କର୍ତ୍ତବ୍ୟନିଷ୍ଠା ଓ ସଚ୍ଚୋଟତାର ଉଦାହରଣ ସାଜିଲେ ୧୦୮ ଆମ୍ବୁଲାନ୍ସ ଷ୍ଟାଫ୍

ଏକ ଜନମଙ୍ଗଳ ରାଜ୍ୟରେ ଯେତେବେଳେ ଶାସନ ମୁଖ୍ୟଙ୍କ ଆଭିମୁଖ୍ୟ ସଦାସର୍ବଦା ଜନସେବା ଓ ଲୋକାଭିମୁଖୀ ରହିବ, ତେବେ ସେହି ସମ୍ବେଦନଶୀଳ ସରକାରର ଆଭିମୁଖ୍ୟ ତୃଣମୂଳସ୍ତରରେ ମଧ୍ୟ ସମାନ ଢଙ୍ଗରେ ପ୍ରତିଫଳିତ ହେବା ସ୍ବାଭାବିକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେବଳ ଜଣେ ବ୍ୟକ୍ତି ବା ରାଜନେତା ବା ଶାସନ- ପ୍ରଶାସନ ମୁଖ୍ୟ ଭାବେ ନିଜେ ସମଗ୍ର ଓଡ଼ିଶାବାସୀଙ୍କ ମଙ୍ଗଳ, ସୁଖଦୁଃଖରେ ଭାଗୀ ହେବା କଥା ଚିନ୍ତା କରନ୍ତି ତାହା ନୁହେଁ, ବରଂ ସେ ଏକ ବତୀଘର ପରି ରାଜ୍ୟର ଶାସନ- ପ୍ରଶାସନିକ କଳ ପାଇଁ ମଧ୍ୟ ଏଭଳି ଦରଦୀ ଆଭିମୁଖ୍ୟର ପଥପ୍ରଦର୍ଶକ ସାଜି ଆସିଛନ୍ତି। ତାଙ୍କରି ସେଇ ପ୍ରେରଣାରୁ ରାଜ୍ୟତମାମ ବିଭିନ୍ନ ଘଟଣାରେ ଏହାର ଝଲକ ଦେଖିବାକୁ ମିଳୁଛି।

ବଣ ପାହାଡ଼ ଘେରା ଦୁର୍ଗମ ଗଜପତି ଓ କନ୍ଧମାଳ ଜିଲ୍ଲାରେ ବିକାଶ ରଥ ଧିରେ ଧିରେ ଆଗକୁ ଗଡ଼ି ଚାଲିଛି। ହେଲେ ଦୁର୍ଗମ ଭୌଗୋଳିକ ଅବସ୍ଥିତି ଅନେକ ସମୟରେ ବାଧକ ସାଜିଥାଏ। ସେତେବେଳେ ତୃଣମୂଳସ୍ତରର ସରକାରୀ କର୍ମଚାରୀ ନିଜ ଦକ୍ଷତା ଓ କର୍ତ୍ତବ୍ୟପରାୟଣତା ବଳରେ ଲୋକଙ୍କୁ ସେବାର ସୁଫଳ ଯୋଗାଇ ଆସିଥାନ୍ତି। ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ୍ ସମ୍ବଲପୁର ପଞ୍ଚାୟତ ସର୍ଗିସାହି ଗ୍ରାମର ଏମ୍.ଡି.ରଇତ ଗର୍ଭ ଯନ୍ତ୍ରଣାରେ ଛଟପଟ ହେଉଥିଲେ। ତାଙ୍କ ସ୍ଵାମୀ ସୁନିଏଲ ରଇତ ରା.ଉଦୟଗିରିକୁ ଆସି ୧୦୮ ଆମ୍ବୁଲାନ୍ସକୁ ଜଣାଇଥିଲେ। କାଳବିଳମ୍ବ ନକରି ଆମ୍ବୁଲାନ୍ସ ଧରି ଡ୍ରାଇଭର କ୍ରିଷ୍ଣା ନାୟକ ଓ ଫାର୍ମାସିଷ୍ଟ ସଦାଶିବ ପାଣି ଗନ୍ତବ୍ୟସ୍ଥଳ ଅଭିମୁଖେ ବାହାରି ଯାଇଥିଲେ। ହେଲେ ଦୁର୍ଗମ ଅଞ୍ଚଳ ଥିବା ଯୋଗୁଁ ସର୍ଗି ସାହି ପର୍ଯ୍ୟନ୍ତ ଯାଇ ପାରି ନଥିଲା ଆମ୍ବୁଲାନ୍ସ। ପ୍ରାୟ ୩ କିମି ଦୂର ଗୋଠା ସେତୁ ନିକଟରେ ଅଟକିଗଲା ଗାଡ଼ି। ସେଠାରୁ ସର୍ଗି ସାହି ପର୍ଯ୍ୟନ୍ତ ଚାଲିଚାଲି ଯାଇଥିଲେ ୧୦୮ ଆମ୍ବୁଲାନ୍ସ ଷ୍ଟାଫ୍। ପୁଣି ସେଠାରୁ ଷ୍ଟ୍ରେଚର୍‌ରେ ଗର୍ଭବତୀଙ୍କୁ ପରିବାର ଲୋକଙ୍କ ସହଯୋଗରେ ବୋହି ଆଣିଥିଲେ ଫାର୍ମାସିଷ୍ଟ ଓ ଡ୍ରାଇଭର୍‌। ଶେଷରେ ଗର୍ଭବତୀଙ୍କୁ ସ୍ୱାସ୍ଥ୍ୟକେନ୍ଦ୍ରରେ ସୁରୁଖୁରୁରେ ପହଞ୍ଚାଇଥିଲେ।

