କୋଭିଡ୍ ସହାୟତା ରାଶି ବଦଳାଇଛି ଜୀବନ

ପାରଳାଖେମୁଣ୍ଡି: କରୋନା ମହାମାରୀ ଯୋଗୁଁ ସାରା ବିଶ୍ବରେ ଜନଜୀବନ ଗୁରୁତର ପ୍ରଭାବିତ ହୋଇଛି। ଏହାକୁ କେହି ଅସ୍ୱୀକାର କରିପାରିବେନି। ଉଣାଅଧିକେ ସମାଜର ସବୁ ବର୍ଗର ଜନସାଧାରଣ କରୋନା ମାଡ଼ରେ କ୍ଷତି ସହିଛନ୍ତି। ହେଲେ ଆର୍ଥିକ ସ୍ବଚ୍ଛଳ ବର୍ଗର ଲୋକ ତ ଏହାକୁ କୌଣସିମତେ ସମ୍ଭାଳି ନେଇଥିଲେ। କିନ୍ତୁ ସମାଜର ତଳବର୍ଗର, ଆର୍ଥିକ ଦୃଷ୍ଟିରୁ ଦୁର୍ବଳ, ଛୋଟମୋଟ ବେପାର କରି ବା ମୁଲିଆ ଲାଗି ପେଟ ପୋଷୁଥିବା ସାଧାରଣ ଲୋକଙ୍କ ମନର ଚିନ୍ତା ଓ ପେଟର କଷଣ ଏବଂ ହୃଦୟର ପୀଡ଼ାକୁ କେତେଜଣ ବା ବୁଝି ପାରିଥିଲେ। ହଁ, ଆମ ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ଦିଗରେ ସମସ୍ତଙ୍କ ପାଇଁ ଆଦର୍ଶ ସାଜିଛନ୍ତି। କେବଳ ଯେ ମହାମାରୀ ବିରୋଧୀ ଲଢ଼େଇରେ ଓଡ଼ିଶାକୁ ଜିତାଇନାହାନ୍ତି, ବରଂ କୋଟି କୋଟି ଓଡ଼ିଆଙ୍କ ପେଟପାଟଣାର ସୁବ୍ୟବସ୍ଥା ମଧ୍ୟ ସେ କରିଛନ୍ତି। ସାରା ରାଜ୍ୟରୁ ଲକ୍ଷ ଲକ୍ଷ ଏଭଳି ଉଦାହରଣ ମଧ୍ୟରେ ଗଜପତି ଜିଲ୍ଲା ଗୁମ୍ମା ବ୍ଲକରେ ଛୋଟିଆ କିରାନା ସାମାନ ଦୋକାନ କରିଥିବା ସୁନ୍ତନି ଶବରଙ୍କ ଦୃଷ୍ଟାନ୍ତ ଗୋଟିଏ। କରୋନା ଛାଟରେ ଉଜୁଡ଼ି ଯିବାକୁ ବସିଥିବା ତାଙ୍କ ସ୍ବପ୍ନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଦାନ କରିଥିବା ସହାୟତା ବଳରେ ଜୀବନ୍ତ ହୋଇ ଉଠିଛି। ରାଜ୍ୟ ସରକାରଙ୍କ କୋଭିଡ୍ ସହାୟତା ତାଙ୍କ ଭଳି ଅନେକଙ୍କୁ କରୋନା ଆଗରେ ହାର ମାନିବାକୁ ଦେଇନାହିଁ।

