ଆଜିଠାରୁ ସଂସଦର ବଜେଟ୍ ଅଧିବେଶନ, ପେଗାସସ୍ ଓ ଅନ୍ୟାନ୍ୟ ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ବିରୋଧୀ ପ୍ରସ୍ତୁତ

ନୂଆଦିଲ୍ଲୀ: ଆଜିଠାରୁ ଆରମ୍ଭ ହେଉଛି ସଂସଦର ବଜେଟ୍ ଅଧିବେଶନ | ପରମ୍ପରା ଅନୁଯାୟୀ, ବର୍ଷର ପ୍ରଥମ ଅଧିବେଶନ ହୋଇଥିବାରୁ ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କ ଅଭିଭାଷଣରୁ ବଜେଟ୍ ଅଧିବେଶନ ଆରମ୍ଭ ହେବ। ସେଣ୍ଟ୍ରାଲ ହଲରେ ଉଭୟ ଗୃହର ମିଳିତ ଅଧିବେଶନକୁ ରାଷ୍ଟ୍ରପତି ସମ୍ବୋଧିତ କରିବେ। ରାଷ୍ଟ୍ରପତିଙ୍କ ସମ୍ବୋଧନ ସାଧାରଣତଃ ସରକାରଙ୍କ ସଫଳତା ଏବଂ ଭବିଷ୍ୟତ ଯୋଜନାଗୁଡିକର ବିବରଣୀ ପ୍ରଦାନ କରିଥାଏ | ଅଧିବେଶନର ପ୍ରଥମ ଦିନରେ ରାଷ୍ଟ୍ରପତିଙ୍କ ସମ୍ବୋଧନ ପରେ ଉଭୟ ଗୃହରେ ଅର୍ଥନୈତିକ ସର୍ଭେ -୨୦୨୧-୨୨ ଉପସ୍ଥାପିତ ହେବ, ଯେଉଁଥିରେ ଦେଶର ଆର୍ଥିକ ସ୍ଥିତିର ବିସ୍ତୃତ ବିବରଣୀ ସହିତ ଆର୍ଥିକ-ସାମାଜିକ ନୀତି ଏବଂ କାର୍ଯ୍ୟକ୍ରମଗୁଡିକ ରୂପରେଖର ସଙ୍କେତ ମିଳିବ |

ଅର୍ଥନୈତିକ ସର୍ଭେରେ ଗତ ଏକ ବର୍ଷ ମଧ୍ୟରେ ଦେଶର ପ୍ରଦର୍ଶନର ବିଶ୍ଲେଷଣ ହୋଇଥାଏ | ଅର୍ଥନୈତିକ ସର୍ଭେରେ ଦେଶର ଜିଡିପି ମଧ୍ୟ ଆକଳନ କରାଯାଏ ଓ ଗତ ଏକ ବର୍ଷ ମଧ୍ୟରେ ବିକାଶର ସମୀକ୍ଷା କରାଯାଇଥାଏ | ଏହାଛଡ଼ା ଅର୍ଥନୈତିକ ସର୍ଭେ ଭବିଷ୍ୟତ ପାଇଁ ନୀତି ନିର୍ଦ୍ଧାରଣ ଲାଗି ପରାମର୍ଶ ଦେଇଥାଏ | ବଜେଟ୍ ପୂର୍ବରୁ ସଂସଦର ଉଭୟ ଗୃହରେ ଅର୍ଥନୈତିକ ସର୍ଭେ ଉପସ୍ଥାପିତ ହୁଏ। ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତାଙ୍କ ତତ୍ତ୍ବାବଧାନରେ ଅର୍ଥନୈତିକ ସର୍ଭେ ପ୍ରସ୍ତୁତ ହୋଇଥାଏ ।

ପ୍ରଥମ ଦିନରେ ରାଜ୍ୟସଭାର କାର୍ଯ୍ୟ ଅପରାହ୍ନ ୨.୩୦ରୁ ଆରମ୍ଭ ହେବ। ଦ୍ୱିତୀୟ ଦିନରେ ତଥା ଫେବୃଆରୀ ୧, ମଙ୍ଗଳବାର ଦିନ ୧୧ଟା ସମୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ୨୦୨୨-୨୩ ବର୍ଷ ପାଇଁ କେନ୍ଦ୍ର ବଜେଟ୍ ଉପସ୍ଥାପନ କରିବେ। ସେହି ଦିନ ବଜେଟର ଭାଷଣର ଏକ ଘଣ୍ଟା ପରେ ରାଜ୍ୟସଭାର ପ୍ରକ୍ରିୟା ଆରମ୍ଭ ହେବ ଏବଂ ବଜେଟର ଏକ ନକଲ ଗୃହର ଟେବୁଲ ଉପରେ ରଖାଯିବ।

କରୋନା ମହାମାରୀକୁ ଦୃଷ୍ଟିରେ ରଖି ଉଭୟ ଗୃହର ଚାମ୍ବର ଏବଂ ଗ୍ୟାଲେରୀ ନିମ୍ନ ଗୃହ ସଦସ୍ୟଙ୍କ ବସିବା ପାଇଁ ବ୍ୟବହୃତ ହେବ | ବଜେଟ୍ ଅଧିବେଶନ ସମୟରେ ସମୁଦାୟ ୨୯ଟି ବୈଠକ ଅନୁଷ୍ଠିତ ହେବ, ଯେଉଁଥିରେ ପ୍ରଥମ ପର୍ଯ୍ୟାୟରେ ୧୦ଟି ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ୧୯ଟି ବୈଠକ ହେବ | ପାଞ୍ଚଟି ରାଜ୍ୟ- ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ ଗୋଆ, ପଞ୍ଜାବ ଏବଂ ମଣିପୁରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବାବେଳେ ସଂସଦର ବଜେଟ୍ ଅଧିବେଶନ ବସୁଛି।

କରୋନା ପ୍ରଭାବିତ ପରିବାରଙ୍କ ପାଇଁ ରିଲିଫ୍ ପ୍ୟାକେଜ୍, ମୁଦ୍ରାସ୍ଫୀତି, ବେକାରୀ, ଚାଷୀଙ୍କ ସହ ଜଡିତ ସମସ୍ୟା, ସୀମାରେ ଚୀନ୍ ସହ ବିବାଦ ଏବଂ ଅନ୍ୟାନ୍ୟ ପ୍ରସଙ୍ଗରେ ବଜେଟ୍ ଅଧିବେଶନରେ ସରକାରଙ୍କୁ ଘେରିବାକୁ ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ଅଣ୍ଟା ଭିଡିଛି। ଚୀନ୍ ସୀମାରେ ବୃଦ୍ଧି ପାଉଥିବା ଉତ୍ତେଜନା , ମୁଦ୍ରାସ୍ଫୀତି, ବେକାରୀ, ଅର୍ଥନୈତିକ ସ୍ଥିତି, ଏୟାର ଇଣ୍ଡିଆର ଏବଂ ଅନ୍ୟାନ୍ୟ ରାଷ୍ଟ୍ରାୟତ୍ତ କମ୍ପାନୀ ଗୁଡ଼ିକର ଘରୋଇକରଣ, କୃଷକଙ୍କ ସହ ଜଡ଼ିତ ସମସ୍ୟା ଓ ପେଗାସସ୍ ଭଳି ପ୍ରସଙ୍ଗ ବିରୋଧୀ ସରକାରଙ୍କ ଠାରୁ ଜବାବ ଦାବି କରିବ ।

Comments are closed.