ଆଉ ଏକ ଘଟଣା ସେହି ନୂଆଗଡ଼ ବ୍ଲକ୍‌ ଅନୁଗୁରୁ ପଞ୍ଚାୟତ ଜୟପୁର ଗ୍ରାମରେ ଘଟିଥିଲା। ଦୁର୍ଗମ ଅଞ୍ଚଳ ଥିବା ଯୋଗୁଁ ପ୍ରସୂତି ଓ ନବଜାତ ଶିଶୁଙ୍କୁ ଘର ପାଖରୁ ଆମ୍ବୁଲାନ୍ସରେ ସ୍ବାସ୍ଥ୍ୟକେନ୍ଦ୍ରକୁ ନେବା ସମ୍ଭବ ନଥିଲା। ହେଲେ ସେମାନଙ୍କ ଡାକ୍ତରଖାନାରେ ପହଞ୍ଚି ପ୍ରାଥମିକ ଚିକିତ୍ସା କରାଯିବା ଜରୁରି ଥିଲା। ଏହି ସମୟରେ ନିଜ କର୍ତ୍ତବ୍ୟନିଷ୍ଠାର ପରିଚୟ ଦେଇଥିଲେ ୧୦୮ ଆମ୍ବୁଲାନ୍ସ ଷ୍ଟାଫ୍। ଅନେକ ଦୂର ଷ୍ଟ୍ରେଚର୍‌ରେ ବୋହି ନେଇ ସେଠାରୁ ଆମ୍ବୁଲାନ୍ସରେ ଡାକ୍ତରଖାନାରେ ପହଞ୍ଚାଇଥିଲେ ମାଆ ଓ ନବଜାତକକୁ। ଦୁହେଁ ଡାକ୍ତରଖାନାରେ ବିଧିବଦ୍ଧ ଚିକିତ୍ସା ପାଇ ସୁସ୍ଥ ହୋଇଥିଲେ। କଠିନ ପରିସ୍ଥିତିରେ ସୂଚାରୁ ରୂପେ ଦାୟିତ୍ୱ ତୁଲାଇଥିବା ସ୍ୱାସ୍ଥ୍ୟ କର୍ମୀ କିନ୍ତୁ ଏହା ଆମ କର୍ତ୍ତବ୍ୟ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି। ପ୍ରତିକୂଳ ପରିସ୍ଥିତିରେ ସଙ୍କଟରୁ ଉଦ୍ଧାର କରିଥିବା ଯୋଗୁଁ ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ରୋଗୀଙ୍କ ପରିବାର ଲୋକ।

କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ଥାନା କଳିଙ୍ଗା ନିକଟ ଜାବେଡ଼ ପାଖରେ ଏକ ସଡ଼କ ଦୁର୍ଘଟଣା ଘଟିଥିଲା। ଯେଉଁଥିରେ ବାଲୁମାହା ଗ୍ରାମର ସନ୍ତୋଷ ପୋଢ ନାମକ ଯୁବକ ଗୁରୁତର ହୋଇଥିଲେ। ସ୍ଥାନୀୟ ଲୋକ ୧୦୮ ଆମ୍ବୁଲାନ୍ସ ସେବାକୁ ଫୋନ୍ କରିବା କ୍ଷଣି ଆମ୍ବୁଲାନ୍ସ ପହଞ୍ଚିଥିଲା। ୧୦୮ ଷ୍ଟାଫ୍ ଅରବିନ୍ଦ ଦିଗାଲ, କରଣ ପରାସେଠ ଓ ବିକାଶ ପ୍ରଧାନ ଗୁରୁତର ସନ୍ତୋଷଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାକୁ ନେଇଥିଲେ। ତେବେ ଏହି ସମୟରେ ଘଟଣାସ୍ଥଳରୁ ଆମ୍ବୁଲାନ୍ସ କର୍ମଚାରୀଙ୍କୁ ମିଳିଥିଲା ୧୧୫୩୦ ଟଙ୍କା। ଆଖପାଖରେ ଆଉ କେହି ନଥିବାରୁ ଉକ୍ତ ଟଙ୍କା ନିଶ୍ଚିତ ଭାବେ ଦୁର୍ଘଟଣାର ଶିକାର ସନ୍ତୋଷଙ୍କ ବୋଲି ଅନୁମାନ କରିଥିଲେ ତିନି କର୍ମଚାରୀ। ପରେ ପରିବାର ଲୋକଙ୍କ ଉପସ୍ଥିତିରେ ଉକ୍ତ ଟଙ୍କାକୁ ସନ୍ତୋଷଙ୍କୁ ହସ୍ତାନ୍ତର କରିଥିଲେ ୧୦୮ ଷ୍ଟାଫ୍। ଆମ୍ବୁଲାନ୍ସ କର୍ମଚାରୀଙ୍କ ଏଭଳି ମାନବିକତାକୁ ପରିବାର ଲୋକ ସାଧୁବାଦ ଜଣାଇଛନ୍ତି।

Comments are closed.