ଡେବ୍ରିଗଡ଼ରୁ ସ୍ଥାନାନ୍ତର ହେବ ୩ ଗାଁ, ସ୍ଥାୟୀ କ୍ୟାମ୍ପରେ ସେପ୍ଟେମ୍ବର ସୁଦ୍ଧା ସବୁ ମୌଳିକ ସୁବିଧା

ସମ୍ବଲପୁର : ଡେବ୍ରିଗଡ ଅଭୟାରଣ୍ୟରୁ ଇତିମଧ୍ୟରେ ଲମ୍ବିପାଲି ଗାଁ ସ୍ଥାନାନ୍ତର ହୋଇସାରିଛି। ଏହାର ଥଇଥାନ କାର୍ଯ୍ୟକ୍ରମ ବି ସନ୍ତୋଷଜନକ ରହିଛି। ତେବେ, ଏଠାରୁ ଆଉ ୩ଟି ଗାଁ ବି ଉଚ୍ଛେଦ ହେବାକୁ ଯାଉଥିବା ବେଳେ ଏମାନଙ୍କ ଥଇଥାନ ନେଇ ଆରଡିସିଙ୍କ ଅଧ୍ୟକ୍ଷତାରେ ଗୁରୁତ୍ବପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ଆସନ୍ତା ସେପଟେମ୍ବର ସୁଦ୍ଧା ସ୍ଥାୟୀ କ୍ୟାମ୍ପରେ ସବୁ ପ୍ରକାର ମୌଳିକ ସୁବିଧା ଉପଲବ୍ଧ କରାଇବାକୁ ଆରଡିସି ସୁରେଶ ଚନ୍ଦ୍ର ଦଳାଇ ନିର୍ଦ୍ଦେଶ ଦେଇଛନ୍ତି।

ଡେବ୍ରିଗଡ ଅଭୟାରଣ୍ୟ ତଥା ହୀରାକୁଦ ଜଳଭଣ୍ଡାର ଭିତରେ ରହିଯାଇଥିବା ବରଗଡ ଜିଲ୍ଲାର ଅମ୍ବାଭୋନା ତହସିଲ ଅନ୍ତର୍ଗତ ରେଙ୍ଗାଲି, ଭୁତୁଲି ଏବଂ କୁରୁମକେଲ ଗାଁ ଖୁବ୍ ଶୀଘ୍ର ଉଚ୍ଛେଦ ହେବାକୁ ଯାଉଛି। ଗୋଟିଏ ପଟେ ଜଳଭଣ୍ଡାର ଓ ଅନ୍ୟ ପଟେ ଘଞ୍ଚ ଜଙ୍ଗଲ ଘେରି ରହିଥିବାରୁ ଏହି ଗାଁ ଗୁଡିକରେ ବିକାଶ ପହଞ୍ଚିପାରୁନାହିଁ। ସେପଟେ ଡେବ୍ରିଗଡର ବିକାଶ ଦିଗରେ ବି ଅନ୍ତରାୟ ସୃଷ୍ଟି ହେଉଛି। ଏହି ଦୃଷ୍ଟିରୁ ଏହି ଗାଁଗୁଡିକୁ ଅନ୍ୟତ୍ର ସ୍ଥାନାନ୍ତରିତ କରିବାକୁ ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ ଯୋଜନା କରିଛି। ଦୁଇମାସ ପୂର୍ବରୁ ଅତାବିରା ବ୍ଲକର ଲମ୍ବିପାଲି ଗାଁକୁ ସଫଳତାର ସହ ସ୍ଥାନାନ୍ତର କରାଯାଇଛି। ଏବେ ଏହି ୩ଟି ଗାଁ ଉଚ୍ଛେଦ ହେବାକୁ ଯାଉଛି। ତେବେ, ଏମାନଙ୍କ ପାଇଁ ଉଦ୍ଧିଷ୍ଟ ସ୍ଥାୟୀ କ୍ୟାମ୍ପରେ ସବୁ ପ୍ରକାର ମୌଳିକ ସୁବିଧା ଆସନ୍ତା ସେପଟେମ୍ବର ମାସ ସୁଦ୍ଧା ଉପଲବ୍ଧ କରାଇବାକୁ ଆରଡିସି ସୁରେଶ ଚନ୍ଦ୍ର ଦଳାଇ ନିର୍ଦ୍ଦେଶ ଦେଇଛନ୍ତି।
ଡେବ୍ରିଗଡ ଅଭୟାରଣ୍ୟ ଏବଂ ହୀରାକୁଦ ଜଳଭଣ୍ଡାର ମଧ୍ୟରେ ରହି ଆସିଥିବା ଗାଁ ଗୁଡିକୁ ସ୍ଥାନାନ୍ତର ପାଇଁ କିଛି ବର୍ଷ ପୂର୍ବରୁ ଯୋଜନା ହୋଇଥିଲା। ଡେବ୍ରିଗଡର ବିକାଶ ସାଙ୍ଗକୁ ଏହି ଗାଁ ଲୋକଙ୍କ ବିକାଶ ଦୃଷ୍ଟିରୁ ଏହି ସ୍ଥାନାନ୍ତର ଜରୁରୀ ବୋଲି ବନ୍ୟ ପ୍ରାଣୀ ବିଭାଗ ଏବଂ ପ୍ରଶାସନ କହି ଆସିଛି। ଏହି ପରିପ୍ରେକ୍ଷୀରେ 2 ମାସ ପୂର୍ବରୁ ଅତାବିରା ବ୍ଲକ ଅନ୍ତର୍ଗତ ଲମ୍ବିପାଲି ଗାଁ ଉଚ୍ଛେଦ ହୋଇସାରିଥିବା ବେଳେ ଅସ୍ଥାୟୀ କ୍ୟାମ୍ପରେ ସେମାନଙ୍କୁ ଥଇଥାନ କରାଯାଇଛି।
