ପଞ୍ଜାବ ନିର୍ବାଚନ: ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ପାଇଁ ଆମ୍ ଆଦମୀ ପାର୍ଟି ଭଳି ଲୋକଙ୍କ ମତାମତ ଲୋଡ଼ିଲା କଂଗ୍ରେସ

ଚଣ୍ଡିଗଡ଼: ପଞ୍ଜାବ ବିଧାନସଭା ନିର୍ବାଚନର ଦିନ ପାଖେଇ ଆସୁଥିବାରୁ ଆମ୍ ଆଦମୀ ପାର୍ଟି ଏବଂ ଅକାଳି ଦଳର ବରିଷ୍ଠ ନେତାମାନେ ଭୋଟ୍ ହାତେଇବା ଉଦ୍ୟମ ଆହୁରି ଜୋରଦାର କରିଛନ୍ତି। ଅନ୍ୟପକ୍ଷରେ ଦଳର ମୁଖ୍ୟମନ୍ତ୍ରୀ ଚେହେରା କିଏ ହେବ ସେନେଇ ଶାସକ କଂଗ୍ରେସ ଭିତରେ ସହମତି ହୋଇପାରି ନାହିଁ। ପାର୍ଟି ସୂତ୍ରରୁ ପ୍ରକାଶ ଯେ ବର୍ତ୍ତମାନ ଆମ୍ ଆଦମୀ ପାର୍ଟି ପରି କଂଗ୍ରେସ ହାଇକମାଣ୍ଡ ମଧ୍ୟ ପଞ୍ଜାବରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଚୟନ ପାଇଁ ଲୋକଙ୍କ ମତାମତ ଲୋଡ଼ିବାକୁ ନିଷ୍ପତ୍ତି ନେଇଛି |

ପଞ୍ଜାବ ବିଧାନସଭା ନିର୍ବାଚନରେ ​​ଚରଣଜିତ ସିଂ ଚନ୍ନି ଏବଂ ନବଜୋତ ସିଂ ସିଦ୍ଧୁଙ୍କ ମଧ୍ୟରେ ରାଜନୈତିକ ଯୁଦ୍ଧ ଦଳକୁ ଅଧିକ ଅସହଜ କରୁଛି। କିଛି ଦିନ ପୂର୍ବେ ପଞ୍ଜାବରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଏକ ଭର୍ଚୁଆଲ ରାଲିରେ ସିଦ୍ଧୁ ନିଜେ ମଞ୍ଚ ଉପରେ ହିଁ ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା କରିବାକୁ ଦାବି କରିଥିଲେ। ଯଦିଓ ରାହୁଲ ଗାନ୍ଧୀ ଏହି କଥାକୁ ଏଡ଼ାଇ ଯାଇଥିଲେ, କିନ୍ତୁ ଦଳ ସୂତ୍ରରୁ ପ୍ରକାଶ ଯେ ସିଏମ୍ ଚେହେରା ନେଇ ହାଇ କମାଣ୍ଡ ସିଦ୍ଧୁ ଏବଂ ଚନ୍ନିଙ୍କୁ ମନାଇବାରେ ସକ୍ଷମ ହୋଇନାହାଁନ୍ତି।

ଦଳୀୟ ସୂତ୍ରରୁ ପ୍ରକାଶ ଯେ ବର୍ତ୍ତମାନ ଆମ୍ ଆଦମୀ ପାର୍ଟି ପରି ଆଇଭିଆର କଲ୍ ମାଧ୍ୟମରେ ପଞ୍ଜାବରେ ଏହାର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ପାଇଁ କଂଗ୍ରେସ ହାଇକମାଣ୍ଡ ଜନମତ ଗ୍ରହଣ କରୁଛି। ଆଇଭିଆର୍ ରେ ତିନୋଟି ବିକଳ୍ପ ଅଛି | ସିଏମ୍ ଚରଣଜିତ୍ ସିଂ ଚନ୍ନିଙ୍କ ନାମ ଏକ ନମ୍ବରରେ ଅଛି, ତା’ପରେ ନବଜୋତ ସିଦ୍ଧୁଙ୍କ ନାମ ରହିଛି। ତୃତୀୟ ବିକଳ୍ପରେ କଂଗ୍ରେସ ବିନା ମୁଖ୍ୟମନ୍ତ୍ରୀ ଚେହେରାରେ ବିଧାନସଭା ନିର୍ବାଚନ ଲଢ଼ିବା ଉଚିତ କି ବୋଲି ପଚରାଯାଇଛି ?

Comments are closed.