ଆଜି ମାର୍ଗଶିର ପୂର୍ଣ୍ଣିମା ତଥା ‘ପଣ୍ଡୁ ପୂନେଇଁ ‘, ସନ୍ତାନ କାମନାକରି ମାଆମାନେ ଯମଙ୍କୁ ଆରାଧନା କରିଥାନ୍ତି 

ମାର୍ଗଶିର ପୂର୍ଣ୍ଣିମାକୁ ପଣ୍ଡୁପୂର୍ଣ୍ଣିମା କୁହାଯାଏ । ଏହି ସମୟରେ ହେମନ୍ତ ଋତୁ ସରି, ଶୀତର ଆରମ୍ଭ ହେଉଥାଏ । ସକାଳୁ ସକାଳୁ କୁହୁଡ଼ି ହେତୁ ସର୍ବତ୍ର ଫିକାଧଳା ବା ପାଣ୍ଡୁର ବର୍ଣ୍ଣ ଦିଶୁଥାଏ । ଏଣୁ ଏହି ପୂର୍ଣ୍ଣିମାର ନାଁ ପଣ୍ଡୁ ପୂର୍ଣ୍ଣିମା କୁହାଯାଏ । ବଡ଼ଓଷା ପରି ଏହି ବ୍ରତକୁ ଗଜ ବସାଇ ପାଳନ କରାଯାଏ । ନାରୀମାନେ ଏହି ବ୍ରତ ମାଧ୍ୟମରେ ଯମରାଜଙ୍କୁ ପୂଜା ବା ଉପାସନା କରନ୍ତି । ଏହାର ମୁଖ୍ୟ ଉଦେଶ୍ୟ ହେଉଛି ପୁତ୍ର ସନ୍ତାନ କାମନା । ଏହି ବ୍ରତ ପାଳନରେ ନିର୍ଦ୍ଦିଷ୍ଟ ବିଧି ରହିଛି ।ଏଥିପାଇଁ ଗୃହଚଟାଣକୁ ଗୋବରରେ ଚିକ୍କଣକରି ଲିପାଯାଏ । ଚିତା ଓ ମୁରୁଜ ତହିଁପରେ ପକାଯାଇଥାଏ ।

ଗଜକୁ ସ୍ଥାପନ କରାଯାଏ ଏବଂ ପୂଜନ ବିଶେଷ କରି ପୁରୋହିତଙ୍କ ଦ୍ୱାର ଯମରାଜଙ୍କୁ ଆବାହନ, ପୂଜନ ଏବଂ ନୈବେଦ୍ୟ ଅର୍ପଣ ପୂର୍ବକ ଭକ୍ତି ପ୍ରଣତି ବଢ଼ାଯାଏ ।

ଏହି ପୂଜାର ମୁଖ୍ୟ ଭୋଗ ହେଉଛି ମଣ୍ଡା ପିଠା । ପୂର୍ବ ପ୍ରସ୍ତୁତି ଅନୁଯାୟୀ ନୂଆ ଗୋବରଲିପା ଟୋକେଇ ବା ପାଛିଆ ପୂର୍ଣ୍ଣଧାନ ଆଣି ଢ଼ିଙ୍କିରେ କୁଟି ଚାଉଳ କରାଯାଏ । ଏହି ଚାଉଳକୁ ପୁଣି ଚୁନା କରି ସେଥିରେ ନଡ଼ିଆ ଦେଇ ନଡ଼ିଆ ମଣ୍ଡା କରାଯାଏ ଓ ପୂଜାଭୋଗ କରାଯାଏ ।ଏହାସହିତ ଖଇ, କଦଳୀ, ଫଳ ଏବଂ ଛେନା ଆଦି ଭୋଗ ମଧ୍ୟ ବଢ଼ାଯାଏ । ପଣ୍ଡୁ ଓଷା ଏକ ନିଷ୍ଠାର ବ୍ରତ । ନାରୀ ଜାତି ବିଶେଷକରି ମା’ମାନଙ୍କ ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ । ଲୋକ ଗୀତରେ ଅଛି:-
ଅଇଲା ପଣ୍ଡୁ ମଲେ ମଶା ,
ଫାଟୁଆ ଦେଲେ ମୁରୁକି ହସା ।