ସେହିପରି ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଜଳଭଣ୍ଡାର କୂଳରେ ଥିବା ରେଙ୍ଗାଲି, ଭୁତୁଲି ଏବଂ କୁରୁମକେଲ ଗାଁ ବି ଖୁବ୍ ଶୀଘ୍ର ସ୍ଥାନାନ୍ତର ହେବାକୁ ଯାଉଛି। ଏନେଇ ଏହି ଗାଁଗୁଡିକରେ ଗତବର୍ଷ ଅକ୍ଟୋବର 8 ତାରିଖରେ ଗ୍ରାମସଭା ହୋଇଥିଲା। ଆଉ ଲୋକେ ଏଥିପାଇଁ ସହମତି ବି ପ୍ରକାଶ କରିଥିଲେ। ଭୁତୁଲି ଗାଁରେ 91 ପରିବାର ଥିବା ବେଳେ ରେଙ୍ଗାଲିରେ 55 ଏବଂ କୁରୁମକେଲରେ 213 ପରିବାର ରହି ଆସୁଛନ୍ତି। ମୋଟ୍ 359ଟି ପରିବାର ଆଗକୁ ସ୍ଥାନାନ୍ତର ହେବାକୁ ଯାଉଛନ୍ତି ବୋଲି ଆଜିର ବୈଠକରେ ଡିଏଫ୍ଓ ଅଂଶୁ ପ୍ରଜ୍ଞା ଦାସ ସୂଚନା ଦେଇଥିଲେ।
ତେବେ, ଏମାନଙ୍କ ପାଇଁ ଉଦ୍ଧିଷ୍ଟ ସ୍ଥାୟୀ କ୍ୟାମ୍ପରେ ଆସନ୍ତା ସେପଟେମ୍ବର ସୁଦ୍ଧା ବିଜୁଳି ଏବଂ ପାନୀୟ ଜଳ ସୁବିଧା ଉପଲବ୍ଧ କରାଇବାକୁ ଆଜିର ବୈଠକରେ ସ୍ଥିର ହୋଇଛି। ସ୍ଥାୟୀ କଲୋନୀର ରାସ୍ତା ନିର୍ମ।ଣ ସମେତ ସବୁ ପରିବାରକୁ ପକ୍କା ଘର ମଧ୍ୟ ଆସନ୍ତା ସେପଟେମ୍ବର ସୁଦ୍ଧା ବ୍ୟବସ୍ଥା କରିବାକୁ ବରଗଡ ପିଡି ଡିଆରଡିଏଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ମୋଟ୍ ଉପରେ ଏହି ଗ୍ରାମବାସୀଙ୍କୁ ଉତ୍ତମ ସ୍ବାସ୍ଥ୍ୟ, ଶିକ୍ଷା, ଗମନାଗମନ, ପାନୀୟଜଳ ଏବଂ ବିଜୁଳି ଆଦି ସମସ୍ତ ମୌଳିକ ସୁବିଧା ଯୋଗାଇ ଦିଆଯିବ। ସେହିପରି ପ୍ରତି ପରିବାରକୁ 10 ଡେସିମିଲ ଘର ଡିହ ଜମି ସମେତ ପକ୍କା ଘର ଯୋଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ବୈଠକରେ ଆରଡିସିଙ୍କ ସଚିବ ଭିପିକେ ଏକ୍କା, ବନ ସଂରକ୍ଷକ ଚିତ୍ତରଞ୍ଜନ ମିଶ୍ର, ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ୍ ଡିଏଫ୍ଓ ଅଂଶୁ ପ୍ରଜ୍ଞା ଦାସ, ବରଗଡ ଅତିରିକ୍ତ ଜିଲ୍ଲାପାଳ ନବୀନ କୁମାର ପଟେଲ, ଉପଖଣ୍ଡ ମାଜିଷ୍ଟ୍ରେଟ୍ ଶୁଭେନ୍ଦ୍ର କୁମାର ସାଲ, ଟିପିଡବ୍ଲୁଓଡିଏଲ୍ ଜିଏମ୍ ସନ୍ତୋଷ କୁମାର ଦର୍ଜୀ, ଅଧୀକ୍ଷଣ ଯନ୍ତ୍ରୀ ସୁରେନ୍ଦ୍ର କୁମାର ହୋତା ଏବଂ ନିର୍ବାହୀ ଯନ୍ତ୍ରୀ ସତ୍ୟବ୍ରତ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.