ବିଦୁରଙ୍କ ଜନ୍ମ ରହସ୍ୟ

ଯମ ରାଜାଙ୍କୁ ମୃତ୍ୟୁର ଦେବତା କୁହାଯାଇଥାଏ l ଧାର୍ମିକ ମାନ୍ୟତା ଅନୁସାରେ ମନୁଷ୍ୟର ପ୍ରାଣ ଯିବାପରେ ଯମ ଦେବ ଅଟନ୍ତି ଯିଏ ମନୁଷ୍ୟର କର୍ମ ଅନୁସାରେ ଦଣ୍ଡ ଦେଇଥାନ୍ତି l ମୃତ୍ୟୁର ଦେବତାଙ୍କୁ ସମସ୍ତେ ଭୟ କରିଥାନ୍ତି l କିନ୍ତୁ ଏକଦା ଏହିପରି ହୋଇଥିଲା ସେ ବିଲକୁଲ ଯମଦେବଙ୍କୁ ଡରି ନଥିଲା l ସେ ଯେତେବେଳେ ଯମରାଜାଙ୍କ ଦରବାରରେ ପହଞ୍ଚିଥିଲା ସେତେବେଳେ ତା ଜୀବନରେ ଘଟିଥିବା ଘଟଣା ପାଇଁ ଯମରାଜାଙ୍କୁ ଦାୟୀ କରିଥିଲା l ଆସନ୍ତୁ ଜାଣିବା ସେହି ବ୍ୟକ୍ତିକୁ ଯିଏ ଯମରାଜାଙ୍କୁ ଅଭିଶାପ ଦେଇଥିଲା ଓ ଯମରାଜ ପୃଥିବୀ ପୃଷ୍ଠରେ ମନୁଷ୍ୟ ରୂପରେ ଜନ୍ମ ନେଇଥିଲେ l

ମହାଭାରତ ସହିତ ଯୋଡି ହୋଇଥିବା ଘଟଣା -ଯମରାଜାଙ୍କୁ କିଏ ଓ କେବେ ଅଭିଶାପ ଦେଇଥିଲେ ସେ ବିଷୟରେ ମହାଭାରତରେ ଆଲୋଚନା ହୋଇଛି l ମହାଭାରତର କଥା ଅନୁସାରେ ମାଣ୍ଡବ୍ୟ ନାମକ ଜଣେ ଋଷି ଥିଲେ l ଠାରେ ସେ ତପସ୍ୟାରତ ଥିବା ସମୟରେ ଗୋଟିଏ ଚୋରା ଦଳ ଆସି ଆଶ୍ରମରେ ଲୁଚି ଯାଇଥିଲେ l ମାଣ୍ଡବ୍ୟ ଋଷି ଘଟଣାକୁ ବୁଝିବା ପୂର୍ବରୁ ରାଜାଙ୍କର ସିପାହୀ ମାନେ ଆଶ୍ରମର ଚାରି ପାଖରୁ ଘେରି ଯାଇଥିଲେ ଓ ଚୋରା ମାନଙ୍କୁ ଆଶ୍ରୟ ଦେବା ଘଟଣାରେ ରାଜା ତାଙ୍କୁ ଶୁଳୀରେ ବସାଇବା ପାଇଁ ନିର୍ଦେଶ ଦେଲେ lକିନ୍ତୁ ଆଶ୍ଚର୍ଯ୍ୟର କଥା ହେଲାଯେ ଋଷିଙ୍କର ପ୍ରାଣ ଗଲାନାହିଁ l

ଏହାପରେ ରାଜା ଋଷିଙ୍କୁ କ୍ଷମା ମାଗି ଛାଡି ଦେଇଥିଲେ ,ମାଣ୍ଡବ୍ୟ ଋଷି ଆଶ୍ରମକୁ ନଯାଇ ସିଧା ଯମ ଲୋକରେ ପହଂଚିଥିଲେ ଏବଂ ପ୍ରଶ୍ନ କରିଥିଲେ ମୁଁ କେଉଁ ଭୁଲ କରିଥିଲି ମତେ କଣ ପାଇଁ ଦଣ୍ଡିତ କରାଗଲା l ଯମ ରାଜା କହିଲେ ଆପଣ ଯେତେବେଳେ ୧୨ ବର୍ଷର ଥିଲେ ଗୋଟିଏ ଝୀଂତିକାର ଦେହରେ ଛୁଞ୍ଚି ଫୁଟାଇ ଥିଲେ ,ତେଣୁ ଆପଣଙ୍କ ସହ ଏପରି ଘଟିଲା l ସେତେବେଳେ ମାଣ୍ଡବ୍ୟ ଋଷି କହିଥିଲେ ଗୋଟିଏ ୧୨ ବର୍ଷ ବାଳକର ଧର୍ମ ଅଧର୍ମରେ କୌଣସି ଜ୍ଞାନ ନଥାଏ l ତମେ ଗୋଟିଏ ଛୋଟ ଅପରାଧରେ ମତେ ବଡ଼ ଦଣ୍ଡ ଦେଇଛ l ତେଣୁ ତମେ ଶୁଦ୍ର ଯୋନିରେ ଗୋଟିଏ ଦାସୀ ପୁତ୍ର ଭାବରେ ଜନ୍ମ ନେବ l

ଏହାର ଫଳ ସ୍ୱରୂପ ମହାଭାରତ କାଳରେ କୁରୁବଂଶର ଉତ୍ତରାଧିକାରୀ କିଏ ହେବ ସେଥିପାଇଁ ସତ୍ୟବତୀ ନିଜର ପୁତ୍ର ମାନଙ୍କର ମୃତ୍ୟୁ ପରେ ବୋହୁ ମାନଙ୍କୁ ସନ୍ତାନ ପ୍ରାପ୍ତି କରିବା ପାଇଁ ଋଷି ବ୍ୟାସଙ୍କ ପାଖକୁ ପଠାଇ ଥିଲେ l ଋଷିଙ୍କର ଆଖିରେ ଏପରି ତେଜ ଥିଲାଯେ ଗୋଟିଏ ବୋହୂର ପୁତ୍ର ଅନ୍ଧ ଧୃତରାଷ୍ଟ୍ର ଓ ଅନ୍ୟ ଗୋଟିଏ ବୋହୂର ପୁତ୍ର ରୋଗୀ ପାଣ୍ଡୁ ଜନ୍ମ ହେଲେ l ଯେତେବେଳେ ସତ୍ୟବତୀଙ୍କୁ ଏବିଷୟରେ ଜଣା ପଡିଲା ସେ ତାଙ୍କ ବୋହୁ ମାନଙ୍କର ଦାସୀକୁ ପଠାଇ ଥିଲେ l ଏହାପରେ ଋଷିଙ୍କ ସହିତ ସଂସର୍ଗରେ ଦାସୀ ଗର୍ଭବତୀ ହୋଇଥିଲେ ଓ ତାଙ୍କର ଗୋଟିଏ ସୁସ୍ଥ ସନ୍ତାନ ଜନ୍ମ ହୋଇଥିଲା l ସେହି ସୁସ୍ଥ ସନ୍ତାନଟି ଅନେକ ଗୁଣଵାନ ଓ ବୁଦ୍ଧିମାନ ଥିଲା l ମାଣ୍ଡବ୍ୟ ଋଷିଙ୍କ ଅଭିଶାପରୁ ଯମରାଜା ମହାତ୍ମା ବିଦୁର ରୂପରେ ଜନ୍ମ ନେଇଥିଲେ l

( ସଂଗୃହିତ )

Comments are closed.