ବିଜେପି ହତାଦର କଲା… ବିଜେଡିରେ ସାମିଲ ହେଲେ ପଦ୍ମ ଦଳର ପୂର୍ବତନ ଜିଲ୍ଲା ସଭାପତି

ପାରଳାଖେମୁଣ୍ଡି: ପଞ୍ଚାୟତ ନିର୍ବାଚନ ପୂର୍ବରୁ ଗଜପତି ଜିଲ୍ଲା ବିଜେପିକୁ ଜୋରଦାର ଝଟ୍‌କା ଲାଗିଛି। ଦଳର ପୂର୍ବତନ ଜିଲ୍ଲା ସଭାପତି ତଥା ଜିଲ୍ଲାର ଟାଣୁଆ ନେତା ଜି.ଭେଙ୍କଟରାମଣା (ରାବଣା) ବିଜେଡି ଦଳର ସଦସ୍ୟତା ଗ୍ରହଣ କରିଛନ୍ତି। ବିଜେଡି ମିଶ୍ରଣ ପର୍ବରେ ସେ ପଦ୍ମ ଦଳକୁ ବାଏ ବାଏ କହି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଓ ଆଦର୍ଶକୁ ଗ୍ରହଣ କରିଛନ୍ତି। ତାଙ୍କ ସହ ବହୁସଂଖ୍ୟକ ସମର୍ଥକ, ବିଜେପି ନେତା ଓ କର୍ମୀ ମଧ୍ୟ ବିଜେଡିରେ ସାମିଲ ହୋଇଛନ୍ତି। ବିଶେଷ କରି ବିଜେପି ଟାଣୁଆ ବୋଲି କୁହାଯାଉଥିବା କାଶୀନଗର ବ୍ଲକ୍‌ର କିଛି ପଦ୍ମ ଦଳ କର୍ମୀ ମଧ୍ୟ ବିଜେଡିରେ ମିଶିଛନ୍ତି। ଫଳରେ ଗଜପତି ଜିଲ୍ଲାରେ ବିଜେଡିକୁ ଅଧିକ ଶକ୍ତି ମିଳିଥିବା ବେଳେ ସେହି ଅନୁସାରେ ଦୁର୍ବଳ ହୋଇଛି ବିଜେପି।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ ଯୋଜନା ଏବଂ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡି ପ୍ରତି ଆକୃଷ୍ଟ ହୋଇଛି। ଆଜି ଠାରୁ ହିଁ ପ୍ରଚାର କାମରେ ଲାଗିବି ଏବଂ ସବୁ ଜୋନ୍‌ରେ ବିଜେଡି କିଭଳି ବିଜୟୀ ହେବ ସେଥିପାଇଁ ପ୍ରୟାସ କରିବି ବୋଲି କହିଛନ୍ତି ରାବଣା।

