ଓସ୍କାର ପୁରସ୍କାର ଦୌଡ଼ରେ ଭାରତୀୟ ଡକ୍ୟୁମେଣ୍ଟାରୀ “ରାଇଟିଂ ଓ୍ବିଦ୍ ଫାୟାର୍”

ନୂଆଦିଲ୍ଲୀ: ଭାରତୀୟ ଡକ୍ୟୁମେଣ୍ଟାରୀ “ରାଇଟିଂ ଓ୍ବିଦ୍ ଫାୟାର୍” ଶ୍ରେଷ୍ଠ ଡକ୍ୟୁମେଣ୍ଟାରୀ ଫିଚର ବର୍ଗରେ ଓସ୍କାର ପୁରସ୍କାର ପାଇଁ ମନୋନୀତ ହୋଇଛି |

ଓସ୍କାର ବା ଏକାଡେମୀ ପୁରସ୍କାରର ୯୪ତମ ସଂସ୍କରଣ ପାଇଁ ଚୂଡ଼ାନ୍ତ ତାଲିକାରେ ମନୋନୀତ ହୋଇଥିବା ଏହି ଡକ୍ୟୁମେଣ୍ଟାରୀ ଚଳଚ୍ଚିତ୍ରକୁ ରିଣ୍ଟୁ ଥୋମାସ୍ ଏବଂ ସୁସ୍ମିତ ଘୋଷ ନିର୍ଦ୍ଦେଶନା ଦେଇଛନ୍ତି। ଏହା ଉଭୟଙ୍କ ଡେବ୍ୟୁ ଫିଲ୍ମ।

ଗଣମାଧ୍ୟମ ସହ ବାର୍ତ୍ତାଳାପ ବେଳେ ସୁସ୍ମିତ ଘୋଷ କହିଛନ୍ତି, “ଆମେ ବହୁତ ଖୁସି। ଏହା ଆମ ତଥା ଭାରତୀୟ ସିନେମା ପାଇଁ ଏକ ବଡ଼ ମୁହୂର୍ତ୍ତ। ଏହି ଚଳଚ୍ଚିତ୍ରଟି ଜଣେ ନିର୍ଭୀକ ଦଳିତ ମହିଳାଙ୍କ ଉପରେ ଆଧାରିତ, ଯିଏକି ଶକ୍ତିଶାଳୀ ହେବାର ପରିଭାଷା ବଦଳାଇଛନ୍ତି।

ଏହି ଡକ୍ୟୁମେଣ୍ଟାରୀ ଦଳିତ ମହିଳାଙ୍କ ଦ୍ୱାରା ପରିଚାଳିତ ପ୍ରଥମ ଖବରକାଗଜ ‘ ଖବର ଲହରିଆ’ ଉତ୍ଥାନର କାହାଣୀ | ଏଥିରେ କାମ କରୁଥିବା ସବୁ କର୍ମଚାରୀ ହେଉଛନ୍ତି ମହିଳା ଏବଂ ସେମାନେ ସମାଜର ଦଳିତ, ଆଦିବାସୀ ଏବଂ ସଂଖ୍ୟାଲଘୁ ବର୍ଗରୁ ଆସିଛନ୍ତି |

୨୦୦୨ ମସିହାରେ ଚିତ୍ରକୁଟରୁ ଆରମ୍ଭ ହୋଇଥିବା ଆଠ ପୃଷ୍ଠା ବିଶିଷ୍ଟ ଖବରକାଗଜ ‘ଖବର ଲାହରିଆ’ରେ ମହିଳା ସାମ୍ବାଦିକମାନେ ସମାଜରେ ଘଟୁଥିବା ପରିବର୍ତ୍ତନ, ଦୁର୍ନୀତି, ଅସମ୍ପୂର୍ଣ୍ଣ ସରକାରୀ ପ୍ରତିଶ୍ରୁତି, ଗରିବ ଏବଂ ମହିଳାଙ୍କ କାହାଣୀ କିଥାଏ।

ଏହି ଡକ୍ୟୁମେଣ୍ଟାରୀ ଅତୀତରେ ଅନେକ ଜାତୀୟ ତଥା ଆନ୍ତର୍ଜାତୀୟ ସମ୍ମାନ ହାସଲ କରିଛି ଏବଂ ଏବେ ଏହା ଓସ୍କାର ପୁରସ୍କାର ଦୌଡ଼ରେ ସାମିଲ ହୋଇଛି |

Comments are closed.