କାଶ୍ମୀର: ୨୪ ଘଣ୍ଟାରେ ୯ ଆତଙ୍କବାଦୀ ସଫା

ଶ୍ରୀନଗର: ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀ ବିରୋଧରେ ସୁରକ୍ଷା ବାହିନୀର ଅପରେସନ ଜାରି ରହିଛି । ଗତ ୨୪ ଘଣ୍ଟାରେ ସୁରକ୍ଷା ବାହିନୀ ସହ ଏନକାଉଣ୍ଟରରେ ଦୁଇ ଜଣ ପାକିସ୍ତାନୀ ନାଗରିକଙ୍କ ସମେତ ୯ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ସେନା, ସିଆରପିଏଫ୍ ଏବଂ କାଶ୍ମୀର ପୋଲିସ ଗତ ୨୪ ଘଣ୍ଟା ମଧ୍ୟରେ ତିନୋଟି ଭିନ୍ନ ସ୍ଥାନରେ ଏନକାଉଣ୍ଟରରେ ଏହି ଆତଙ୍କବାଦୀଙ୍କୁ ସଫା କରିଛନ୍ତି । ଏହି ସମୟରେ ଏହି ଏନକାଉଣ୍ଟରରେ ୩ ଜଣ ପୋଲିସ କର୍ମଚାରୀ ଏବଂ ଜଣେ ସିଆରପି ଯବାନ ଆହତ ହୋଇଛନ୍ତି। ସୂଚନାନୁସାରେ, ଅନନ୍ତନାଗ, କୁଲଗାମ ଏବଂ ପାନ୍ଥ ଚକ୍ ଅଞ୍ଚଳରେ ଏନକାଉଣ୍ଟର ବେଳେ ଏହି ୯ ଆତଙ୍କବାଦୀ ନିହତ ହୋଇଛନ୍ତି ।

ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ କୁଲଗାମ ଜିଲ୍ଲାର ମିରହାମା ଅଞ୍ଚଳରେ ସୁରକ୍ଷା ବାହିନୀ ଦ୍ୱାରା ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ପାଇ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିଲା। ଏହି ସମୟରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଏକ ଏନକାଉଣ୍ଟର ହୋଇଥିଲା। ସର୍ଚ୍ଚ ଅପରେସନ ବେଳେ ଲୁଚି ରହିଥିବା ଆତଙ୍କବାଦୀମାନେ ହଠାତ୍ ସୁରକ୍ଷା ବାହିନୀ ଉପରେ ଗୁଳି ଚଳାଇବା ଆରମ୍ଭ କରିଥିଲେ ବୋଲି ଅଧିକାରୀ କହିଛନ୍ତି।

ଦ୍ୱିତୀୟ ଏନକାଉଣ୍ଟର ଅନନ୍ତନାଗ ଜିଲ୍ଲାର ଡରୁର ନୋଭଗାମ ଶାହାବାଦରେ କର୍ଡନ ଏବଂ ସର୍ଚ୍ଚ ଅପରେସନ ସମୟରେ ହୋଇଥିଲା। ସେ କହିଛନ୍ତି ଯେ ଗୁଳି ବିନିମୟରେ ଜଣେ ପୋଲିସ କର୍ମଚାରୀ ଆହତ ହୋଇଥିବା ବେଳେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୋଲିସର ସୂଚନାନୁସାରେ, ଅନନ୍ତନାଗ ଜିଲ୍ଲାର ଡୁରୁର ନୋଭଗାମ ଶାହାବାଦରେ ସୁରକ୍ଷାକର୍ମୀଙ୍କ ଦ୍ବାରା ତଲାସୀ ଅଭିଯାନ ସମୟରେ ଦ୍ୱିତୀୟ ଏନକାଉଣ୍ଟର ଘଟିଥିଲା। ଅନ୍ୟପଟେ ପନ୍ଥ ଚୌକ୍ ରେ ଜଣେ ସନ୍ଦିଗ୍ଧଙ୍କୁ ଧରିବାକୁ ଯାଇଥିବା ସୈନିକମାନଙ୍କ ଉପରେ ଆତଙ୍କବାଦୀମାନେ ଗୁଳି ଚଳାଇଥିଲେ । ଜବାବୀ କାର୍ଯ୍ୟାନୁଷ୍ଠାନରେ ତିନିଜଣ ଆତଙ୍କବାଦୀ ନିହତ ହୋଇଥିଲେ।

Comments are closed.