ପେଟ୍ରୋଲ ଲିଟର ପିଛା ୨୫ ଟଙ୍କା ରିହାତି ପାଇବେ ଏହି ରାଜ୍ୟର ଦୁଇ ଚକିଆ ଗାଡ଼ି ଚାଳକ

ରାଞ୍ଚି: ଦାରିଦ୍ର ସୀମାରେଖା (ବିପିଏଲ) ତଳେ ରହୁଥିବା ଲୋକଙ୍କ ପାଇଁ ପେଟ୍ରୋଲ ଦରରେ ଝାଡ଼ଖଣ୍ଡ ସରକାର ଲିଟର ପିଛା ୨୫ ଟଙ୍କା ରିହାତି ପ୍ରଦାନ କରିଛନ୍ତି।

ତାଙ୍କ ସରକାରଙ୍କ ଦ୍ୱିତୀୟ ବାର୍ଷିକୀ ଅବସରରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ବୁଧବାର ଏହି ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଆସନ୍ତା ବର୍ଷ ଜାନୁଆରୀ ୨୬ରୁ ଏହି ରିହାତି ଉପଲବ୍ଧ ହେବ।

ମୁଖ୍ୟମନ୍ତ୍ରୀ କହିଛନ୍ତି, “ପେଟ୍ରୋଲ ଉପରେ ଲିଟର ପିଛା ୨୫ ଟଙ୍କା ରିହାତି କେବଳ ଦୁଇ ଚକିଆ ଯାନକୁ ଦିଆଯିବ। ରିହାତିର ପରିମାଣ ସିଧାସଳଖ ସେମାନଙ୍କ ଆକାଉଣ୍ଟକୁ ଡିବିଟି ମାଧ୍ୟମରେ ପଠାଯିବ। ଏହା ଅଧୀନରେ ମାସିକ ସର୍ବାଧିକ ୧୦ ଲିଟର ପେଟ୍ରୋଲ କ୍ରୟ କରାଯାଇପାରିବ।

“ଏହି ରିହାତି ସେହି ଲୋକଙ୍କୁ ଦିଆଯିବ ଯେଉଁମାନେ ଦୁଇ ଚକିଆ ଯାନ ଦ୍ୱାରା ଫସଲ ବହନ କରନ୍ତି ଏବଂ ବିପିଏଲ୍ ରେସନ କାର୍ଡ ଅଛି। ଏହିପରି ଲୋକମାନେ ପେଟ୍ରୋଲ ପମ୍ପରେ ସମ୍ପୂର୍ଣ୍ଣ ଟଙ୍କା ଦେବେ। ଏହା ପରେ ଡିବିଟି ମାଧ୍ୟମରେ ଏହି ରିହାତି ଟଙ୍କା ସିଧାସଳଖ ସେମାନଙ୍କ ବ୍ୟାଙ୍କ୍ ଖାତାକୁ ପଠାଯିବ | ”

ଆସନ୍ତା ବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ ‘ଗୁରୁଜୀ ଛାତ୍ର କ୍ରେଡିଟ୍ କାର୍ଡ ସ୍କିମ୍’ କାର୍ଯ୍ୟକାରୀ କରିବାକୁ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ମଧ୍ୟ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଏହି କ୍ରେଡିଟ କାର୍ଡ ଦ୍ୱାରା ଛାତ୍ରମାନେ ସହଜରେ ଶିକ୍ଷା ଋଣ ପାଇପାରିବେ |

ମୁଖ୍ୟମନ୍ତ୍ରୀ ଆହୁରି ଅନେକ ନୂତନ ଯୋଜନା ଘୋଷଣା କରିଛନ୍ତି ଏବଂ ତାଙ୍କ ସରକାରଙ୍କ ସଫଳତାର ବିବରଣୀ ମଧ୍ୟ ଦେଇଛନ୍ତି। ଏହି ଅବସରରେ ରାଜ୍ୟପାଳ ରମେଶ ବାଇସ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନ ମଧ୍ୟ ଉପସ୍ଥିତ ଥିଲେ।

Comments are closed.