ପାଣ୍ଡବମାନଙ୍କ ବଡ଼ ଭାଇ ଯୁଧିଷ୍ଠିରଙ୍କୁ ଏହି ଓଷା ସମର୍ପିତ । ଏହାକୁ ନେଇ ଓଡ଼ିଶାରେ ଏକ ଲୋକପ୍ରିୟ କାହାଣୀ ମଧ୍ୟ ରହିଛି । କଳିଙ୍ଗ ରାଜାଙ୍କର କୌଣସି ସନ୍ତାନ ନଥିଲା । ସେ ଓ ତାଙ୍କ ରାଣୀ ପଣ୍ଡୁ ଓଷା କରିବା ପରେ ତାଙ୍କ ଭାଗ୍ୟ ବଦଳିଥିବା ଶୁଣିବାକୁ ମିଳେ । ମାର୍ଗଶୀର ମାସ ସାରା ମହିଳାମାନେ ପ୍ରତ୍ୟହ ସକାଳୁ ରାସ୍ତା ଝାଡ଼ୁ କରନ୍ତି । ପଣ୍ଡୁପୂର୍ଣ୍ଣିମା ଦିନ ଏହା ଶେଷହୁଏ । ସନ୍ଧ୍ୟାରେ ସେମାନେ ପଣ୍ଡୁଓଷା ପାଳନ କରନ୍ତି । ଭାଇଙ୍କ ଶୁଭମନାସି ସେମାନେ ଏହିପୂଜାକରିଥାନ୍ତି ।

ଅନ୍ୟଏକ ପୌରାଣିକ ଆଖ୍ୟାନରୁ ଜଣାଯାଏ ଯେ କଣ୍ଡୁଋଷି ଗୋମତୀ ନଦୀ ତଟରେ ଆଶ୍ରମଟିଏ କରି ସେଠାରେ କଠୋର ତପସ୍ୟା କରୁଥିଲେ। ଗ୍ରୀଷ୍ମ କାଳରେ ପଞ୍ଚାଗ୍ନି ମଧ୍ୟରେ ରହି ଏବଂ ଶୀତକାଳରେ ଶୀତଳ ଜଳରେ ବୁଡ଼ି ତପ କରିବା ତାହାର ଅନ୍ତର୍ଭୁକ୍ତ ଥିଲା। ତାଙ୍କର ସେହି ତପସ୍ୟାରେ ଭୟଭୀତ ହୋଇ ଦେବରାଜ ଇନ୍ଦ୍ର ପ୍ରମ୍ଲୋଚା ନାମ୍ନୀ ଜଣେ ଅପ୍ସରୀଙ୍କୁ ତାଙ୍କର ତପଭଙ୍ଗ ପାଇଁ ପଠାଇଲେ। ପ୍ରମ୍ଲୋଚା ବହୁ ଉଦ୍ୟମ କରି ମୁନିଙ୍କର ତପ ଭଙ୍ଗ କଲା। କଣ୍ଡୁ ତପ ବଳରେ ନିଜର ବୟସକୁ ୧୬ ବର୍ଷକୁ କମାଇ ଦେଇ ତା’ ସହିତ ପ୍ରେମରସରେ ବୁଡ଼ି ରହିଲେ।

ସେହିପରି ଭାବରେ ଅନେକ ବର୍ଷ ବିତିଗଲା। ଦିନେ ସଂଧ୍ୟା ସମୟରେ କଣ୍ଡୁଙ୍କର ସଂଧ୍ୟା ଗାୟତ୍ରୀ କରିବା କଥା ମନେ ପଡ଼ିଗଲା। କାଳେ ସୂର୍ଯ୍ୟ ଅସ୍ତ ହୋଇଯିବେ, ସେଥିପାଇଁ ସେ ତରବରରେ ଆଶ୍ରମରୁ ବାହାରିଲେ। ପ୍ରମ୍ଲୋଚା ତାହା ଦେଖି ତାଙ୍କୁ ତାତ୍ସଲ୍ୟ କରି କହିଲେ- ଏତେଗୁଡ଼ାଏ ବର୍ଷ ତ ବିତିଗଲାଣି; ଆଜି ଏଇ ଗୋଟିଏ ସଂଧ୍ୟା ବିତିଗଲେ କ’ଣ ବା ଅଶୁଦ୍ଧ ହୋଇଯିବ?

