ ବିକ୍ରମ ସେଠଙ୍କ ଏକ ଖଣ୍ଡପୀଠ କହିଛନ୍ତି ଯେ ନ୍ୟାୟିକ ସମୀକ୍ଷାରେ ସଶସ୍ତ୍ର ବାହିନୀର ଭିତ୍ତିଭୂମି ଆବଶ୍ୟକତାକୁ କୋର୍ଟ ଆକଳନ କରିପାରିବେ ନାହିଁ। ଖଣ୍ଡପୀଠ ଏହା ମଧ୍ୟ କହିଛନ୍ତି ଯେ ଜଷ୍ଟିସ (ଅବସରପ୍ରାପ୍ତ) ଏ.କେ ସିକ୍ରିଙ୍କ ଅଧ୍ୟକ୍ଷତାରେ ଏକ ମନିଟରିଂ କମିଟି ଗଠନ କରୁଛି ଯାହା ଚାରିଧାମ ରାଜପଥ ପ୍ରକଳ୍ପ କାର୍ଯ୍ୟ ସମ୍ପର୍କରେ ସିଧାସଳଖ କୋର୍ଟରେ ରିପୋର୍ଟ କରିବ।

ପ୍ରାୟ ୯୦୦ କିଲୋମିଟର ଲମ୍ବ ଥିବା ଚାରିଧାମ ସଡକ ପ୍ରକଳ୍ପ ସୁରକ୍ଷା ଦୃଷ୍ଟିରୁ ଗୁରୁତ୍ୱ ବହନ କରୁଛି । ଏହି ପ୍ରକଳ୍ପର ବ୍ୟୟ ଅଟକଳ ପ୍ରାୟ ୧୨,୦୦୦ କୋଟି ଟଙ୍କା ଆକଳନ କରାଯାଇଛି। ଏହି ପ୍ରକଳ୍ପଟି ଉତ୍ତରାଖଣ୍ଡର ଚାରୋଟି ପବିତ୍ର ସହର – ଯମୁନେତ୍ରୀ, ଗାଙ୍ଗୋତ୍ରୀ, କେଦାରନାଥ ଏବଂ ବଦ୍ରିନାଥକୁ ସବୁ ଋତୁରେ ସଂଯୋଗ କରିବ ।

ସେପ୍ଟେମ୍ୱର ୮, ୨୦୨୦ ଆଦେଶରେ ପରିବର୍ତ୍ତନ କରିବାକୁ କେନ୍ଦ୍ରର ଆବେଦନ ଉପରେ ସର୍ବୋଚ୍ଚ ନ୍ୟାୟାଳୟ ଶୁଣାଣି କରି ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟକୁ ଚାରିଧାମ ରାଜପଥ ପ୍ରକଳ୍ପର ୨୦୧୮ ସର୍କୁଲାରରେ ଧାର୍ଯ୍ୟ ୫.୫ ମିଟର ଯାଏଁ ସଡ଼କ ପ୍ରଶସ୍ତ କରିବାକୁ କହିଥିଲେ। ଏହି ରାସ୍ତା ଚୀନ୍ (ତିବ୍ଦତ) ର ସୀମା ପର୍ଯ୍ୟନ୍ତ ଯିବ ଏବଂ ଭାରତୀୟ ସେନାକୁ ଜରୁରୀ ସ୍ଥିତିରେ ଅସ୍ତ୍ରଶସ୍ତ୍ର ସ୍ଥାନାନ୍ତର କରିବାକୁ ସହାୟକ‌ ହେବ । |

ହିମାଳୟର ପରିବେଶ ବିପଦରେ ଥିବା ଦର୍ଶାଇ ଆବେଦନକାରୀଙ୍କ ତରଫରୁ ଚାରିଧାମ ପ୍ରକଳ୍ପକୁ କୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା। ଅଦ୍ୟାବଧି ପ୍ରକଳ୍ପର ଅଧା କାର୍ଯ୍ୟ ସମାପ୍ତ ହୋଇଛି | ଆବେଦନକାରୀଙ୍କ ପକ୍ଷରୁ ଏହି ପ୍ରକଳ୍ପ କାର୍ଯ୍ୟ ତୁରନ୍ତ ବନ୍ଦ କରିବାକୁ ନିବେଦନ କରାଯାଇଥିଲା।

Comments are closed.