ପଶ୍ଚିମବଙ୍ଗରେ ଜନ ସମର୍ଥନ ହରାଉଛି ବିଜେପି, ୬ ମାସରେ ୨୦ ପ୍ରତିଶତ କମିଲା ଭୋଟ୍ ସେୟାର

କୋଲକାତା: ପଶ୍ଚିମବଙ୍ଗରେ ବିଜେପି ଜନ ସମର୍ଥନ ହରାଉଛି । ଉଭୟ ନେତା ଓ ଜନତା ବିଜେପି ପ୍ରତି ବିମୁଖ ହେବାରେ ଲାଗିଛନ୍ତି । ଚଳିତ ବର୍ଷ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ୭୭ ଆସନ‌ ସହ ଦ୍ବିତୀୟ ବୃହତ୍ ଦଳ ଭାବେ ଉଭା ହୋଇଥିବା ବିଜେପି ଏବେ ରାଜ୍ୟରେ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି । ବିଧାନସଭା ନିର୍ବାଚନ ପରଠାରୁ ଦଳର ଭୋଟ୍ ସେୟାର ଖସିବାରେ ଲାଗିଛି । ବିଶେଷକରି କୋଲକାତା ମ୍ୟୁନିସିପାଲ କର୍ପୋରେସନ (କେଏମସି) ଅନ୍ତର୍ଗତ ବିଧାନସଭା ଆସନ ଗୁଡ଼ିକରେ ଦଳର ଭୋଟ୍ ସେୟାର ବହୁ ମାତ୍ରାରେ କମିଯାଇଛି ।

ଏପ୍ରିଲରେ ହୋଇଥିବା ବିଧାନସଭା ନିର୍ବାଚନରେ ବିଜେପି ୩୮ ପ୍ରତିଶତ ଭୋଟ୍ ପାଇଥିଲା । ସେତେବେଳେ କୋଲକାତା ପୌର ନିଗମ ଅନ୍ତର୍ଗତ ଓ୍ଵାର୍ଡ ଗୁଡ଼ିକରେ ଦଳର ଭୋଟ୍ ସେୟାର ଥିଲା ୨୯ ପ୍ରତିଶତ । ହେଲେ ଏହା ଏବେ ୯ ପ୍ରତିଶତକୁ ଖସି ଆସିଛି । ନିକଟରେ ଅନୁଷ୍ଠିତ କୋଲକାତା ପୌର ନିଗମ ନିର୍ବାଚନ ଫଳାଫଳରୁ ଏହା ସ୍ପଷ୍ଟ ହୋଇଛି । ଗତ ୬ ମାସ ମଧ୍ୟରେ ଦଳର ଭୋଟ୍ ସେୟାର ୨୦ ପ୍ରତିଶତ ଖସିଛି ।

କୋଲକାତା ପୌର ନିଗମ ନିର୍ବାଚନରେ ବିଜେପି ତିନୋଟି ଆସନ ପାଇଥିଲା, ଯାହା ବାମଦଳଙ୍କ ଆସନ‌ ସଂଖ୍ୟା ତୁଳନାରେ ଗୋଟିଏ ଅଧିକ । କିନ୍ତୁ ଦଳର ଭୋଟ୍ ସେୟାର ବାମ ଦଳ ଠାରୁ ବି କମ୍ ରହିଛି । ଭୋଟ୍ ପ୍ରତିଶତ ଦୃଷ୍ଟିରୁ ୬୫ ଓ୍ବାର୍ଡରେ ବିଜେପି ତୃତୀୟ ସ୍ଥାନରେ ରହିଥିଲା । ଏହି ପରିସଂଖ୍ୟାନ ସୂଚାଉଛି ଯେ କୋଲକାତାରେ ବିଜେପି ପ୍ରତି ଜନ ସମର୍ଥନ ହ୍ରାସ ପାଇଛି ।

ଦୁଇ ମାସ ତଳେ ଅନୁଷ୍ଠିତ ବିଧାନସଭା ଉପନିର୍ବାଚନରେ ବି ମତଦାତା ବିଜେପିକୁ ପ୍ରତ୍ୟାଖ୍ୟାନ କରିଥିଲେ । ଏହାଛଡ଼ା ଅନେକ ହାଇ ପ୍ରୋଫାଇଲ୍ ନେତା ଓ ବିଧାୟକ ଦଳ ଛାଡ଼ି ତୃଣମୂଳ କଂଗ୍ରେସରେ ଯୋଗ ଦେବା ବିଜେପି ପାଇଁ ଶକ୍ତ ଧକ୍କା ଥିଲା ।

Comments are closed.