ଭାରତରେ ଲକ୍ଷେ ଟପିଲା ଦୈନିକ ସଂକ୍ରମଣ, ୧୦ ଦିନରେ ୨୦ ଗୁଣ ବଢ଼ିଛି କୋଭିଡ୍ ମାମଲା

ନୂଆଦିଲ୍ଲୀ: ଭାରତରେ ପୁଣି ଥରେ କରୋନା ଭୟଙ୍କର ଗତିରେ ବଢୁଛି । ସାତ ମାସ ପରେ ଦୈନିକ ମାମଲା ପୁଣି ୧ ଲକ୍ଷ ଟପିଛି | ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ଦୈନିକ ସଂକ୍ରମଣ ୨୮.୮ ପ୍ରତିଶତ ବୃଦ୍ଧି ପାଇଛି | ଓମିକ୍ରନ୍ ଭାରିଆଣ୍ଟ ଯୋଗୁଁ ଦେଶ କରୋନା‌ ସ୍ଥିତି ଅଣାୟତ୍ତ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୧,୧୭,୧୦୦ ନୂଆ ମାମଲା ରିପୋର୍ଟ ହୋଇଛି | ଭାରତରେ ଶେଷଥର ୨୦୨୧ ଜୁନ୍ ୬ରେ ଏକ ଲକ୍ଷରୁ ଉର୍ଦ୍ଧ୍ବ ମାମଲା ଆସିଥିଲା ।

ଦିନକରେ କରୋନାରେ ୩୦୨ ଜଣଙ୍କର ମୃତ୍ୟୁ ହୋଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ୩୦୦୭ ଓମିକ୍ରନ୍ ମାମଲା ରିପୋର୍ଟ ହୋଇଛି |

ଭାରତରେ ତୃତୀୟ ଲହର ଆରମ୍ଭ ହୋଇଛି ଏବଂ ମାମଲା ଏତେ ଦ୍ରୁତ ଗତିରେ ବଢୁଛି ଯେ ଗତ ୧୦ ଦିନ ମଧ୍ୟରେ ଦୈନିକ କୋଭିଡ୍ ମାମଲା ୨୦ ଗୁଣ ବୃଦ୍ଧି ପାଇଛି। ଡିସେମ୍ବର ୨୮ରେ ଦେଶରେ ୬୩୫୮ ମାମଲା ରିପୋର୍ଟ ହୋଇଥିଲା ଏବଂ ୧୦ ଦିନ ମଧ୍ୟରେ ଏହି ସଂଖ୍ୟା୧ ଲକ୍ଷରୁ ଅଧିକ ରେକର୍ଡ କରାଯାଇଛି।

ତୃତୀୟ ଲହର ଯେଉଁ ବେଗରେ ଗତି କରୁଛି, ଗତ ଏକ ସପ୍ତାହରେ ଦୈନିକ ହାରାହାରି ମାମଲା ୪୮୫ ପ୍ରତିଶତ ବୃଦ୍ଧି ପାଇଛି |

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ବାରା ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ ବର୍ତ୍ତମାନ ଦେଶରେ ସକ୍ରିୟ ମାମଲା ସଂଖ୍ୟା ୩ ଲକ୍ଷ ୭୧ ହଜାର ୬୩କୁ ବୃଦ୍ଧି ପାଇଛି। ଏହି ମହାମାରୀରେ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ୪ ଲକ୍ଷ ୮୩ ହଜାର ୧୭୮କୁ ବୃଦ୍ଧି ପାଇଛି। ତଥ୍ୟ ଅନୁଯାୟୀ, ଗତକାଲି ୩୦ ହଜାର ୮୩୬ ଜଣ ଲୋକ ସୁସ୍ଥ ହୋଇଥିଲେ । ଦେଶରେ ଏଯାବତ୍ ମୋଟ ସୁସ୍ଥଙ୍କ ସଂଖ୍ୟା ୪ କୋଟି ୪୩ ଲକ୍ଷ ୭୧ ହଜାର ୮୪୫ରେ ପହଞ୍ଚିଛି। ବର୍ତ୍ତମାନ ସୁଦ୍ଧା ଦେଶରେ ତିନି କୋଟି ୫୨ ଲକ୍ଷ ୨୬ ହଜାର ୩୮୬ କରୋନା ମାମଲା ଚିହ୍ନଟ ହୋଇଛି।

ଦେଶବ୍ୟାପୀ ଟୀକାକରଣ ଅଭିଯାନରେ ଏପର୍ଯ୍ୟନ୍ତ ୧୪୯ କୋଟିରୁ ଅଧିକ ଡୋଜ୍ ଟିକା ଦିଆଯାଇଛି।

Comments are closed.