ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, ଇଚ୍ଛାପତ୍ର ନ କରି ବାପାଙ୍କ ମୃତ୍ୟୁ ହେଲେ ସମ୍ପତ୍ତି ଉପରେ ଝିଅମାନଙ୍କ ଅଧିକାର ରହିବ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ କହିଛନ୍ତି ଯେ ଯଦି ଜଣେ ହିନ୍ଦୁ ବ୍ୟକ୍ତି ଇଚ୍ଛାପତ୍ର ନ କରି ମୃତ୍ୟୁବରଣ କରନ୍ତି , ତା’ହେଲେ ତାଙ୍କ ଝିଅମାନେ ତାଙ୍କ ସ୍ବଅର୍ଜିତ ତଥା ଅନ୍ୟାନ୍ୟ ସମ୍ପତ୍ତିରେ ଅଧିକାର ପାଇବେ। ବାପାଙ୍କ ଭାଇମାନଙ୍କ ପୁଅ ଅପେକ୍ଷା ଝିଅମାନେ ସମ୍ପତ୍ତିରେ ଅଗ୍ରାଧିକାର ପାଇବେ |

ହିନ୍ଦୁ ମହିଳା ଏବଂ ବିଧବାଙ୍କ ସମ୍ପତ୍ତି ଅଧିକାର ଆଇନ ଉପରେ ସୁପ୍ରିମକୋର୍ଟ ଏହି ରାୟ ଶୁଣାଇଛନ୍ତି । ଗୁରୁବାର ଦିନ ପ୍ରକାଶିତ ଏହି ରାୟରେ ସୁପ୍ରିମକୋର୍ଟ କହିଛନ୍ତି ଯେ ଯଦି କୌଣସି ହିନ୍ଦୁ ବ୍ୟକ୍ତି ଇଚ୍ଛାପତ୍ର ପ୍ରସ୍ତୁତ ନ କରି ମୃତ୍ୟୁ ବରଣ କରନ୍ତି, ତେବେ ଝିଅମାନେ ତାଙ୍କ ଅଧିଗ୍ରହଣ ସମ୍ପତ୍ତି କିମ୍ବା ପରିବାରର ଉତ୍ତରାଧିକାରୀ ସମ୍ପତ୍ତିରେ ଭାଗୀଦାର ହେବେ। ମୃତ ପିତାଙ୍କ ଭାଇଙ୍କ ପୁଅମାନଙ୍କ ଅପେକ୍ଷା ଝିଅମାନଙ୍କୁ ସମ୍ପତ୍ତିରେ ଅଗ୍ରାଧିକାର ଦିଆଯିବ | ମୃତ ପିତାଙ୍କ ସମ୍ପତ୍ତି ତାଙ୍କ ପିଲାମାନଙ୍କ ମଧ୍ୟରେ ଭାଗ ହେବ |

ତାମିଲନାଡୁର ଏକ ମାମଲା ଶୁଣାଣି କରି ଜଷ୍ଟିସ୍ ଏସ୍ ଅବଦୁଲ ନାଜିର ଏବଂ କୃଷ୍ଣ ମୁରାରୀଙ୍କ ଏକ ଖଣ୍ଡପୀଠ ଏହି ୫୧ ପୃଷ୍ଠାର ରାୟ ଦେଇଛନ୍ତି। ଏହି ମାମଲାରେ ପିତାଙ୍କ ୧୯୪୯ରେ ମୃତ୍ୟୁ ହୋଇଯାଇଥିଲା। ସେ ନିଜ ସ୍ବଅର୍ଜ୍ଜିତ ଏବଂ ବିଭାଜିତ ସମ୍ପତ୍ତି ପାଇଁ କୌଣସି ଇଚ୍ଛାପତ୍ର କରିନଥିଲେ | ତାଙ୍କ ପିତା ଏକ ଯୁଗ୍ମ ପରିବାରରେ ରହୁଥିବାରୁ ତାଙ୍କ ସମ୍ପତ୍ତିରେ ତାଙ୍କ ଭାଇଙ୍କ ପୁଅମାନଙ୍କୁ ମାଡ୍ରାସ ହାଇକୋର୍ଟ ଅଧିକାର ପ୍ରଦାନ କରିଥିଲେ। ହେଲେ ମାଡ୍ରାସ ହାଇକୋର୍ଟର ରାୟକୁ ରଦ୍ଦ କରି ମୃତ ପିତାଙ୍କ ଏକମାତ୍ର ଝିଅ ସପକ୍ଷରେ ସୁପ୍ରିମକୋର୍ଟ ରାୟ ଦେଇଛନ୍ତି।

ସୁପ୍ରିମକୋର୍ଟ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ଯଦି ଜଣେ ହିନ୍ଦୁ ମହିଳା ବିନା ଇଚ୍ଛାପତ୍ର କରି ମୃତ୍ୟୁ ବରଣ କରନ୍ତି, ତେବେ ତାଙ୍କ ପିତା କିମ୍ବା ମାତାଙ୍କଠାରୁ ଉତ୍ତରାଧିକାରୀ ଭାବେ ପାଇଥିବା ସମ୍ପତ୍ତି ତାଙ୍କ ପିତାଙ୍କ ଉତ୍ତରାଧିକାରୀଙ୍କ ନିକଟକୁ ଯିବ, ଅର୍ଥାତ୍ ସେ ତୁରନ୍ତ ଭାଇଭଉଣୀ ଏବଂ ଅନ୍ୟମାନଙ୍କ ନିକଟକୁ ଯିବ। ଆଉ ଯେଉଁ ସମ୍ପତ୍ତି ତାଙ୍କୁ ନିଜ ସ୍ୱାମୀ କିମ୍ବା ଶ୍ୱଶୁରଙ୍କ ଠାରୁ ତାହା ସେ ତାଙ୍କ ସ୍ୱାମୀଙ୍କ ଉତ୍ତରାଧିକାରୀ ତଥା ନିଜ ସନ୍ତାନ ଏବଂ ଅନ୍ୟମାନଙ୍କୁ ଦିଆଯିବ |

Comments are closed.