ପଶ୍ଚିମାଝଡ ପ୍ରଭାବ : ରାଜ୍ୟରେ ଅନେକ ଜିଲ୍ଲାରେ ଦୁଇ ଦିନ ବର୍ଷିବ

ଭୁବନେଶ୍ୱର – ରାଜ୍ୟରେ ଦୁଇ ଦିନ ଧରି ବିଭିନ୍ନ ସ୍ଥାନରେ ବର୍ଷା ହେବ । ବଙ୍ଗୋପସାଗର ମଧ୍ୟରୁ ରାଜ୍ୟଆଡକୁ ପ୍ରବେଶ କରୁଥିବା ମାତ୍ରାଧିକ ଉଷ୍ମ ଜଳୀୟ ବାଷ୍ପର ପ୍ରଭାବରେ ଗୁରୁବାର ଓ ଶୁକ୍ରବାର କିଛି ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ହେବା ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ କହିଛି । କିଛି ସ୍ଥାନରେ କୁଆପଥର ବର୍ଷା ହୋଇପାରେ । ଭୁବନେଶ୍ୱର ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ସୂଚନା ଅନୁସାରେ ୩ ତାରିଖ ଗୁରୁବାର ସକାଳ ସାଢେ ୮ରୁ ୪ ତାରିଖ ସକାଳ ସାଢେ ୮ ମଧ୍ୟରେ ସୋନପୁର, ବଲାଙ୍ଗିର, ନୂଆପଡା, ବୌଦ୍ଧ ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ । ଉତ୍ତର ଆଭ୍ୟନ୍ତରୀଣ ଓଡିଶାରେ ମଧ୍ୟ ବର୍ଷା ସମ୍ଭାବନା ରହିଛି । ବରଗଡ, ଝାରସୁଗୁଡା, ସମ୍ବଲପୁର, ସୁନ୍ଦରଗଡ,ଦେବଗଡ, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ହେବ ।ଏସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୪ ତାରିଖରେ ମଧ୍ୟ ଉତ୍ତର ଓ ଦକ୍ଷିଣ ଓଡିଶାର ଜିଲ୍ଲାଗୁଡିକର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ । ବର୍ଷାର ବିସ୍ତୃତି ଓ ପରିମାଣ ବୃଦ୍ଧି ସହ କରାମାଡ ସମ୍ଭାବନା ବି ରହିଛି । ଅଦିନିଆ ବର୍ଷା ଯୋଗୁଁ ପରିବା ଓ ଉଦ୍ୟାନ ଚାଷ ପ୍ରଭାବିତ ହେବ ।

Comments are closed.