କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଲେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଆରପିଏନ ସିଂ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଏକ ଝଟକା ଲାଗିଛି । କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଆରପିଏନ ସିଂ ମଙ୍ଗଳବାର ଦିନ ଦଳରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଛନ୍ତି ।

ଇସ୍ତଫା ଦେବାର ଗୋଟିଏ ଦିନ ପୂର୍ବରୁ କଂଗ୍ରେସ ତାଙ୍କୁ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଷ୍ଟାର୍ ପ୍ରଚାରକ ତାଲିକାରେ ଅନ୍ତର୍ଭୁକ୍ତ କରିଥିଲା।

କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନିକଟକୁ ପଠାଇଥିବା ଇସ୍ତଫା ପତ୍ରର ଏକ ନକଲ ସିଂହ ଟ୍ୱିଟରରେ ସେୟାର କରି କହିଛନ୍ତି ଯେ ଆଜି ସମଗ୍ର ଦେଶ ଗଣତନ୍ତ୍ର ଦିବସ ପାଳନ କରୁଥିବାରୁ ମୁଁ ମୋର ରାଜନୈତିକ ଜୀବନରେ ଏକ ନୂଆ ଅଧ୍ୟାୟ ଆରମ୍ଭ କରୁଛି। ଜୟ ହିନ୍ଦ। ”

ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇ ସେ କହିଛନ୍ତି ଦେଶ, ଲୋକଙ୍କ ତଥା ଦଳର ସେବା କରିବାର ସୁଯୋଗ ଦେଇଥିବାରୁ ମୁଁ ଆପଣଙ୍କୁ (ସୋନିଆ) ଧନ୍ୟବାଦ ଦେଉଛି।

ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସିଂ ବର୍ତ୍ତମାନ ପର୍ଯ୍ୟନ୍ତ କଂଗ୍ରେସରେ ଜାତୀୟ ମୁଖପାତ୍ର ତଥା ଦଳର ଝାଡ଼ଖଣ୍ଡ ପ୍ରଭାରୀ ଦାୟିତ୍ୱରେ ଥିଲେ।

କେନ୍ଦ୍ରରେ ମନମୋହନ ସିଂଙ୍କ ନେତୃତ୍ୱାଧୀନ ୟୁପିଏ ସରକାରରେ ଆରପିଏନ୍ ସିଂ ଗୃହ ରାଷ୍ଟ୍ରମନ୍ତ୍ରୀ ଥିଲେ। ସେ ୨୦୦୯-୨୦୧୪ ଯାଏଁ ଉତ୍ତର ପ୍ରଦେଶର କୁଶୀନଗର ଲୋକସଭା ଆସନରୁ ସାଂସଦ ଥିଲେ। ଏହାପୂର୍ବରୁ ସେ ଅନେକ ବର୍ଷ ଧରି ପଡରୌନା ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଧାୟକ ଥିଲେ।

ତାଙ୍କୁ ୨୦୧୪ ଏବଂ ୨୦୧୯ ଲୋକସଭା ନିର୍ବାଚନରେ ​​ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା |

କଂଗ୍ରେସ ଛାଡିଥିବା ରାହୁଲ ଗାନ୍ଧୀଙ୍କ ଘନିଷ୍ଠ କୁହାଯାଉଥିବା ଯୁବ ନେତାଙ୍କ ତାଲିକାରେ ଏବେ ଆରପିଏନ୍ ସିଂଙ୍କ ନାମ ବର୍ତ୍ତମାନ ଯୋଡି ହୋଇଛି। ଏହାପୂର୍ବରୁ ଜ୍ୟୋତିରାଦିତ୍ୟ ସିନ୍ଦିଆ ଏବଂ ଜିତିନ ପ୍ରସାଦ ବିଜେପିରେ ଯୋଗ ଦେଇଥିବାବେଳେ ସୁସ୍ମିତା ଦେବ ଏବଂ ଅଶୋକ ତନୱାରଙ୍କ ଭଳି କିଛି ନେତା ତୃଣମୂଳ କଂଗ୍ରେସରେ ଯୋଗ ଦେଇଥିଲେ।

Comments are closed.