ୟୁକ୍ରେନ ସଙ୍କଟ: ଯୁଦ୍ଧ ଆଶଙ୍କା ଟଳିଲା, ୟୁକ୍ରେନ ସୀମାରୁ ସେନା ପ୍ରତ୍ୟାହାର କଲା ରୁଷ୍

ମସ୍କୋ: ୟୁକ୍ରେନ ଉପରେ ରୁଷର ଆକ୍ରମଣ ଆଶଙ୍କା ବର୍ତ୍ତମାନ ଦୂର ହୋଇଛି। ରୁଷ୍ ଦ୍ବାରା ଜାରି ଏକ ବିବୃତିରେ କୁହାଯାଇଛି ଯେ କ୍ରିମିଆରେ ତାଙ୍କର ଯୁଦ୍ଧାଭ୍ୟାସ ଶେଷ ହୋଇଛି ଏବଂ ୟୁକ୍ରେନ ସୀମାରୁ ସେନା ପ୍ରତ୍ୟାହାର ଜାରି ରହିଛି। ୨୦୧୪ରେ ୟୁକ୍ରେନରୁ କ୍ରିମିଆକୁ ଛଡ଼ାଇ ନେଇଥିଲା ରୁଷ୍। ଦିନକ ପୂର୍ବରୁ ରୁଷ୍ ୟୁକ୍ରେନ ସୀମା ପୂର୍ବରୁ ସୈନ୍ୟ ପ୍ରତ୍ୟାହାର କରିବାକୁ ଘୋଷଣା କରିଥିଲା। ରୁଷର ପ୍ରତିରକ୍ଷା ମନ୍ତ୍ରଣାଳୟ ଦ୍ବାରା ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ ଦକ୍ଷିଣ ସାମରିକ ବେସ୍ ର ୟୁନିଟ୍ ଗୁଡିକ ସେମାନଙ୍କର ସାମରିକ ଅଭ୍ୟାସ ଶେଷ କରିଛନ୍ତି ଏବଂ ବର୍ତ୍ତମାନ ସେମାନଙ୍କର ସ୍ଥାୟୀ ବେସ୍ କୁ ଫେରୁଛନ୍ତି। ରୁଷର ଟେଲିଭିଜନରେ ରୁଷର ନିୟନ୍ତ୍ରିତ ଅଞ୍ଚଳକୁ ରୁଷ୍ ସେନାର ଏକ ବ୍ୟାଚ୍ ଫେରୁଥିବା ଭିଜୁଆଲ ମଧ୍ୟ ପ୍ରଦର୍ଶିତ ହୋଇଥିଲା | ଏହାପୂର୍ବରୁ ମଙ୍ଗଳବାର ଦିନ ରୁଷ୍ ପ୍ରତିରକ୍ଷା ମନ୍ତ୍ରଣାଳୟର ମୁଖପାତ୍ରଙ୍କ କହିଥିଲେ ଯେ, ଦକ୍ଷିଣ ଏବଂ ଉତ୍ତର ମିଲିଟାରୀ ୟୁନିଟ୍ ଗୁଡିକ ସେମାନଙ୍କର ଟାସ୍କ ଶେଷ କରିଛନ୍ତି। ସେମାନେ ରେଳ ଏବଂ ସଡ଼କ ପରିବହନ ମାଧ୍ୟମରେ ଲୋଡିଂ ଆରମ୍ଭ କରିଛନ୍ତି ଏବଂ ସେମାନଙ୍କର ସାମରିକ ବେସକୁ ଫେରିଛନ୍ତି | ତଥାପି ଆମେରିକା ଏବଂ ଫ୍ରାନ୍ସ ରୁଷର ସୈନ୍ୟମାନେ ଅପସାରଣ ହେବା କବଳରେ କେତେ ସତ୍ୟତା ଅଛି ବୋଲି ପଚାରିଥିଲେ ।

ୟୁକ୍ରେନ ସୀମାରେ ୧.୫ ଲକ୍ଷରୁ ଅଧିକ ରୁଷ୍ ସୈନ୍ୟ ମୁତୟନ ହୋଇଥିଲେ ଯାହା ଆମେରିକା ଏବଂ ପାଶ୍ଚାତ୍ୟ ଦେଶଗୁଡିକର ଚିନ୍ତା ବଢ଼ାଇ ଦେଇଥିଲା।

ରୁଷର ଏହି ବିବୃତ୍ତି ଏପରି ଏକ ସମୟରେ ଆସିଛି, ଯେତେବେଳେ କି ଆମେରିକାର ପ୍ରତିରକ୍ଷା ସଚିବ ଓଲିଉଡ ଅଷ୍ଟିନ ଏହି ସଙ୍କଟ ମଧ୍ୟରେ ସେହି ଅଞ୍ଚଳକୁ ଗସ୍ତରେ ଯାଇଛନ୍ତି । ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ କହିଥିଲେ ଯେ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଏପରି କୌଣସି ପଦକ୍ଷେପ (ୟୁକ୍ରେନ ଉପରେ ଆକ୍ରମଣ) ତାଙ୍କ ପାଇଁ କ୍ଷତିକାରକ ପ୍ରମାଣିତ ହେବ। ୟୁକ୍ରେନ ଉପରେ ଯଦି ରୁଷ ଆକ୍ରମଣ କରେ, ତେବେ ଆମେରିକା ଏବଂ ଏହାର ସହଯୋଗୀ ରାଷ୍ଟ୍ର ନିର୍ଣ୍ଣାୟକ ଢଙ୍ଗରେ ଏହାର ଜବାବ ଦେବେ ବୋଲି ସେ‌ ଚେତାବନୀ ଦେଇଥିଲେ । ସେ କହିଥିଲେ ଯେ ଏହି ସମସ୍ୟାର ସମାଧାନ ପାଇଁ ଆମେରିକା ତଥାପି କୂଟନୈତିକ ଆଲୋଚନା କରିବାକୁ ପ୍ରସ୍ତୁତ। ସେ କହିଥିଲେ ଯେ ୟୁକ୍ରେନ ସୀମାରେ ୧୫୦,୦୦୦ ରୁ ଅଧିକ ରୁଷ୍ ସୈନିକ ଏକାଠି ହୋଇଥିଲେ।

Comments are closed.