ଏହି ମିଶ୍ରଣ ପର୍ବ ଅବସରରେ ବିଜେପି ଦଳର ତୃଣମୂଳସ୍ତରରୁ ଆରମ୍ଭ କରି ଜିଲ୍ଲାସ୍ତର ପର୍ଯ୍ୟନ୍ତ ନେତା ଓ କର୍ମୀ କିଭଳି ଖୋଦ୍ ଦଳର ନିର୍ବାଚିତ ପ୍ରତିନିଧି ତଥା ବରିଷ୍ଠ କର୍ମକର୍ତ୍ତାଙ୍କ ଦ୍ଵାରା ହତାଦର ହୋଇଛନ୍ତି ତାହା ପଦାରେ ପଡ଼ିଛି। ବିଜେଡିରେ ମିଶିଥିବା ରାବଣା କହିଛନ୍ତି ଯେ- ବିଜେପିରେ କିଛି ଦିନ ହେଲା ତାଙ୍କୁ ଓ ବହୁ ପୁରୁଖା ନେତା ଓ କର୍ମୀଙ୍କୁ ଅଣଦେଖା କରାଯାଉଥିଲା। ଯେଉଁମାନେ ଜିଲ୍ଲାରେ ବିଜେପିକୁ ଏତେ ଦୂର ନେଇ ଆସିଥିଲେ ସେମାନଙ୍କୁ ହିଁ ଏବେ ହତାଦର କରାଯାଉଛି। ଅନ୍ୟ ପାର୍ଟିରୁ ଆସିଥିବା ନେତାଙ୍କୁ ଗୁରୁତ୍ଵ ମିଳୁଛି, ମାତ୍ର ଆମକୁ ଅଣଦେଖାକୁ ରାଜ୍ୟ ନେତୃତ୍ଵ ମଧ୍ୟ ଧ୍ୟାନ ଦେଉନାହାନ୍ତି। ତେଣୁ ପୁରୁଣା କର୍ମୀଙ୍କ ମନରେ କ୍ଷୋଭ ରହିଛି। ମୋ ଭଳି ଆହୁରି ଅନେକ ପୁରାତନ ନେତା ଓ କର୍ମୀ ପାର୍ଟିରେ କୋଣଠେସା ହୋଇ ରହିଛନ୍ତି। ଆଗାମୀ ଦିନରେ ସେମାନେ ମଧ୍ୟ ବିଜେପି ଛାଡି ନବୀନ ବାବୁଙ୍କ ନେତୃତ୍ବକୁ ସ୍ବୀକାର କରିବେ ବୋଲି ସଙ୍କେତ ଦେଇଛନ୍ତି ରାବଣା। ଆହୁରି ମଧ୍ୟ ସେ କହିଛନ୍ତି ଯେ- ବିଜେଡି ଛାଡ଼ିଥିବା ତଥା ଏବେ ବିଜେପି ଜିଲ୍ଲା ସଭାପତି ପଦରେ ଆସୀନ ହୋଇଥିବା ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ ଦଳୀୟ ନୀତି ଓ ଆଦର୍ଶକୁ ଜଳାଞ୍ଜଳି ଦେଇ ନିଜ ସ୍ବାର୍ଥରେ ପାର୍ଟିକୁ ବ୍ୟବହାର କରୁଛନ୍ତି। ତେଣୁ ମୁଁ ବିଜେପି ଛାଡ଼ିଛି।

ବିଜେଡି ନିର୍ବାଚନୀ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ଜିଲ୍ଲା ବିଜେଡି ସଭାପତି ପ୍ରଦୀପ ନାୟକ ଅଧ୍ୟକ୍ଷତା କରିଥିଲେ। ବିଜେଡି ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ ଓ ଅମିତ ମଲ୍ଲିକ, ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ବିଜେଡି ନେତା ଡ. ତିରୁପତି ପାଣିଗ୍ରାହୀ, ପାରଳା ରାଜକୁମାରୀ କଲ୍ୟାଣୀ ଗଜପତି ପ୍ରମୁଖ ଉପସ୍ଥିତ ଥିଲେ। କୁହାଯାଉଛି ଗତ କିଛି ଦିନ ହେଲା ଯେଭଳି ଜିଲ୍ଲା ଓ ବିଭିନ୍ନ ବ୍ଲକ୍‌ର ବିଜେପି ନେତାଏ ବିଜେଡିରେ ସାମିଲ ହେବାରେ ଲାଗିଛନ୍ତି ତାହା କେବଳ ବିଜେପି ଗଡ଼ ପତନର ଆରମ୍ଭ ମାତ୍ର। ଆଗାମୀ ଦିନରେ ବିଜେପିର ପତନ ଘଟିବା ସହ ବିଜେଡି ତାର ପୂର୍ବ ସ୍ଥିତିକୁ ଫେରିବ। ଯଦିଓ ବିଜେପି ଜିଲ୍ଲା ସଭାପତି ତଥା ପାରଳା ବିଧାୟକ କେ.ନାରାୟଣ ରାଓ ଦମ୍ଭୋକ୍ତି ଦେଖାଇଛନ୍ତି ଯେ- ରାବଣାଙ୍କ ଦଳତ୍ୟାଗ ବିଜେପି ଉପରେ କୌଣସି ପ୍ରଭାବ ପକାଇବନି କିନ୍ତୁ ଆଗାମୀ ଦିନରେ ତ ଏହା ସ୍ପଷ୍ଟ ହୋଇଯିବ ଯେ କାହା ପଲ୍ଲା ଭାରି ହେବାରେ ଲାଗିଛି।

