ଦଶମ, ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଅଫଲାଇନ୍ ମୋଡରେ ହେବ, ରୋକ୍ ଲଗାଇବାକୁ ମନାକଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସମଗ୍ର ଦେଶରେ ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀ ମାନଙ୍କ ପାଇଁ ବୋର୍ଡ ପରୀକ୍ଷା କେବଳ ଅଫଲାଇନ୍ ମୋଡରେ କରାଯିବ | ଅଫଲାଇନ ପରୀକ୍ଷା ବାତିଲ କରିବାକୁ ଏକ ଆବେଦନକୁ ସୁପ୍ରିମକୋର୍ଟ ବୁଧବାର ଖାରଜ କରିଛନ୍ତି।

ଶୁଣାଣି ସମୟରେ ଜଷ୍ଟିସ ଏ.ଖାନୱିଲକର କହିଛନ୍ତି ଯେ ଏଭଳି ଆବେଦନ ପବ୍ଲିସିଟି ହାସଲ ପାଇଁ କରାଯାଉଛି। ସେ କହିଛନ୍ତି ଯେ ଏଭଳି ଆବେଦନ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି କରୁଛି। ଏଭଳି ପିଟିସନ ଦାଖଲ ଉପରେ କୋର୍ଟ ରୋକ୍ ଲଗାଇବାକୁ କହିଥିଲେ। ଆବେଦନରେ ସିବିଏସ୍ଇ, ଆଇସିଏସ୍ଇ ଏବଂ ଏନ୍ଆଇଓଏସ୍ ସମେତ ସମସ୍ତ ରାଜ୍ୟ ଦ୍ୱାରା ପରିଚାଳିତ ହେବାକୁ ଥିବା ଅଫଲାଇନ୍ ଅର୍ଥାତ୍ ଫିଜିକାଲ୍ ବୋର୍ଡ ପରୀକ୍ଷାକୁ ବାତିଲ କରିବାକୁ ଦାବି କରାଯାଇଥିଲା |

ଏହି ମାମଲାରେ କୋର୍ଟ ମଙ୍ଗଳବାର ଦିନ ଶୁଣାଣି ପାଇଁ ଆବେଦନକୁ ଗ୍ରହଣ କରିଥିଲେ। ଏହା ପରେ ଜଷ୍ଟିସ ଖାନୱିଲକରଙ୍କ ନେତୃତ୍ୱରେ ଏକ ଖଣ୍ଡପୀଠ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ର ସ୍ଥାୟୀ ପରାମର୍ଶଦାତା ତଥା ଅନ୍ୟାନ୍ୟ ଉତ୍ତରଦାତାଙ୍କୁ ଏହି ଆବେଦନର ଅଗ୍ରୀମ କପି ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଖଣ୍ଡପୀଠ ବୁଧବାର ଏହି ଆବେଦନର ଶୁଣାଣି କରିଥିଲେ ଏବଂ ଅଫଲାଇନ ବୋର୍ଡ ପରୀକ୍ଷା ପରିଚାଳନାରେ କୌଣସି ସମସ୍ୟା ନାହିଁ ବୋଲି ମାନିଥିଲେ। ଏହା ପରେ କୋର୍ଟ ଆବେଦନକୁ ଖାରଜ କରିଥିଲେ।

କରୋନା ମାମଲାରେ ହ୍ରାସ ସତ୍ତ୍ବେ ଅଫଲାଇନ୍ କ୍ଲାସ୍ କରାଯାଇନଥିବା ଆବେଦନକାରୀଙ୍କ ଓକିଲ ମଙ୍ଗଳବାର କୋର୍ଟରେ ଯୁକ୍ତି କରିଥିଲେ। ସେପଟେ କ୍ଳାସ୍ ମଧ୍ୟ ସରିନଥିବା ବେଳେ ଅଫଲାଇନ୍ ପରୀକ୍ଷା କିପରି କରାଯାଇପାରିବ? ଅଫଲାଇନ ପରୀକ୍ଷା ରଦ୍ଦ କରାଯିବା ଉଚିତ ଏବଂ ଏକ ବିକଳ୍ପ ମୂଲ୍ୟାୟନ ପ୍ରକ୍ରିୟା ପ୍ରସ୍ତୁତ କରାଯିବା ଉଚିତ ବୋଲି ଆବେଦନକାରୀ କହିଥିଲେ।

ଏହା ପରେ ଜଷ୍ଟିସ ଏ.ଖାନୱିଲକରଙ୍କ ନେତୃତ୍ବାଧୀନ ଖଣ୍ଡପୀଠ ମୌଖିକ ଭାବରେ ପଚାରିଥିଲେ ଯେ କୋର୍ସ ଶେଷ ନକରି କିପରି ପରୀକ୍ଷା ହୋଇପାରିବ? ପ୍ରକାଶଥାଉକି ଏପ୍ରିଲ୍ ୨୬ ରୁ ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ଟର୍ମ-୨ ବୋର୍ଡ ପରୀକ୍ଷା କରିବାକୁ ସିବିଏସ୍ଇ ନିଷ୍ପତ୍ତି ନେଇଛି |

Comments are closed.