ପଞ୍ଚସଖା ଯୁଗର ଅନନ୍ୟ ସାଧକ ଭକ୍ତ ବଳରାମ ଦାସ

ଭକ୍ତ ବଳରାମ ଦାସ ପଞ୍ଚଦଶ ଶତାବ୍ଦୀର ଓଡ଼ିଆ ସନ୍ଥକବି ଓ ପଞ୍ଚସଖାଙ୍କ ମଧ୍ୟରୁ ବୟସରେ ଜ୍ୟେଷ୍ଠ । ଏହି ଅନନ୍ୟ ସାଧକ ଅନେକ ପୁରାଣ ଓ ଭକ୍ତିମୂଳକ କାବ୍ୟକବିତା ରଚନା କରି ଓଡ଼ିଆ ସାହିତ୍ୟକୁ ରୁଦ୍ଧିମନ୍ତ କରିଛନ୍ତି । ଦାଣ୍ଡି ବା ଜଗମୋହନ ରାମାୟଣ ଓ ଲକ୍ଷ୍ମୀ ପୁରାଣ ତହିଁ ମଧ୍ୟରୁ ଅନ୍ୟତମ । ଭକ୍ତ ବଳରାମ ଦାସଙ୍କର ଜନ୍ମର ସଠିକ ବର୍ଷ ନିର୍ଦ୍ଧରଣ କରାଯାଇ ନ ପାରିଥିଲେ ମଧ୍ୟ ଐତିହାସିକ ଙ୍କ ମତରେ ୧୪୮୪ ମସିହା ବୋଲି ଅନୁମାନ କରାଯାଇଥାଏ l ତାଙ୍କ ବାପାଙ୍କ ନାମ ଥିଲା ଶ୍ରୀସୋମନାଥ ମହାପାତ୍ର ଓ ମାଆଙ୍କ ନାମ ମନୋମାୟା ବା ମହାମାୟା l ସୋମନାଥ ପ୍ରତାପରୁଦ୍ରଦେବଙ୍କ ଶାସନକାଳରେ ଜଣେ ମନ୍ତ୍ରୀରୂପେ ନିଯୁକ୍ତ ଥିଲେ । ବଳରାମ ଦାସ ପୁରୀ ଶ୍ରୀକ୍ଷେତ୍ରରେ ଅବସ୍ଥାନ କରୁଥିଲେ ବୋଲି ଉଲ୍ଲେଖ ରହିଥିଲେ ମଧ୍ୟ କଟକ ଜିଲ୍ଲାର ଯାଜପୁର ତାଙ୍କର ପ୍ରକୃତ ଜନ୍ମସ୍ଥାନ ଥିଲା ବୋଲି ଆଉ ଗୋଟିଏ ମତ ମଧ୍ୟରହିଛି । ଶ୍ରୀ ଚୈତନ୍ୟ ପୁରୀକୁ ଆସିବା ସମୟକୁ ବଳରାମ ପୁରୀକୁ ଆସିସାରିଥିଲେ ଓ ଓଡ଼ିଆ ରାମାୟଣ(ଜଗମୋହନ ରାମାୟଣ)ର ରଚନା କରିସାରିଥିଲେ l

ବଳରାମ ଥିଲେ ଓଡ଼ିଆ ସାହିତ୍ୟର ପଞ୍ଚସଖା (ଜଗନ୍ନାଥ ଦାସ, ଅଚ୍ୟୁତାନନ୍ଦ ଦାସ, ବଳରାମ ଦାସ, ଅନନ୍ତ ଦାସ, ଯଶୋବନ୍ତ ଦାସ)ଙ୍କ ଭିତରୁ ଜଣେ । ଏହି ପଞ୍ଚସଖା ଓଡ଼ିଶାରେ “ଭକ୍ତି” ଆନ୍ଦୋଳନ ର ଆବାହକ ଥିଲେ ।

ପୁରୀ ନିକଟବର୍ତ୍ତୀ ସମଗରା ପାଟରେ ବଳରାମ ଜନ୍ମ ଗ୍ରହଣ କରିଥିଲେ l ଅବଶ୍ୟ ସେହି ପୀଠ ଆଜି ବିଲୁପ୍ତ ହେଇଯାଇଛି କିନ୍ତୁ ପୁରୀ ସମୁଦ୍ରକୂଳରେ ଯେଉଁ ଗୁମ୍ଫାଟିରେ ସାଧନା କରିଥିଲେ,ସେହି ଗୁମ୍ଫାଟି ଏବେ ମଧ୍ୟ ରହିଛି ଅବହେଳିତ ଅବସ୍ଥା ରେ ରହିଛି l ଶ୍ରୀଚକ୍ର ନୃସିଂହ ମନ୍ଦିର ବା ଲୋକ ମତରେ ଲକ୍ଷ୍ମୀଙ୍କ ବାପ ଘର ନିକଟରେ ଏହି ଗୁମ୍ଫା ଅବସ୍ଥିତ। ସେହିଠାରେ ହିଁ ଧ୍ୟାନକରି ସେ ଜଗନ୍ନାଥଙ୍କ ରଥକୁ ବଡଦାଣ୍ଡରେ ଅଟକାଇ ଦେଇଥିଲେ l ପୁରୀ ଜିଲ୍ଲାର ନିମାପଡା ଠାରୁ କିଛି ଦୂରରେ କୂଶଭଦ୍ରା ନଦୀକୂଳରେ ଏରବଙ୍ଗ ଠାରେ ବଳରାମ ଦାସଙ୍କର ଗାଦି ଅଛି l ସେ ସେଠାରେ ଦେହରକ୍ଷା କରିଥିଲେ l ଏବେ ମଧ୍ୟ ସମାଧି ମନ୍ଦିର ସେଠାରେ ରହିଛି l

