ଜୀବିକା ମିଶନ୍ ପ୍ରୋତ୍ସାହନ: ବଢୁଛି ଅଦା ଚାଷ ପ୍ରତି ଆଗ୍ରହ

ଫୁଲବାଣୀ: ଓଡ଼ିଶା ଜୀବିକା ମିଶନ୍‌ ଦ୍ବାରା ରାଜ୍ୟ ସରକାରଙ୍କ ଆନୁକୂଲ୍ୟରେ କନ୍ଧମାଳ ଜିଲ୍ଲାର କୃଷକମାନଙ୍କୁ ପ୍ରୋତ୍ସାହନ ଦିଆଯାଉଛି। ଜୈବିକ ଫସଲ ପାଇଁ ସୁପରିଚିତ କନ୍ଧମାଳ ଜିଲ୍ଲାର ହଳଦୀ, ଅଦା ଭଳି ଅନେକ କୃଷିଜାତ ଉତ୍ପାଦନ କେବଳ ଆମ ରାଜ୍ୟ କିମ୍ବା ଦେଶ ନୁହେଁ, ବିଦେଶରେ ମଧ୍ୟ ଲୋକପ୍ରିୟ। ତେବେ ଏହାର କେବଳ ପ୍ରଚାର ପ୍ରସାର ନୁହେଁ, ବରଂ ବିକ୍ରିବଟା ଓ ବ୍ୟବସାୟିକ ଫାଇଦା ଦୃଷ୍ଟିରୁ ଓଡ଼ିଶା ଜୀବିକା ମିଶନ୍ ବେଶ୍ ତତ୍ପରତାର ସହ କାର୍ଯ୍ୟ କରୁଛି। ଆଉ ଏହାର ସୁଫଳ ମଧ୍ୟ ଦେଖିବାକୁ ମିଳୁଛି। କନ୍ଧମାଳ ଜିଲ୍ଲାର ହଳଦୀ ପରେ ଦ୍ଵିତୀୟ ସର୍ବାଧିକ ଚାଷ ହେଉଥିବା ଫସଲ ହେଲା ଅଦା। ଜୀବିକା ମିଶନ୍ ସହଯୋଗରେ ଏବେ ଅଦା ଚାଷୀଙ୍କୁ ପ୍ରୋତ୍ସାହନ ମିଳିବାରେ ଲାଗିଛି।

କନ୍ଧମାଳ ଜିଲ୍ଲାରେ ଜଙ୍ଗଲ କ୍ଷେତ୍ରଫଳ ଅଧିକ ଥିବା ବେଳେ ନଦୀ, ପାହାଡ଼ ମଧ୍ୟ ବେଶ୍ ମାତ୍ରାରେ ରହିଛି। ଏଣୁ ଭୌଗୋଳିକ ଦୃଷ୍ଟିରୁ ଏହି ଜିଲ୍ଲାରେ ଚାଷ କାର୍ଯ୍ୟ ଅତ୍ୟନ୍ତ କାଠିକର ବ୍ୟାପାର। ତେବେ ଏହାର ବିପରୀତ ଏହାର ପ୍ରାକୃତିକ ବା ଜୈବିକ ଉତ୍ପନ୍ନ ସାମଗ୍ରୀ ବେଶ୍ ପୃଷ୍ଟିକର। ଏଣୁ ଏହାର ଚାହିଦା ଲଗାତାର ବୃଦ୍ଧି ପାଇବାରେ ଲାଗିଛି। ତେବେ କନ୍ଧମାଳ ହଳଦୀ ଯେଉଁଭଳି ଲୋକପ୍ରିୟ ହୋଇପାରିଛି, ଏଇ ମାଟିର ଅଦାର ସେତିକି ପ୍ରଚାର ପ୍ରସାର ହୋଇପାରିନି। ଜିଲ୍ଲାରେ ଜଳସେଚନର ବିଶେଷ ସୁବିଧା ନଥିବା ମଧ୍ୟ ଚାଷବାସ ପାଇଁ ଆଉ ଏକ ବାଧକ ସାଜିଛି। ଧାନ ଭଳି ଅଧିକ ପାଣି ଆବଶ୍ୟକ କରୁଥିବା ଫସଲ ଏହି ଜିଲ୍ଲାରେ ବିଶେଷ ଲାଭଦାୟକ ହୋଇପାରି ନଥାଏ। ତେଣୁ ଓଡ଼ିଶା ଜୀବିକା ମିଶନ୍ ଏବେ କନ୍ଧମାଳ ଜିଲ୍ଲାର ଅଦା ଚାଷ ଉପରେ ଫୋକସ୍ କରିଛି ଯେମିତି ଲାଭଜନକ ଉପାୟରେ ଏହି ଫସଲ ଅଧିକ ମାତ୍ରାରେ ହୋଇପାରିବ।

