ଆରମ୍ଭ ହୋଇଗଲା ଯୁଦ୍ଧ, ରାଜଧାନୀ କିଭ୍ ସହ ୟୁକ୍ରେନର ଅନେକ ସହର ଉପରେ ରୁଷର ଆକ୍ରମଣ

ମସ୍କୋ: ଯାହା ଆଶଙ୍କା କରାଯାଉଥିଲା ତାହା ହିଁ ହୋଇଛି। ଯୁଦ୍ଧ ଆରମ୍ଭ ହୋଇଯାଇଛି। ୟୁକ୍ରେନ ଉପରେ ଆକ୍ରମଣ କରିଛି ରୁଷ୍ । ୟୁକ୍ରେନ-ରୁଷିଆ ତିକ୍ତତା ମଧ୍ୟରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ ଘୋଷଣା କରିବା ପରେ ୟୁକ୍ରେନର ବିଭିନ୍ନ ସହରରୁ ବିସ୍ଫୋରଣର ଖବର ମିଳିଛି | ପୁଟିନ ୟୁକ୍ରେନ ଉପରେ ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇ କହିଛନ୍ତି ଯେ ରୁଷର ଉଦ୍ଦେଶ୍ୟ ଏହାକୁ ଦଖଲ କରିବା ନୁହଁ। କିନ୍ତୁ ଯଦି ରୁଷ୍ କିମ୍ବା ଏହାର ଲୋକଙ୍କ ପ୍ରତି କୌଣସି ବାହ୍ୟ ବିପଦ ଥାଏ, ତେବେ ତୁରନ୍ତ ଏହାର ଜବାବ ଦିଆଯିବ |

ରୁଷ ୟୁକ୍ରେନ ସୀମା ନିକଟରେ ପ୍ରାୟ ୨ ଲକ୍ଷ ସୈନିକ ନିୟୋଜିତ କରିଛି। ସେପଟେ ୟୁକ୍ରେନର ରାଜଧାନୀ କିଭ୍ ରେ ବିସ୍ଫୋରଣର ଅନେକ ଶବ୍ଦ ଶୁଣାଯାଉଛି | ୟୁକ୍ରେନର ତୃତୀୟ ବୃହତ୍ତମ ସହର କ୍ରେମଟୋରସ୍କ ଏବଂ ଓଡେସାରେ ବିସ୍ଫୋରଣର ଶବ୍ଦ ଶୁଣିବାକୁ ମିଳିଛି।

ରୁଷ୍ ପକ୍ଷରୁ ଆକ୍ରମଣ ଆଶଙ୍କା ମଧ୍ୟରେ ୟୁକ୍ରେନ ଦେଶବ୍ୟାପୀ ଜରୁରୀକାଳୀନ ସ୍ଥିତି ଘୋଷଣା କରିଛି। ୟୁକ୍ରେନର ସାଂସଦମାନେ ଦେଶବ୍ୟାପୀ ଜରୁରୀ ପରିସ୍ଥିତି ଲାଗୁ କରିବାକୁ ରାଷ୍ଟ୍ରପତି ଭୋଲୋଡିମିର ଜେଲେଂସ୍କିଙ୍କ ନିର୍ଦ୍ଦେଶକୁ ମଞ୍ଜୁର କରିଛନ୍ତି, ଯାହା ଗୁରୁବାର ଠାରୁ ୩୦ ଦିନ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ। ଏହି ସମୟରେ ପାଶ୍ଚାତ୍ୟ ଦେଶଗୁଡିକ ରୁଷ ବିରୋଧରେ ଅନେକ କଟକଣା ଘୋଷଣା କରିଛନ୍ତି । ଅନ୍ୟପକ୍ଷେ ମିଳିତ ଜାତିସଂଘ ସୁରକ୍ଷା ପରିଷଦ ୟୁକ୍ରେନ ଉପରେ ଜରୁରୀ ଅଧିବେଶନ ଡାକିଛି। ୟୁକ୍ରେନ ଉପରେ ଆଲୋଚନା ପାଇଁ ମିଳିତ ଜାତିସଂଘ ସୁରକ୍ଷା ପରିଷଦର ଏହି ସପ୍ତାହରେ ଦ୍ୱିତୀୟ ଥର ଲାଗି ବୈଠକ ହେବ।

ରୁଷର ସାମରିକ କାର୍ଯ୍ୟାନୁଷ୍ଠାନ ମଧ୍ୟରେ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେଂସ୍କି ଟିଭି ସମ୍ବୋଧନ ମାଧ୍ୟମରେ ଯୁଦ୍ଧକୁ ରୋକିବା ପାଇଁ ଅପିଲ କରିଛନ୍ତି। ରୁଷ-ୟୁକ୍ରେନର ମଧ୍ୟରେ ଐତିହାସିକ ଏବଂ ସଂସ୍କୃତି ସମ୍ପର୍କ ନେଇ ସେ ରୁଷର ଲୋକଙ୍କୁ ମଧ୍ୟ ମନେ ପକାଇଛନ୍ତି | ଜେଲେନସ୍କି କହିଛନ୍ତି ଯେ ଉତ୍ତେଜନା ହ୍ରାସ କରିବା ପାଇଁ ସେ ଭ୍ଲାଦିମିର ପୁଟିନଙ୍କୁ ମଧ୍ୟ ଫୋନ କରିଥିଲେ, କିନ୍ତୁ କୌଣସି ଉତ୍ତର ମିଳିନଥିଲା। ୟୁକ୍ରେନ ରାଷ୍ଟ୍ରପତି କହିଛନ୍ତି ଯେ ତାଙ୍କ ଦେଶ ଶାନ୍ତି ଚାହୁଁଛି।

Comments are closed.