ଗୁମ୍ମା ବ୍ଲକ୍‌ କୁତାମ ଗାଁରେ ୨୦୧୮ରୁ ରାଜ୍ୟ ସରକାରଙ୍କ ପ୍ରୋତ୍ସାହନ ବଳରେ ନନ୍ଦିନୀ ଶକ୍ତି ନାମକ ମହିଳା ଏସ୍ଏଚ୍‌ଜି ଗଠିତ ହୋଇଥିଲା। ତାହାର ଜଣେ ସଦସ୍ୟା ଥିଲେ ସୁନ୍ତନି ଶବର। ଛୋଟିଆ ଗୋଟିଏ ତେଜରାତି ଦୋକାନରେ କିଣାବିକା କରି ପରିବାର ପ୍ରତିପୋଷଣ କରି ଆସୁଥିଲେ ସେ। ସ୍ବାମୀ ଜଣେ ଦିବ୍ୟାଙ୍ଗ, ଏଣୁ ଦୋକାନରୁ ଯାହା ରୋଜଗାର ହେଉଥିଲା ସେତକ ହିଁ ପରିବାର ଚଳିବାର ସାହା ଭରସା ଥିଲା। ସବୁ କିଛି ଠିକ୍‌ଠାକ୍ ଥିଲା। ମାସିକ ପ୍ରାୟ ୨ ହଜାର ଟଙ୍କା ଲାଭ ମଧ୍ୟ ହେଉଥିଲା। ହେଲେ ବିପତ୍ତି ଆଣିଥିଲା କରୋନା ମହାମାରୀ। ସମ୍ପୂର୍ଣ୍ଣ ଲକ୍‌ଡାଉନ୍, ସଟଡାଉନ୍, ଦୋକାନ ଖୋଲିବା ସମୟରେ କଟକଣା, କଣ୍ଟେନ୍‌ମେଣ୍ଟ୍ ଜୋନ୍ ଆଦି କାରଣରୁ ସୁନ୍ତନିଙ୍କ ପକ୍ଷରେ ଦୋକାନରେ ବିକ୍ରିବଟା ସକାଶେ ଦରକାରୀ ଜିନିଷ ପାଇବାରେ କଷ୍ଟ ହେଲା। ଗାଡ଼ିମୋଟର ଚଳାଚଳ ସମସ୍ୟା ହେତୁ ସେମାନଙ୍କୁ ବେଶ୍ ଅସୁବିଧା ହୋଇଥିଲା। ବିକ୍ରି ପାଇଁ ନା ଜିନିଷ ଆସିପାରିଲା, ନା ଲୋକେ କିଣି ନେଇ ପାରିଲେ। ସ୍ଥିତି ଏମିତି ବିକଟ ହେଲା ଯେ- କିଛି ସମୟ ପାଇଁ ସେମାନଙ୍କୁ ଦୋକାନରେ ତାଲା ଝୁଲାଇ ଦେବାକୁ ପଡ଼ିଲା। ଯେଉଁ ୨୫ ହଜାର ଟଙ୍କାର ସଞ୍ଚିତ ଅର୍ଥରେ ଦୋକାନ ଖୋଲିଥିଲେ ସେଥିରୁ ପ୍ରାୟ ୧୦ ହଜାର ଟଙ୍କାର କ୍ଷତି ସହିବାକୁ ପଡ଼ିଲା।

ହେଲେ ଏହି ସମୟରେ ରାଜ୍ୟ ସରକାରଙ୍କ କୋଭିଡ୍ ସହାୟତା ସେମାନଙ୍କ ଜୀବନଜୀବିକାରେ ପୁଣି ପ୍ରାଣ ଭରିଦେଲା। ଏସ୍ଏଚ୍‌ଜି ଜରିଆରେ ସୁନ୍ତନି କୋଭିଡ୍ କ୍ଷତିପୂରଣ ସହାୟତା ସମ୍ବନ୍ଧରେ ଜାଣିବାକୁ ପାଇଥିଲେ। ଓଡ଼ିଶା ଜୀବିକା ମିଶନ୍ ମାଧ୍ୟମରେ ପ୍ରଦତ୍ତ ୨୦ ହଜାର ଟଙ୍କାର କୋଭିଡ୍ ସହାୟତା ଋଣ ଗ୍ରହଣ କରିଛନ୍ତି ସୁନ୍ତନି। ନିଜ ଦୋକାନକୁ ପୁଣି ଖୋଲି କାରବାରକୁ ସଳଖିବାକୁ ଚେଷ୍ଟା ଚଳାଇଲେ ସେ। ଆଉ ସଫଳତା ମଧ୍ୟ ମିଳିଲା। ୯ ମାସ ମଧ୍ୟରେ ହିଁ ସେ ଋଣ ଅର୍ଥ ଫେରସ୍ତ କରିପାରିଲେ। ବର୍ତ୍ତମାନ ସେ ମାସକୁ ତିନି ହଜାର ଟଙ୍କା ବିନିଯୋଗ କରି ଆରାମରେ ୩୫୦୦ରୁ ୫୦୦୦ ଟଙ୍କା ଯାଏଁ ଲାଭ କରିପାରୁଥିବା କହନ୍ତି। ବ୍ୟବସାୟ ଏପରି ଚାଲିଲେ ଆଗାମୀ ଦିନରେ ଏହାକୁ ବଢ଼ାଇବାକୁ ଯୋଜନା ରଖିଛନ୍ତି ସୁନ୍ତନି। ସେ କହନ୍ତି- ମୁଖ୍ୟମନ୍ତ୍ରୀ ଦରଦୀ ନେତାଟିଏ ଭଳି ରାଜ୍ୟବାସୀଙ୍କ ଦୁଃଖ ବୁଝି ସେମାନଙ୍କୁ ସରକାରଙ୍କ ଦ୍ବାରା ଅର୍ଥ ସହାୟତା ଦେଉଛନ୍ତି। ମହାମାରୀ ଆମ ପେଟକୁ ଲାତ ମାରିବା ଭଳି ସ୍ଥିତି ସୃଷ୍ଟି କରିଥିଲା। ହେଲେ ରାଜ୍ୟ ସରକାରଙ୍କ କୋଭିଡ୍ ସହାୟତା ଆମ ଜୀବନଜୀବିକାକୁ ପୁଣି ସ୍ବାଭାବିକ କରିବାରେ ବେଶ୍ ସହାୟକ ହୋଇଛି।

Comments are closed.