ଅଣଧାନ ଫସଲକୁ ଗୁରୁତ୍ଵ ଦେଇ କନ୍ଧମାଳ ଜିଲ୍ଲାର ଚାଷୀମାନଙ୍କୁ ସେ ଦିଗରେ ଉତ୍ସାହିତ କରୁଛି ଓଡ଼ିଶା ଜୀବିକା ମିଶନ୍। ହଳଦୀ ଭଳି କନ୍ଧମାଳ ଜିଲ୍ଲାର ପାରମ୍ପରିକ ଅଦା ଚାଷକୁ ପ୍ରୋତ୍ସାହିତ କରି ବିଶ୍ବ ବଜାରରେ ଲୋକପ୍ରିୟ କରିବାକୁ ଯୋଜନା କରିଛି ଜୀବିକା ମିଶନ୍। ଫୁଲବାଣୀ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ) ଅଧୀନରେ ମିଶନ୍‌ ପକ୍ଷରୁ ଫୁଲବାଣୀ, ଫିରିଙ୍ଗିଆ ଓ ଖଜୁରୀପଡ଼ା ବ୍ଲକ୍‌ରେ ଚାଷୀମାନଙ୍କୁ ୧୬ ଟନ୍ ଅଦା ବିହନ, ସାର, ଖତ ଓ ଅନ୍ୟାନ୍ୟ ସାମଗ୍ରୀ ଯୋଗାଇ ଦିଆଯାଇଛି। କେବଳ ଏତିକି ନୁହେଁ, ଆବଶ୍ୟକୀୟ ବୈଷୟିକ ପ୍ରଶିକ୍ଷଣ ମଧ୍ୟ କୃଷକମାନଙ୍କୁ ଦିଆଯାଇଛି। ଚାଷୀମାନଙ୍କୁ ବିଭିନ୍ନ ଜିଲ୍ଲାକୁ କ୍ଷେତ୍ର ପରିଦର୍ଶନରେ ନିଆଯାଇ ସେମାନଙ୍କୁ ଅଦା ଚାଷ ବାବଦରେ ଅନୁଭୂତି ଓ ଅଭିଜ୍ଞତା ଅର୍ଜନର ସୁବିଧା ସୁଯୋଗ ଦିଆଯାଇଛି।

ଏହି ଯୋଜନା ସେମାନଙ୍କୁ ଅର୍ଥ ରୋଜଗାରର ନୂତନ ଅବସର ଦେଉଥିବା କହିଛନ୍ତି ଅଦା ଚାଷୀ ତୁଳସୀ କହଁର, ଟୁନିଆ କହଁର, ବସନ୍ତ କହଁର ଓ ସୀତାରାମ କହଁର ପ୍ରମୁଖ। ଓଡ଼ିଶା ଜୀବିକା ମିଶନ୍ ପରିଚାଳକ ପି.ମୁରଲୀ ମୋହନଙ୍କ ମୁତାବକ କୋଭିଡ୍ ସମୟରେ ଗ୍ରାମାଞ୍ଚଳ ଲୋକେ ଜୀବିକା ଉପାର୍ଜନ ଲକ୍ଷ୍ୟରେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଥିବା ବେଳେ ସେମାନଙ୍କୁ ନିଜ ଅଞ୍ଚଳରେ ହିଁ ପେଟପାଟଣା ଯୋଗାଇଦେବାକୁ ଏଭଳି ଯୋଜନାକୁ କାର୍ଯ୍ୟକାରୀ କରାଯାଉଛି। ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ବୀରେନ୍ଦ୍ର ଦାଶ ମଧ୍ୟ କହିଛନ୍ତି ଯେ- କୃଷକଙ୍କ ଭିତରେ ଧୀରେ ଧୀରେ ଅଦା ଚାଷ ପାଇଁ ଆଗ୍ରହ ବଢୁଛି। କନ୍ଧମାଳ ଜିଲ୍ଲାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଚାଷୀ ଓ ଚାଷବାସର ବିକାଶ ପାଇଁ ନିଆଯାଇଥିବା ପଦକ୍ଷେପ ଏବେ ସୁଫଳ ଆଣି ଦେବାରେ ଲାଗିଛି।

Comments are closed.