ବଳରାମଙ୍କ ରଚନାବଳୀ :- ବଳରାମ ଦାସଙ୍କ ପୂଜିତ ଚତୁର୍ଦ୍ଧାମୂର୍ତ୍ତି ଏରବଙ୍ଗ ଠାରେ ବିରାଜିତ। ବଳରାମ ଦାସ ଓଡ଼ିଆ ରାମାୟଣର ରଚୟିତା ହିସାବରେ ସର୍ବପ୍ରଥମେ ପରିଚିତ ହୋଇଥିଲେ।ତାହାହିଁ ତାଙ୍କର ଶ୍ରେଷ୍ଠକୃତି । ସେ ଶ୍ରୀମଦ୍ଭଗବତ ଗୀତାର ଅନୁବାଦ ମଧ୍ୟ କରିଛନ୍ତି l ଏହାକୁ ଜଗମୋହନ ରାମାୟଣ ବୋଲି ମଧ୍ୟ କୁହାଯାଏ।

ତାଙ୍କର ଅନନ୍ୟ କୃତି ହିସାବରେ ରହିଛି :-

• ଅମରକୋଷ ଗୀତା
• କମଳଲୋଚନ ଚଉତିଶା
• କାନ୍ତ କୋଇଲି
• ଗଣେଶ ବିଭୂତି ଟୀକା (ସିଦ୍ଧାନ୍ତ ଡମ୍ବର)
• ଦୀପ୍ତିସାର ଗୀତା
• ପଣସ ଚୋରୀ
• ବଟ ଅବକାଶ
• ବଉଳା ଅଧ୍ୟାୟ
• ବିରାଟ ଗୀତା
• ବେଢ଼ା ପରିକ୍ରମା
• ବେଦାନ୍ତସାର ଗୁପ୍ତଗୀତା
• ବ୍ରହ୍ମଜ୍ଞାନ ଏକାକ୍ଷର
• ବ୍ରହ୍ମାଣ୍ଡ ଭୂଗୋଳ
• ଭାବ ସମୁଦ୍ର
• ମନୁ ଗୀତା
• ମୃଗୁଣୀ ସ୍ତୁତି
• ଶ୍ରୀମଦ ଭଗବଦ ଗୀତା (ସଂସ୍କୃତ ଗୀତାର ଓଡ଼ିଆ ଅନୁବାଦ)
• ଶ୍ରୀରୋଢ଼ା
• ଜ୍ଞାନ ଉଜ୍ଜ୍ୱଳମଣି ଗୀତା
• ଜ୍ଞାନ ଚୁଡାମଣି
• ଲକ୍ଷ୍ମୀ ପୁରାଣ

ଜଗମୋହନ ରାମାୟଣ’ ବଳରାମ ଦାସଙ୍କ ସର୍ବଶ୍ରେଷ୍ଠ କୃତି । ଏହା ଦାଣ୍ଡିବୃତ୍ତରେ ରଚିତ ହୋଇଥିବାରୁ ଦାଣ୍ଡି ରାମାୟଣ ଭାବରେ ପରିଚିତ । ଏହା ଏକ ଅନୁବାଦ ଗ୍ରନ୍ଥ ନୁହେଁ, ଅନୁସୃଜିତ ଗ୍ରନ୍ଥ।’ଜଗମୋହନ ରାମାୟଣ’ସଂସ୍କୃତ ରାମାୟଣକୁ ଆଧାର କରିଥିଲେ ମଧ୍ୟ ତାହା ଏକ ମୌଳିକ ସୃଷ୍ଟି ଭାବରେ ବିଦିତ । ଜୀବନ୍ତ ଚରିତ୍ର ଚିତ୍ରଣ, ସେ ସମୟର ସମାଜ ଚିତ୍ର, ମୌଳିକ ପ୍ରକାଶଭଙ୍ଗି ଓ ମନୋଜ୍ଞ ବର୍ଣ୍ଣନା ଶୈଳୀ ତାଙ୍କ ରାମାୟଣର ବୈଶିଷ୍ଟ୍ୟ । ତାଙ୍କର ଅନ୍ୟାନ୍ୟ ପ୍ରମୁଖ ରଚନା ଗୁଡ଼ିକ ହେଲା- ‘ବ୍ରହ୍ମପୁରାଣ’,’ଲକ୍ଷ୍ମୀପୁରାଣ’,’ବାଟ ଅବକାଶ’,’ବ୍ରହ୍ମାଣ୍ଡ ଭୁଗୋଳ,’ଭବସମୁଦ୍ର’,’ମୃଗୁଣୀ ସ୍ତୁତି’,’ ବ୍ରହ୍ମଗୀତା, ।

Comments are closed.