ହିଜାବ ପିନ୍ଧିବା ଝିଅ ଦିନେ ଭାରତର ପ୍ରଧାନମନ୍ତ୍ରୀ ହେବ, ହିଜାବ ବିବାଦ ମଧ୍ୟରେ ଓଓ୍ବେସିଙ୍କ ଟ୍ବିଟ୍

ନୂଆଦିଲ୍ଲୀ: ହିଜାବ ବିବାଦ ମଧ୍ୟରେ ଅଲ ଇଣ୍ଡିଆ ମଜଲିସ୍-ଇ-ଇଥାହାଦୁଲ ମୁସଲିମୀନ୍ (ଏଆଇଏମ୍ଆଇଏମ୍) ମୁଖ୍ୟ ତଥା ଲୋକସଭା ସାଂସଦ ଅସଦୁଦ୍ଦିନ ଓଓ୍ବେସିଙ୍କ ଏକ ଟ୍ବିଟକୁ ନେଇ ଚର୍ଚ୍ଚା ହେଉଛି । ସେ ଏଥିରେ କହିଛନ୍ତି, ଇନସା ଆଲ୍ଲା, ହିଜାବ ପିନ୍ଧିବା ଝିଅ ଦିନେ ଭାରତର ପ୍ରଧାନମନ୍ତ୍ରୀ ହେବ। କର୍ଣ୍ଣାଟକରେ ଚାଲିଥିବା ହିଜାବ ବିବାଦ ମଧ୍ୟରେ ସେ ଏଭଳି ଟ୍ବିଟ୍ କରିଛନ୍ତି। କର୍ଣ୍ଣାଟକରେ ଉଡୁପିରେ ଏକ ସରକାରୀ କଲେଜରେ ହିଜାବ ପିନ୍ଧିବା ଯୋଗୁଁ ମୁସଲିମ ଛାତ୍ରୀମାନଙ୍କର ଏକ ଗୋଷ୍ଠୀକୁ ଶ୍ରେଣୀରେ ପ୍ରବେଶ ଅନୁମତି ମିଳିନଥିଲା । ଏହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ପରେ ଏହି ବିବାଦ ରାଜ୍ୟର ଅନ୍ୟ କଲେଜକୁ ମଧ୍ୟ ବ୍ୟାପିଥିଲା ।

ରବିବାର ଦିନ ଏଆଇଏମ୍ଆଇଏମ୍ ମୁଖ୍ୟ ଓଓ୍ବେସି ଏକ ଭିଡିଓ ଟ୍ୱିଟ୍ କରିଛନ୍ତି ଯେଉଁଥିରେ ସେ କହିଛନ୍ତି ଯେ ହିଜାବ ପିନ୍ଧିଥିବା ମହିଳାମାନେ କଲେଜ ଯିବେ, ଜିଲ୍ଲା କଲେକ୍ଟର, ମାଜିଷ୍ଟ୍ରେଟ୍, ଡାକ୍ତର, ବ୍ୟବସାୟୀ ଆଦି ହେବେ।

ଏହି ଭିଡ଼ିଓରେ ଓଓ୍ବେସି ଏକ ରାଲିକୁ ସମ୍ବୋଧିତ କରୁଥିବା ଦେଖିବାକୁ ମିଳୁଛି । ସେ କହୁଛନ୍ତି, “ମୁଁ ଏହା ଦେଖିବା ପାଇଁ ଜୀବିତ ରହିନପାରେ, କିନ୍ତୁ ମୋର ଏହି କଥା ମନେ ରଖ । ଦିନେ ହିଜାବ ପିନ୍ଧିବା ଝିଅ ଏ ଦେଶର ପ୍ରଧାନମନ୍ତ୍ରୀ ହେବ।”

ସେ କହିଛନ୍ତି, “ଯଦି ଆମର ଝିଅମାନେ ନିଷ୍ପତ୍ତି ନିଅନ୍ତି ଏବଂ ସେମାନଙ୍କ ପିତାମାତାଙ୍କୁ କୁହନ୍ତି ଯେ ସେମାନେ ହିଜାବ ପିନ୍ଧିବାକୁ ଚାହୁଁଛନ୍ତି, ତେବେ ସେମାନଙ୍କ ପିତାମାତା ସେମାନଙ୍କୁ ସମର୍ଥନ କରିବେ। ଦେଖିବା ସେମାନଙ୍କୁ କିଏ ଅଟକାଇ ପାରିବ!”

ଏକ ରିପୋର୍ଟ ଅନୁଯାୟୀ, ଯେତେବେଳେ ଓଓ୍ବେସିଙ୍କୁ ତାଙ୍କ ମନ୍ତବ୍ୟ ସମ୍ପର୍କରେ ପଚରାଯାଇଥିଲା, ସେ କିଛି କହିବାକୁ ମନା କରିଦେଇଥିଲେ।

କର୍ଣ୍ଣାଟକରେ ହିଜାବ ବିବାଦ ଯୋଗୁଁ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ ଫେବୃଆରୀ ୧୬ ଯାଏଁ ସବୁ ସ୍କୁଲ କଲେଜ୍ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Comments are closed.