ସାଇନାଙ୍କ ଉପରେ ଅଶ୍ଲୀଳ ଟ୍ବିଟ୍ ନେଇ ଅଡୁଆରେ ଅଭିନେତା ସିଦ୍ଧାର୍ଥ

ନୂଆଦିଲ୍ଲୀ: ବ୍ୟାଡମିଣ୍ଟନ୍ ଷ୍ଟାର୍ ସାଇନା ନେହୱାଲଙ୍କୁ ନେଇ ଏକ ଟ୍ବିଟ୍ ପାଇଁ ଅଭିନେତା ସିଦ୍ଧାର୍ଥ ଅଡ଼ୁଆରେ ଫସିଛନ୍ତି । ଉକ୍ତ ବିବାଦୀୟ ଟ୍ବିଟରେ ‘ରଙ୍ଗ ଦେ ବସନ୍ତୀ’ ଫେମ୍ ଏହି ଅଭିନେତା ଦ୍ବିଅର୍ଥ ବୋଧକ ଭାଷା ବ୍ୟବହାର କରି

ସାଇନାଙ୍କୁ ଅପମାନିତ କରିବାକୁ ଉଦ୍ୟମ କରିଛନ୍ତି । ଏବେ ଏହି ପ୍ରସଙ୍ଗରେ ଜାତୀୟ ମହିଳା କମିଶନ ହସ୍ତକ୍ଷେପ କରିଛନ୍ତି।

ସାଇନା ନେହୱାଲ ଏକ ଟୁଇଟ୍ କରି ପଞ୍ଜାବ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ତ୍ରୁଟି ନେଇ ଉଦବେଗ ପ୍ରକାଶ କରିଥିଲେ। ସେ ଲେଖିଥିଲେ, ” ଯେ ପର୍ଯ୍ୟନ୍ତ ଯେଉଁ ଦେଶର ପ୍ରଧାନମନ୍ତ୍ରୀ ସୁରକ୍ଷିତ ନୁହନ୍ତି ସେ ପର୍ଯ୍ୟନ୍ତ କୌଣସି ଦେଶ ନିଜକୁ ସୁରକ୍ଷିତ ବୋଲି ଦାବି କରିପାରିବ ନାହିଁ। ପଞ୍ଜାବରେ ଯାହା ଘଟିଲା ତାକୁ ମୁଁ ଦୃଢ ନିନ୍ଦା କରୁଛି।”

ପ୍ରଧାନମନ୍ତ୍ରୀଙ୍କ ସମ୍ପର୍କରେ ସାଇନାଙ୍କ ଏହି ଟ୍ୱିଟ୍ ଉପରେ ଅଭିନେତା ସିଦ୍ଧାର୍ଥ ନିଜ ପ୍ରତିକ୍ରିୟା ଦେଇଥିଲେ। ଯେଉଁଥିରେ ସେ ଏକ ଆପତ୍ତିଜନକ ଶବ୍ଦ ବ୍ୟବହାର କରିଥିଲେ ଯାହା ଦ୍ବିଅର୍ଥ ବୋଧକ ଥିଲା | ସାଇନାଙ୍କ ପ୍ରଶଂସକମାନେ ଏହାକୁ ଅଶ୍ଳୀଳ ବୋଲି କହିଥିଲେ ଏବଂ ଅଭିନେତା ଉପରେ ପ୍ରବଳ ବର୍ଷିଥିଲେ | ଏନେଇ ମହିଳା କମିଶନଙ୍କ ନିକଟରେ ଅଭିଯୋଗ ମଧ୍ୟ ହୋଇଥିଲା। ଏହା ପରେ ମହିଳା କମିଶନ ସିଦ୍ଧାର୍ଥଙ୍କୁ ନୋଟିସ୍ ପଠାଇବା ସହ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ ।

ବିବାଦ ବଢିବା ପରେ ସିଦ୍ଧାର୍ଥ ତାଙ୍କ ଟ୍ୱିଟ ନେଇ ସଫେଇ ଦେଇଛନ୍ତି। ନିଜେ ଏହି ଟ୍ୱିଟର ଜବାବ ଦେଇ ସେ ଲେଖିଛନ୍ତି ଯେ ତାଙ୍କ ଟ୍ୱିଟକୁ ଭୁଲ ଭାବେ ନିଆଯାଇଛି। କାହାକୁ ଆଘାତ ଦେବା ତାଙ୍କର ଉଦ୍ଦେଶ୍ୟ ନୁହେଁ।

Comments are closed.