ତାହା କଣ୍ଡୁଙ୍କୁ ନିଜର କୃତକର୍ମ ସଂପର୍କରେ ସଚେତନ କଲା। ସେ ନିଜର ଭୁଲ୍ ବୁଝିପାରିଲେ ଏବଂ ପ୍ରମ୍ଲୋଚାଙ୍କୁ କ୍ରୋଧରେ ଚାହିଁଲେ। ସେଥିରେ ପ୍ରମ୍ଲୋଚା ଡରିଯାଇ ଆଶ୍ରମ ଛାଡ଼ି ସ୍ୱର୍ଗରାଜ୍ୟକୁ ଚାଲିଗଲେ।

ତାହାପରେ କଣ୍ଡୁ ମୁନି ନିଜର ପାପ ପ୍ରକ୍ଷାଳନ ପାଇଁ ପୁରୁଷୋତ୍ତମ କ୍ଷେତ୍ର ପୁରୀକୁ ଚାଲିଆସିଲେ। ଏଠାରେ ଆଶ୍ରମ ସ୍ଥାପନ କରି ପୁରୁଷୋତ୍ତମ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବା ସହିତ, ପୁନଶ୍ଚ କଠୋର ତପସ୍ୟା କରି ଆଜିର ଦିନରେ ମୋକ୍ଷ ଲାଭ କରିଥିଲେ। କଣ୍ଡୁମୁନି ଥିଲେ ଶ୍ରୀନୃସିଂହଙ୍କ ଉପାସକ।

ଶ୍ରୀମନ୍ଦିରରେ ପରମ୍ପରା ଓ ବିଧିବିଧାନର ସହ ପଣ୍ଡୁ ପୂର୍ଣ୍ଣିମା ପାଳନ କରାଯାଏ । ଏ ଅବସରରେ ପଣ୍ଡୁ ନୃସିଂହ ଚାରିଆଶ୍ରମ ବିଜେ କରିଥାନ୍ତି। ସକାଳ ଧୂପ ପରେ ପାଳିଆ ପୁଷ୍ପାଳକମାନେ ମଇଲମ ଓ ବେଶ ସମ୍ପାଦନ କରିଥାନ୍ତି । ଏହି ସମୟରେ ଶ୍ରୀଜଗନ୍ନାଥଙ୍କୁ ଆଜ୍ଞାମାଳ ଲାଗି କରାଯାଏ । ମଧ୍ୟାହ୍ନ ଧୂପ ପରେ ଦକ୍ଷିଣି ଭୋଗ ସମ୍ପାଦନ ହେଲେ, ମହାଜନ ସେବକ ପଣ୍ଡୁ ନୃସିଂହଙ୍କୁ ଭିତର ସିଂହାସନକୁ ବିଜେ କରାନ୍ତି । ସେଠାରେ ତାଙ୍କୁ ଆଜ୍ଞାମାଳ ପ୍ରଦାନ ପରେ ଝୁଲଣ ମଣ୍ଡପ ତଳେ ଥିବା ବିମାନରେ ବିଜେ କରାଯାଏ । ରୁନ୍ଧା ବଢ଼ିବା ପରେ ବିମାନବଡ଼ୁ ସେବକ ବିମାନକୁ ଶ୍ରୀକ୍ଷେତ୍ରର ଚାରି ଆଶ୍ରମରେ ପଦାର୍ପଣ କରାଇଥାନ୍ତି । ସେଠାରେ ଶୀତଳ ଭୋଗ ଓ ବନ୍ଦାପନା ପରେ ପଣ୍ଡୁ ନୃସିଂହ ଶ୍ରୀମନ୍ଦିରକୁ ବିଜେ କରନ୍ତି ।

Comments are closed.