ଉଲ୍ଲେଖଯୋଗ୍ୟ ଯେ- ଫେବ୍ରୁଆରୀ ୬ ତାରିଖରେ ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ୍ ବଡ଼ଗାଁ ଠାରେ ହୋଇଥିବା ମିଶ୍ରଣ ପର୍ବରେ ଲାଇଲାଇ ଅଞ୍ଚଳର ବହୁ କର୍ମୀ ଅନ୍ୟ ଦଳ ଛାଡ଼ି ବିଜେଡିରେ ସାମିଲ ହୋଇଥିଲେ। ସେହିପରି ୫ ତାରିଖରେ ମୋହନା ବ୍ଳକ୍‌ ଅନ୍ତର୍ଗତ ଲୁହାଗୁଡ଼ି ଠାରେ ଆୟୋଜିତ ମିଶ୍ରଣ ପର୍ବରେ ଗୋବିନ୍ଦପୁର, ମଳାସପଦର ଓ ଜରଉ ପଞ୍ଚାୟତରୁ ଅନ୍ୟ ଦଳର ଶତାଧିକ କର୍ମୀ ବିଜେଡିରେ ଯୋଗ ଦେଇଥିଲେ। ବ୍ରହ୍ମପୁର ସାଂସଦଙ୍କ ସମେତ ଦଳର ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ବିଧାୟକ ଅତନୁ ସବ୍ୟସାଚୀ ନାୟକ ସେମାନଙ୍କୁ ଦଳୀୟ ଉତ୍ତରୀୟ ଦେଇ ସ୍ବାଗତ କରିଥିଲେ। ସେହିଦିନ ନୂଆଗଡ଼ ବ୍ଲକ୍‌ର ଖଜୁରୀପଦାରେ ଶତାଧିକ କଂଗ୍ରେସ ଓ ବିଜେପି କର୍ମୀ ଦଳ ତ୍ୟାଗ କରି ବିଜେଡିରେ ମିଶିଥିଲେ। ଗତ ୩୧ ତାରିଖରେ କାଶୀନଗର ବ୍ଲକ୍‌ର କେ.ସୀତାପୁର ପଞ୍ଚାୟତ ସିଙ୍ଗିପୁର ଗ୍ରାମରେ ବହୁ କର୍ମୀ ବିଜେପି ଛାଡ଼ି ବିଜେଡିରେ ଯୋଗଦାନ କରିଥିଲେ। ସରପଞ୍ଚ ପ୍ରାର୍ଥୀ ପାର୍ଥି କେ.ତେଜେଶ୍ୱର ରାଓଙ୍କ ନେତୃତ୍ବରେ ସିଙ୍ଗିପୁର ଗ୍ରାମର ବହୁ ଯୁବ ଗୋଷ୍ଠୀଙ୍କ ସମେତ ପ୍ରାୟ ୩୦୦ ମହିଳା ଓ ପୁରୁଷ ଏହି ମିଶ୍ରଣ ପର୍ବରେ ବିଜେଡିର ସଦସ୍ୟତା ଗ୍ରହଣ କରିଥିଲେ। ଏଥିରୁ ସ୍ପଷ୍ଟ ଯେ ଗଜପତି ଜିଲ୍ଲାରେ ବିଜେଡିର ଲଗାତର ଶକ୍ତି ବୃଦ୍ଧି ହୋଇ ଚାଲିଛି।

Comments are closed.